Webportal

ଅନୁଗୁଳରେ ୩୧ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଚଳିତ ବର୍ଷର ସ୍ଲୋଗାନ "ସୁରକ୍ଷିତ ରୁହନ୍ତୁ, ସୁଖୀ ରୁହନ୍ତୁ" ଉପରେ ଗୁରୁତ୍ୱ

sanitry
0 312

ଅନୁଗୁଳ ଜିଲ୍ଲାରେ ଚଳିତ ମାସ ଏଗାର ତାରିଖରୁ ସତର ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ସପ୍ତାହ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି।ଏହି ସପ୍ତାହ ପାଳନ ପୂର୍ବରୁ ସଡକ ସୁରକ୍ଷା କମିଟି ଦ୍ଵାରା ପୂର୍ବରୁ ନିଷ୍ପତ୍ତି ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଶେଷ କରିବା, ଅନୁଗୁଳ ସହର ମଧ୍ୟରେ ତିରିଶ କିଲୋମିଟର ବେଗରେ ଭାରିଯାନ ଚଳାଚଳ କରିବାକୁ ନେଇ ରାସ୍ତାର ଛକ ଗୁଡିକରେ ଚାଳକଙ୍କ ଅବଗତି ନିମନ୍ତେ ସତର୍କ ବାର୍ତ୍ତା ପ୍ରଦର୍ଶିତ କରିବା ପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ।ସ୍ଲୋଗାନକୁ ଦୃଷ୍ଟି ରେ ରଖି ବ୍ୟାପକ ଜନସଚେତନତା, କେବେ ଦୁର୍ଘଟଣା ନ ଘଟାଇଥିବା ଓ ନିଶାଦ୍ରବ୍ୟ ସେବନ କରିନଥିବା ଚାଳକଙ୍କୁ ରୋଲ ମଡେଲ ଭାବେ ସମ୍ବର୍ଦ୍ଧିତ କରି ସେମାନଙ୍କ ଅନୁଭୂତି କୁ ନେଇ ଅନ୍ୟମାନଙ୍କୁ ପ୍ରେରିତ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ।ଏହି ଅବସରରେ ଜିଲ୍ଲାର ପ୍ରମୁଖ ସ୍ଥାନରେ ସଚେତନତା ଗେଟ ଆର୍ଟିଓ, ପୋଲିସ ଓ ବିଭିନ୍ନ ସଂସ୍ଥାର ମିଳିତ ସହଯୋଗରେ ଲଗାଯିବ।ପ୍ରଥମ ଦିନ ସକାଳ ନଅଟାରେ ଅନୁଗୁଳ ଷ୍ଟାଡିୟମରୁ ସଡକ ସୁରକ୍ଷା ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିବେ।ଷ୍ଟାଡିୟମରୁ ଏକ ମିନି ମାରାଥନ ବାହାରି ସହରର ପରିକ୍ରମା ମଧ୍ୟ କରିବ।ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଯିବା ସହ ଲିଫଲେଟ ବିତରଣ କରାଯିବ।ବ୍ଲକ, ପୌରପାଳିକା ଓ ବିଜ୍ଞାପିତ ଅଂଚଳ ପରିଷଦ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯିବ।ଜିଲ୍ଲାର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ ଶୋଭାଯାତ୍ରା ଅନୁଷ୍ଠିତ କରିବେ।ଏହି ସମୟରେ ଯାନବାହନ ଗୁଡିକର ଯାଂଚକୁ କଡାକଡି କରାଯିବ।ଚକ୍ଷୁ ପରୀକ୍ଷା ବାର ତାରିଖରେ ବସ ମାଲିକ ସଂଘ ଗୃହରେ, ସତର ତାରିଖରେ ଟ୍ରକ ମାଲିକ ସଙ୍ଘ ଗୃହରେ ଓ ଚଉଦ ତାରିଖରେ ଜରପଡ଼ାରେ ଆୟୋଜିତ ହେବ।ବିଳମ୍ବିତ ରାତିରେ ଗାଡି ଚାଳନା ଉପରେ କଟକଣା, ରାତ୍ରିକାଳୀନ ପେଟ୍ରୋଲିଂ କଡାକଡି କରିବା ସହ ବାର ରୁ ଛଅଟା ମଧ୍ୟରେ ଚଳାଚଳ କରୁଥିବା ଗାଡ଼ିଗୁଡିକ ଉପରେ ସତର୍କ ଦୃଷ୍ଟି ରଖିବା, ମଦ୍ୟପ ଚାଳକଙ୍କୁ କଡାକଡି ଯାଂଚ କରିବା ଆଦି ପାଇଁ ଜିଲାପାଳ ପରାମର୍ଶ ଦେଇଛନ୍ତି।ଏହା ସହିତ ଖାଉଟି ସୁରକ୍ଷା ଆଇନ ଅନୁଯାୟୀ ପ୍ରତ୍ୟେକ ବସରେ ରେଟ ଚାର୍ଟ ପ୍ରଦର୍ଶନ ଓ ରନ୍ତେଳେଇ ଠାରୁ ଭୂଷଣ ଯାଏଁ ରାସ୍ତା ନିୟମିତ ମରାମତି କରିବା ପାଇଁ ପରାମର୍ଶ ଦେଇଛନ୍ତି।

Square Ad 1
Leave A Reply

Your email address will not be published.