ଅନୁଗୁଳ ରେଳ ଷ୍ଟେସନ ରେ ନାହିଁ ଯାତ୍ରୀଙ୍କ ସୁରକ୍ଷା ପାଇଁ ଚିନ୍ତା ;ଅନ୍ଧାର ହେଲେ ମଧ୍ଯ ପରିସର ଆଲୋକିତ କରାଇବାରେ ଅହେତୁକ ବିଳମ୍ବ
ଲାଗୁନି ଅଧାରୁ ଅଧିକ ଲାଇଟ; ମାଳମାଳ ବୁଲା କୁକୁରଙ୍କ ଦାଉରୁ କିଏ କରିବ ରକ୍ଷା
ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରେଳ ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ସମସ୍ତେ ଲଗାତାର ଭାବେ ବିଶ୍ଵ ସ୍ତରୀୟ ରେଳ ଷ୍ଟେସନ ର ସ୍ବପ୍ନ ଦେଖାଇ ଆସୁଛନ୍ତି। ନିରୀହ ଜନତା ମଧ୍ଯ ସେହି ସ୍ୱପ୍ନରେ ଦିନ କାଟି ଦେଉଛି।
କିନ୍ତୁ ବାସ୍ତବ ଚିତ୍ର ସ୍ବପ୍ନକୁ କୁରାଡି ମାରିବାଠୁ କମ ନୁହଁ। ଆମ ପ୍ରତିନିଧି ଅନୁଗୁଳ ରେଳ ଷ୍ଟେସନ ଯାଇ ପ୍ରକୃତ ସ୍ଥିତି ଅନୁଧ୍ୟାନ କରିବାକୁ ଚେଷ୍ଟା କରିଥଲେ।
ଏବେ ଶୀଘ୍ର ସନ୍ଧ୍ୟା ହୋଈ ଅନ୍ଧାର ହେଉଛି। କିନ୍ତୁ ଅନ୍ଧାର ହେବାର ଅନେକ ସମୟ ପର୍ଯ୍ୟନ୍ତ ଅନୁଗୁଳ ଷ୍ଟେସନ ରେ ଲାଇଟ ଲାଗିନଥିଲା ବା ଷ୍ଟେସନ କୁ ଆଲୋକିତ କରାଯାଇ ନ ଥିଲା। ସେଥିରେ ପୁଣି ବାଘ ଛୁଆ ଭଳି ମାଳମାଳ କୁକୁର ଯାତ୍ରୀ ମାନଙ୍କ ମଧ୍ୟରେ ବୁଲୁଥିଲେ। ଯଦି ଅନ୍ଧାର ର ସୁଯୋଗ ନେଇ କିଛି ଅଘଟଣ ଘଟିଲା ତେବେ କଣ ହେବ? ଧନ ଜୀବନ ମଧ୍ୟ ହାନି ହେଇପାରେ। ତା ବାଦ୍ ଯଦି କୁକୁର କାହାକୁ ଆକ୍ରମଣ କରେ ତେବେ ଯାତ୍ରା କରିବା ବଦଳରେ ସେ ଯାତ୍ରୀ ମେଡିକାଲ କୁ ଚିକିତ୍ସା ପାଇଁ ଧାଇଁବ।
ଆମକୁ ବେଶ କିଛି ସମୟ ପୁରା ପ୍ଲାଟଫର୍ମ ଅନ୍ଧାରରେ ରହିଲା ପରେ ଲାଇଟ ଲାଗିବା ଦେଖିବାକୁ ମିଳିଲା। ତାହା ବି ଅଧାଅଧି ଲାଇଟ। ପ୍ଲାଟଫର୍ମ ର କେଉଁଠି ଆଲୋକ ତ କେଉଁଠି ଛାୟା ଆଲୋକ ଦେଖିବାକୁ ମିଳିଥିଲା।
ଯଦି କିଛି ଅଘଟଣ ହୁଏ ତେବେ ରେଳ ବିଭାଗ ତ ଦୁଃଖ ପ୍ରକାଶ କରି ରହିଯିବ। କିନ୍ତୁ ଯାହାର କ୍ଷତି ହେବ ତା ଘା ବିଷୟରେ ଭାବିବା ବି ବହୁତ ମୁସ୍କିଲ।