ଅନୁଗୁଳ ସହରରେ ଟ୍ରାଫିକ ନିୟମକୁ ବେଖାତିର
ଯଦି ଅଘଟଣ ଘଟେ କିମ୍ବା ଧରପଗଡ଼ ହୁଏ ଦୋଷ ଦିଆଯିବ କର୍ତବ୍ୟରତ କର୍ମଚାରୀଙ୍କୁ

ଅନୁଗୁଳ ସହର ଭିତରେ ଓ ସହର ଦେଇ ପ୍ରତି ମୁହୂର୍ତ୍ତରେ ଅଗଣିତ ଯାନବାହନ ଚଳାଚଳ କରୁଛି ଯାହାକୁ ସୁଚାରୁ ରୁପେ ନିୟନ୍ତ୍ରଣ କରିବା ପାଇଁ ନିର୍ଧାରିତ ସମୟରେ ଆବଶ୍ୟକ ସଂଖ୍ୟକ ଟ୍ରାଫିକ କର୍ମଚାରୀ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ମୁତୟନ କରାଯାଇଛନ୍ତି। କିନ୍ତୁ ଦେଖିବାକୁ ମିଳୁଛି କିଛି ଚାଳକ ସମ୍ଭାବିତ ଦୁର୍ଘଟଣା କୁ ଭ୍ରୁକ୍ଷେପ ନ କରି ଟ୍ରାଫିକ କର୍ମଚାରୀ ମାନଙ୍କର ଇଙ୍ଗିତକୁ ବେଖାତିର କରି ସିଗନାଲ ନ ମିଳିଲେ ମଧ୍ୟ ଗାଡି ନେଇ ପଳେଇ ଯାଉଛନ୍ତି, ଯାହା ଫଳରେ ସିଗନାଲ ପାଇ ଆସୁଥିବା ଗାଡି ସହିତ ଦୁର୍ଘଟଣା ଘଟିବାର ଯଥେଷ୍ଟ ସମ୍ଭାବନା ରହିଛି ଯେଉଁଥିରେ କି ଧନ ଜୀବନ ର କ୍ଷତି ମଧ୍ୟ ହୋଇପାରେ।ତା ବାଦ ବିନା ହେଲମେଟରେ , ଅନାବଶ୍ୟକ ଗତିରେ, ମୋବାଇଲ ରେ କଥା ହେବା ସମୟରେ ଓ ନାବାଳକ ମାନଙ୍କ ଦ୍ୱାରା ଗାଡି ଚାଳନା ସାଧାରଣ କଥାରେ ପରିଣତ ହେଇଗଲାଣି। ଏକଥା ସ୍ପଷ୍ଟ ଯେ ଯଦି ଦୁର୍ଘଟଣା ଘଟିବ ତେବେ ଟ୍ରାଫିକ ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କୁ କିଛି ଘଟଣାରେ ଦାୟୀ କରାଯିବାର ସମ୍ଭାବନା ଯଥେଷ୍ଟ ରହିଛି ଓ ପୋଲିସ କିମ୍ବା ଓ ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କଡାକଡି କରାଗଲେ ସେମାନେ ଜୁଲମ କରୁଛନ୍ତି ବୋଲି କୁହାଯିବ। କିନ୍ତୁ ମୋଟର ଯାନ ଚାଳକ ମାନେ ଟ୍ରାଫିକ ନିୟମ ର ଅନୁକରଣ କରିବା ଉଚିତ ଯାହା ସେମାନଙ୍କ ହିତରେ ମଧ୍ୟ। ଆଉ ମଧ୍ୟ ଯାଞ୍ଚ ସମୟରେ କିଛି କର୍ମଚାରୀଙ୍କ ନକରାତ୍ମକ ବ୍ୟବହାର ପାଇଁ ପୁରା ଯାଞ୍ଚ ଦଳ ବଦନାମ ହେବାର ଦେଖାଯାଏ, ତେଣୁ ଯାଞ୍ଚ ସମୟରେ ଯାଞ୍ଚ କରୁଥିବା କର୍ମଚାରୀ ମାନେ ମଧ୍ୟ ସେମାନଙ୍କ ବ୍ୟବହାର ପାଇଁ ଯତ୍ନବାନ ହେବା ନିହାତି ଭାବେ ଆବଶ୍ୟକ।