ପେଟରେ ତତଲା ଢାଳ ଦେଇ ଚିକିତ୍ସା ପଡିଲା ମହଙ୍ଗା । ଗୁରୁତର ହୋଇ ମହିଳା ଜଣଙ୍କ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେଲେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ସାନଦାଦର ଗାଁରେ । ମିଳିଥିବା ସୂଚନା ଅନୁସାରେ ସାନଦାଦର ଗାଁର ଝିଲ୍ଲୀ ନାଏକଙ୍କ ପେଟ କାଟୁଥିଲା । ଏଥିପାଇଁ ସେ ଘରୋଇ ଚିକିତ୍ସା କରିଥିଲେ । ଗାଁ ନିକଟ ଜଣେ ଘରୋଇ ବଇଦକୁ ଡାକି ଚିକିତ୍ସା କରାଇଥିଲେ । ବଇଦ ଜଣଙ୍କ ମହିଳାଙ୍କ ପେଟରେ ଢାଳ ଚିକିତ୍ସା କରିଥିଲେ । ପେଟରେ ଏକ ଦ୍ଵିପ ଜାଳି ତା ଉପରେ ଢାଳ ଘୋଡାଇ ଚିକିତ୍ସା କରା ଯାଇଥିଲା । ତେବେ କୌଣସି କାରଣରୁ ଦ୍ଵିପଟିର ନିଆଁ ପେଟରେ ଲାଗିଯିବା ସହ ଢାଳଟି ଆଉ ବାହାରି ନଥିଲା । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇ ଯାଇଥିଲେ । ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ଏଠାରେ ଡାକ୍ତର ଢାଳଟି ଭାଙ୍ଗି ବାହାର କରିବା ସହ ମହିଳାଙ୍କ ଚିକିତ୍ସା କରିଛନ୍ତି । ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ଥିବା ଜଣା ପଡିଛି ।