ପ୍ରଧାନମନ୍ତ୍ରୀ ujawala ବା ଉଜ୍ବଳା ଯୋଜନା ୧.୦ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୧ ମଇ ୨୦୧୬ ରେ ଉତ୍ତରପ୍ରଦେଶର ବାଲିଆ ରୁ ଆରମ୍ଭ କରାଯାଇଥିଲା।ପ୍ରାରମ୍ଭରେ ଏହାର ଉଦ୍ଦେଶ୍ୟ ଥିଲା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରର ୧୮ ବର୍ଷରୁ ଉର୍ଦ୍ଧ୍ବ ୫ କୋଟି ମହିଳାଙ୍କୁ ମାଗଣାରେ ଏଲପିଜି ଗ୍ୟାସ କନେକ୍ସନ ବା ସଂଯୋଗ କରିବା ଯାହାକୁ ପରେ ବଢ଼ାଇ ୮ କୋଟି କରାଯାଇଥିଲା।ଏଥିପାଇଁ କେନ୍ଦ୍ରୀୟ ବଜେଟରେ ୮୦ ବିଲିଅନ ଟଙ୍କାର ପ୍ରାବଧାନ କରାଯାଇଥିଲା।
୧୦ ଅଗଷ୍ଟ ୨୦୨୧ ରେ ଉଜ୍ବଳା ୨.୦ ସେହି ଉତ୍ତରପ୍ରଦେଶର ମହୋବା ରୁ ଲଞ୍ଚ କରାଗଲା।ତଥ୍ୟ ଅନୁଯାୟୀ ୨୮ ଜାନୁଆରୀ ୨୦୨୨ ସୁଦ୍ଧା ଉପରୋକ୍ତ ଯୋଜନାରେ ସମୁଦାୟ ୮୯,୮୬୪,୬୪୫ ଗ୍ୟାସ କନେକ୍ସନ ଦିଆଯାଇଛି, ତା ମଧ୍ୟରୁ ଉଜ୍ବଳା ୨.୦ ରେ ସମୁଦାୟ ୯,୯୧୪,୩୦୨ କନେକ୍ସନ ଦିଆଯାଇଛି।
କୁହାଯାଇଥିଲା ଯେ ଏହି ଯୋଜନା ଦ୍ୱାରା ମହିଳା ମାନେ ରୋଷେଇ ସମୟରେ ହେଉଥିବା ଧୂଆଁ ରୁ ମୁକ୍ତି ପାଇବା ସହ ତାଙ୍କ ପରିବାର କୁ ହେଉଥିବା ରୋଗରୁ ମଧ୍ୟ ଅନେକାଂଶରେ ମୁକ୍ତି ପାଇବେ।
ଏହି ଯୋଜନା ବିଜେପି ଦଳକୁ ଅନେକ ସମୟରେ ନିର୍ବାଚନ ଗୁଡିକରେ ମଧ୍ୟ ସହାୟତା କରି ଆସିଛି। କିନ୍ତୁ ହୋଇଥିବା ସର୍ଭେ ଅନୁଯାୟୀ ଯୋଜନାର ଅତି ମାତ୍ରାରେ ସଫଳତା ପରେ ବି ବହୁତ କମ ପରିବାର ଗ୍ୟାସ କୁ ଲଗାତାର ବ୍ୟବହାର କରୁଛନ୍ତି।ଗ୍ୟାସ ବା କ୍ଲିନ କୁକିଙ୍ଗ ଫୁଏଲ ର ବ୍ୟବହାର ବିଗତ ପାଞ୍ଚ ବର୍ଷରେ କେବଳ ପ୍ରାୟ ୨୦% ବଢିଛି।
ଉଜ୍ବଳା କନେକ୍ସନ ନେଇଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଥର ଭଳି ଗ୍ୟାସ ବ୍ୟବହାର ପାଇଁ ଉତ୍ସାହ ଦେଖିବାକୁ ମିଳୁନାହିଁ। ବିଶେଷଜ୍ଞ ମାନଙ୍କ କହିବା ହେଲା ଏହି ଯୋଜନା ସରକାରଙ୍କ ଏକ ଧଳା ହାତୀ।
ମହିଳାଙ୍କୁ ମାଗଣାରେ ଗ୍ୟାସ ଯୋଗାଇବା ଗୋଟେ କଥା ଏବଂ ସେମାନେ ତାକୁ ବ୍ୟବହାର କରିବା ସମ୍ପୂର୍ଣ୍ଣ ଭିନ୍ନ କଥା।କାରଣ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାର ନିଜେ ଚଳିବାକୁ ଅସୁବିଧା ଭୋଗୁଥିବା ବେଳେ ଏତେ ପରିମାଣର ଟଙ୍କା ଦେଇ ଗ୍ୟାସ ହଣ୍ଡା ଭର୍ତ୍ତି କରାଇ ପୁନଃ ବ୍ୟବହାର କରିବା ଏକ କଷ୍ଟକର ବ୍ୟାପାର।ସେଥିପାଇଁ କେବଳ ମାଗଣା ଗ୍ୟାସ ଯୋଗାଇ ବସି ନ ପଡି ଏହି ଯୋଜନାକୁ ପୂର୍ଣମାତ୍ରାରେ ସଫଳ କରିବା ପାଇଁ କେନ୍ଦ୍ର ସରକାରଙ୍କୁ କେମିତି ସେହି ପରିବାର ମାନେ ଲଗାତାର ଭାବେ ତାକୁ ବ୍ୟବହାର କରିପାରିବେ ସେହି ଦିଗକୁ ଦୃଷ୍ଟି ଦେବାର ଆବଶ୍ୟକ ରହିଛି।ନଚେତ ପ୍ରାରମ୍ଭରେ ବ୍ୟାପକ ସଫଳତା ସତ୍ୱେ ଏହି ଯୋଜନା ଏକ ବିଫଳ ଯୋଜନା ଭାବେ ପରିଗଣିତ ହେବ।