ମହାରାଷ୍ଟ୍ରରେ ଉଦ୍ଧବ ସରକାର ଏବେ ଅଡୁଆରେ ପଡିଛନ୍ତି । ବିଧାୟକଦଳ ନେତା ଏକନାଥ ସିନ୍ଦେ କିଛି ବିଧାୟକଙ୍କୁ ନେଇ ସୁରଟର ଏକ ହୋଟେଲରେ ରଖିଥିବା ଖବର ପ୍ରଚାର ହେବା ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ଶିବସେନା ନେତା ସଂଜୟ ରାୱତ କହିଛନ୍ତି କି ସେ ଏକନାଥ ସିନ୍ଦେଙ୍କ ସହ କଥା ହୋଇଛନ୍ତି । ଏହାସହ ବିଧାୟକମାନଙ୍କ ବିଦ୍ରୋହ ପଛରେ ବିଜେପିର ହାତ ଥିବା କଥା ସେ ଅଭିଯୋଗ କରିଛନ୍ତି । ସଂଜୟ ରାୱତ କହିଛନ୍ତି କି ଇଡିର କାର୍ଯ୍ୟାନୁଷ୍ଠାନ ଭୟରେ ଏଭଳି ବିଦ୍ରୋହ କରିଛନ୍ତି ସିନ୍ଦେ । ଅନ୍ୟପଟେ କିଛି ବିଧାୟକଙ୍କୁ ଜୋର ଜବରଦସ୍ତ ଅପହରଣ କରାଯାଇଥିବା କଥା ରାୱତ ଗଣମାଧ୍ୟମକୁ କହିଛନ୍ତି ।
ଅନ୍ୟପଟେ ଯଦି ସିନ୍ଦେଙ୍କ ସହ ଯାଇଥିବା ବିଧାୟକମାନେ ଇସ୍ତଫା ଦିଅନ୍ତି ତେବେ ଶିବସେନା ବିଜେପି ସହ ମେଣ୍ଟ ସରକାର କରିବ କି ବୋଲି ପ୍ରଶ୍ନର ଉତ୍ତର ଦେଇ ରାୱତ କହିଛନ୍ତି କି, ବିଜେପି ଶିବସେନାକୁ ୧୦ ଥର ଅପମାନିତ କରିଥିବାରୁ ବିଜେପି ସହ ସରକାର କରିବାର ପ୍ରଶ୍ନ ଉଠୁନାହିଁ ।
କେବଳ ସେତିକି ନୁହେଁ ସିନ୍ଦେଙ୍କ ସହ ଯାଇଥିବା ମନ୍ତ୍ରୀମାନଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂଜୟ ରାୱତ କହିଛନ୍ତି । ସେ କହିଛନ୍ତି କି ତୁରନ୍ତ ସେମାନଙ୍କୁ ମନ୍ତ୍ରୀପଦରୁ ହଟାଇ ଦିଆଯିବ । ଅନ୍ୟପଟେ ସିନ୍ଦେଙ୍କୁ ବୁଝାଇବାକୁ ପ୍ରୟାସ ଚାଲିଥିବା କଥା ସେ କହିଛନ୍ତି । ଏହାସହ ସେ କହିଛନ୍ତି କି ସିନ୍ଦେଙ୍କ ସହ ୨୭ ନୁହେଁ ବରଂ ୧୭ ଜଣ ବିଧାୟକ ହୋଟେଲରେ ରହିଛନ୍ତି ।