Webportal

ଏଚଡିଫସି ବ୍ୟାଙ୍କ ଜାଲିଆତି: ସନ୍ଦେହ ଘେରରେ ତତ୍କାଳୀନ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ; କିନ୍ତୁ ଜାଲରେ ପଡିଲେ କେବଳ ବ୍ୟାଙ୍କ ଅଧିକାରୀ

sanitry
0 176

ପାଠକବନ୍ଧୁ ଟିକିଏ ପଛକୁ ଫେରିଯିବା। ୨୦୧୯ ସେପ୍ଟେମ୍ବର ମାସରେ ଅନୁଗୁଳ ସ୍ଥିତ ଏଚଡିଫସି ବ୍ୟାଙ୍କରୁ ଜିଲ୍ଲାପାଳଙ୍କ ଦସ୍ତଖତ ଜାଲିଆତି କରି ପ୍ରାୟ ଷାଠିଏ ଲକ୍ଷ ଟଙ୍କା ଉଠାଯାଇଥିବା ଵିଷୟ ସାମନାକୁ ଆସିଥିଲା। ସେତେବେଳେ ଏହି ଜାଲିଆତି ଓ ଠକାମୀର ଚେର ଅନୁଗୁଳ ର ଜଣେ ପୂର୍ବତନ ଜିଲ୍ଲାପାଳ ଓ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀ ଠାରୁ ଏଚଡିଏଫସି ବ୍ୟାଙ୍କର ଅଧିକାରୀ ମାନଙ୍କ ପର୍ଯ୍ୟନ୍ତ ଲମ୍ବିଥିବା ପାରିପାର୍ଶ୍ବିକ ପରିସ୍ଥିତିରୁ ସନ୍ଦେହ ସୃଷ୍ଟି କରିଥିଲା।

ମାମଲା ସାମନାକୁ ଆସିବାର ଦୁଇଦିନ ମଧ୍ୟରେ ଅଜଣା ଲୋକ ଦ୍ୱାରା ସେହି ସମାନ ବ୍ୟାଙ୍କ ଆକାଉଣ୍ଟ କୁ ଜମା କରି ଟଙ୍କା ଫେରା ଦିଆଯାଇଥିଲା।ଏଚଡ଼ିଏଫସି ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଶକ୍ତିବେଦାନ୍ତ ଦାସଙ୍କୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ ମଧ୍ୟ କରିଥିଲା।କିନ୍ତୁ ସେତେବେଳେ ଗିରଫ ଶ୍ରୀ ଦାସ ଯଦି ଦୋଷୀ ସେ ନିଶ୍ଚୟ ଯେ ଉକ୍ତ ଅଧିକାରୀଙ୍କ ଚାପରେ ଉକ୍ତ ଜାଲିଆତିରେ ସାଥ ଦେଇଥିବେ ଏଥିରେ କିଛି ସନ୍ଦେହ ନାହିଁ।ଚାପ ହେଲା ମୋଟାଅଙ୍କର ଟଙ୍କା ଜିଲ୍ଲା ପ୍ରଶାସନ ଦ୍ୱାରା ଜମା ଆକାରରେ ସେହି ବ୍ୟାଙ୍କରେ ରଖିବା ଦ୍ୱାରା ବ୍ୟାଙ୍କ ଓ ଅଧିକାରୀ ଉଭୟ ନିଜସ୍ୱ ବାଟରେ ଲାଭବାନ ହେବା।

ଉକ୍ତ ଟଙ୍କା ୨୦୧୭-୧୮ ମଧ୍ୟରେ ଆଠଥରରେ ଉଠାଯାଇଥିବା କଥା ଜଣାପଡ଼ିଥିଲା, ଯେତେବେଳେ ସେପ୍ଟେମ୍ବର ୧୧ ତାରିଖ ୨୦୧୯ ରେ ଜଣେ ଡେପୁଟି କଲେକ୍ଟରଙ୍କ ଦ୍ଵାରା ଦିଆଯାଇଥିବା ଏତଲାରେ ଏହା ଦର୍ଶା ଯାଇଥିଲା।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ସେତେବେଳେ ଗଣମାଧ୍ୟମରେ ଦିଆ ଯାଇଥିବା ବକ୍ତବ୍ୟରେ କହିଥିଲେ ଯେ ପୋଲିସ ଠକାମୀର ଚେର ପର୍ଯ୍ୟନ୍ତ ପହଞ୍ଚିବ।

ମଧୁଚନ୍ଦ୍ରିକା ଥିବା ପାଇଁ ଜାଲିଆତି ହୋଇଥିବା ସମୟରେ ଉକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟକାଳରେ ହୋଇଥିବା ଅଡିଟରେ ଠକାମୀ କଥା ସାମ୍ନାକୁ ଆସି ନ ଥିଲା।କିନ୍ତୁ ତାଙ୍କ ପରେ ଆସିଥିବା ଜିଲ୍ଲାପାଳ ମନୋଜ ମହାନ୍ତି ଏହା ସାମ୍ନାକୁ ଆଣିଥିଲେ।

ମୁଖ୍ୟ ଅଭିଯୁକ୍ତ ଶକ୍ତିଙ୍କ ବାପା ସେତେବେଳେ ସିଧାସଳଖ ପ୍ରାକ୍ତନ ଜିଲ୍ଲାପାଳ ଅନିଲ ସାମଲ ମୁଖ୍ୟ ଅପରାଧୀ ଓ ତାଙ୍କ ପୁଅକୁ ଫସାଯାଉଛି ବୋଲି କହିଥିଲେ।

ଏବେ ଏକ ଗୂଢ କଥା ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯାହା ଜଣାପଡ଼ୁଛି ମୁଖ୍ୟ କାର୍ପେଟଦାର ହେଲେ ଅନୁଗୁଳ ଜିଲ୍ଲା ପ୍ରଶାସନର ସେହି ପ୍ରଶାସନିକ ଅଧିକାରୀ ମାନେ।କାରଣ ଉକ୍ତ ଜାଲିଆତିରେ ପୂର୍ଣମାତ୍ରାରେ ସେମାନଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ଥିବା କଥା ଜଣା ପଡୁଥିଲେ ମଧ୍ୟ ନିଜର ପ୍ରଭାବ ବଳରେ ନିଜ ନାଙ୍କୁ ଚପାଇବାରେ ସେମାନେ ସକ୍ଷମ ହୋଇଥିଲେ। ମିଳିଥିବା ଖବର ଅନୁଯାୟୀ ଗୁଡ଼ କଥାଟି ହେଲା ଉକ୍ତ ଜିଲ୍ଲାପାଳ ବଦଳି ହୋଇ ଜିଲ୍ଲାରୁ ଯିବା ପରେ ରହିଗଲେ ଅନ୍ୟ ଅଧିକାରୀ। ଯଦି ସେହି ଅଧିକାରୀ ନିର୍ଦୋଷ ତେବେ ମିଳିଥିବା ସୂଚନା ଅନୁଯାୟୀ ଜାଲିଆତି ରେ ଅଭିଯୁକ୍ତ ଏଚଡିଏଫସି ବ୍ୟାଙ୍କ ଓ ସେହି ବ୍ୟାଙ୍କର କର୍ମଚାରୀଙ୍କୁ ପୁନର୍ବାର କିପରି ଭରସା କରି ଜିଲ୍ଲା ପ୍ରଶାସନ ର ପ୍ରାୟ ୮୦ କୋଟିର ଧନରାଶି ଗତ ଏପ୍ରିଲ ମାସରେ ସେହି ବ୍ୟାଙ୍କରେ ଜମା କଲେ ତାହା ତଦନ୍ତର ବିଷୟ।

ଏଥିରୁ ସ୍ପଷ୍ଟ ବୁଝାପଡୁଛି ଯେ ତତ୍କାଳୀନ ଜିଲ୍ଲାପାଳ ବାଦ ଉକ୍ତ ଅଧିକାରୀ ମଧ୍ୟ ମୁଖ୍ୟ ଅପରାଧୀ ଯିଏକି ମନଇଚ୍ଛା ଜିଲ୍ଲା ପ୍ରଶାସନ ର ଟଙ୍କାକୁ ବ୍ୟାଙ୍କରୁ ଉଠାଇ ଖର୍ଚ୍ଚ କରୁଛନ୍ତି ଏବଂ ମୋଟା ଅଙ୍କର ଉତ୍କୋଚ ନେଇ ଜିଲ୍ଲା ପ୍ରଶାସନ ର ଟଙ୍କା ସେହି ସମାନ ବ୍ୟାଙ୍କରେ ମଧ୍ୟ ଜମା ରଖାଉଛନ୍ତି।

ପୋଲିସ କେବଳ ବ୍ୟାଙ୍କ କର୍ମଚାରୀଙ୍କୁ ଅପରାଧୀ ସାବ୍ୟସ୍ତ ପେସ କଲେ ଏବଂ ସେମାନଙ୍କ ବିରୁଦ୍ଧରେ ମାମଲା ଏବେ ଅଦାଲତରେ ବିଚାରାଧୀନ ଅଛି। କିନ୍ତ୍ ଜାଲିଆତି ସମୟରେ ସନ୍ଦେହ ଘେରରେ ଥିବା ଜିଲ୍ଲାପାଳ ଓ ତାଙ୍କ ସହଯୋଗୀ ଅଧିକାରୀଙ୍କ ବିରୁଦ୍ଧରେ ପୋଲିସ ର ତଦନ୍ତ ରେ କିପରି କିଛି ପ୍ରମାଣ ପାଇଲା ନାହିଁ ତାହା ଏବେ ବି ସନ୍ଦେହ ଘେରରେ ରହିଛି। ସେମାନଙ୍କ ବିରୁଦ୍ଧରେ ତଦନ୍ତର ଆବଶ୍ୟକତା ରହିଛି।

ଦୁର୍ଭାଗ୍ୟର କଥା ଯେ ଏ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ପାଇଁ ଆମେ ସେବେଠାରୁ ଏ ଯାଏଁ ଆରକ୍ଷୀ ଅଧିକ୍ଷକ ଭାବେ ଅବସ୍ଥାପିତ ଥିବା ଶ୍ରୀ ଜଗମୋହନ ମୀନାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରି ଅସଫଳ ହୋଇଥିଲୁ। ଏବେ ଦେଖିବାକୁ ରହିଲା ଯେ ସନ୍ଦେହ ଘେରରେ ଥିବା ସେହି ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ହେବ କିମ୍ବା ସେମାନେ ଏହିପରି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହିବା ଜାରି ରଖିବେ ଏବଂ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ।

Square Ad 1
Leave A Reply

Your email address will not be published.