Webportal

ଏନ୍‌ସିଆର୍‌ବିର ଭୟଙ୍କର ତଥ୍ୟ: ଓଡ଼ିଶାରେ ଦିନକୁ ୪ ହତ୍ୟା ଓ ସର୍ବାଧିକ ଚୋରି

sanitry
0 99

ବର୍ଷକରେ ରାଜ୍ୟରେ ୧୩୯୪ଜଣଙ୍କୁ ହତ୍ୟା କରାଯାଇଛି। ହାରାହାରି ହିସାବ କଲେ, ପ୍ରତି ୬ ଘଣ୍ଟାରେ ଜଣେ ଓ ଦିନରେ ୪ଜଣଙ୍କୁ ହତ୍ୟା କରାଯାଉଛି। ଜାତୀୟ ଅପରାଧ ନଥିସଂସ୍ଥା (ଏନ୍‌ସିଆର୍‌ସି) ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଓଡ଼ିଶାରେ ଅପରାଧର ଏଭଳି ଭୟଙ୍କର ଚିତ୍ର ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ରିପୋର୍ଟ ଅନୁଯାୟୀ, ଯୌତୁକ ଓ ପାରିବାରିକ କଳହ ଜନିତ ହତ୍ୟା କ୍ଷେତ୍ରରେ ଓଡ଼ିଶା ଦେଶରେ ଶୀର୍ଷ ସ୍ଥାନରେ ରହି ଅପବାଦ ମୁଣ୍ଡାଇଛି। ଯୌତୁକ ପାଇଁ ରାଜ୍ୟରେ ୨୭୫ଜଣଙ୍କୁ ଓ ପାରିବାରିକ ବିବାଦ ଯୋଗୁଁ ୫୩୫ଜଣ ହତ୍ୟାର ଶିକାର ହୋଇଛନ୍ତି। ଏଥିରେ ମୋଟ ୮୧୦ଜଣଙ୍କ ଜୀବନ ଯାଇଛି, ଯାହାକି ରାଜ୍ୟରେ ମୋଟ ହତ୍ୟାର ୧୭୨%। ସେହିପରି ରାଜ୍ୟରେ ସର୍ବାଧିକ ହତ୍ୟାକାଣ୍ଡର ଶିକାର ହେଉଛନ୍ତି ଯୁବପିଢ଼ି। ୧୮ରୁ ୩୦ ବର୍ଷ ମଧ୍ୟରେ ୧୦୩୮ଜଣ ଯୁବକ ଯୁବତୀଙ୍କୁ ହତ୍ୟା କରାଯାଇଛି। ଯେଉଁଥିରେ ୫୬୫ଜଣ ଯୁବକ ଏବଂ ୪୭୩ଜଣ ଯୁବତୀ ରହିଛନ୍ତି। ଏହା ମୋଟ ହତ୍ୟାର ୧୩୫ ପ୍ରତିଶତ। ବିସ୍ମୟକର କଥା ଯେ ହତ୍ୟା ମାମଲାରେ ଠିକ୍‌ ସମୟରେ ଚାର୍ଜସିଟ୍‌ ଦାଖଲ କରାଯାଉନାହିଁ। ମାତ୍ର ୮୧.୧% ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏହା ଅନ୍ୟରାଜ୍ୟ ତୁଳନାରେ ଅତ୍ୟନ୍ତ ନୈରାଶ୍ୟଜନକ। ତାମିଲ୍‌ନାଡ଼ୁରେ ସର୍ବାଧିକ ୯୬.୬%ମାମଲାରେ ଚାର୍ଜସିଟ୍‌ ଦାଖଲ କରାଯାଉଥିବା ବ‌େଳେ ଓଡ଼ିଶା ଏହି କ୍ରମରେ ୧୯ତମ ସ୍ଥାନରେ ରହିଛି। ଏପରିକି ହାରାହାରି ହାର ୮୩.୬%ଠାରୁ ବି ପଛରେ ରହିଛି। ଫଳରେ ଅପରାଧୀ ଖସିଯିବାର ସୁଯୋଗ ସୃଷ୍ଟି ହେଉଛି।

ଓଡ଼ିଶାରେ ସର୍ବାଧିକ ଚୋରି
ସାରା ଭାରତରେ ସର୍ବାଧିକ ଚୋରି ଓଡ଼ିଶାରେ ହୋଇଛି। ୨୦୨୧ ଏନ୍‌ସିଆର୍‌ବି ରିପୋର୍ଟରୁ ଏଭଳି ସାଂଘାତିକ ତଥ୍ୟ ପଦାକୁ ଆସିଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୧ରେ ଓଡ଼ିଶାରୁ ୮୪୭.୫କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ମହାରାଷ୍ଟ୍ରଠୁ ଆରମ୍ଭ କରି ମଧ୍ୟପ୍ରଦେଶ, ହରିୟାଣା, ଗୁଜରାଟ, ଉତ୍ତରପ୍ରଦେଶ ଭଳି ଜନସଂଖ୍ୟା ବହୁଳ ରାଜ୍ୟକୁ ବି ଓଡ଼ିଶା ଏଥର ଚୋରିରେ ଟପିଛି। ତେବେ ଯେତିକି ପରିମାଣରେ ଚୋରି ହୋଇଛି ତା’ର ମାତ୍ର ୫ପ୍ରତିଶତ ଅର୍ଥାତ୍ ୪୩.୧କୋଟି ଟଙ୍କା ଓଡ଼ିଶା ପୁଲିସ ଉଦ୍ଧାର କରିବାରେ ସକ୍ଷମ ହୋଇଛି।

୨୦୧୬ରୁ ୨୦୨୦ ମଧ୍ୟରେ ଅର୍ଥାତ୍ ୫ବର୍ଷରେ ଯେତିକି ଟଙ୍କାର ସମ୍ପତ୍ତି ଚୋରି ହୋଇଥିଲା, ତା’ଠୁ ପ୍ରାୟ ୨୧୫କୋଟି ଟଙ୍କାର ଅଧିକ ସମ୍ପତ୍ତି କେବଳ ୨୦୨୧ ଚୋରି ହୋଇଛି। ପ୍ରଥମ ଥର ପାଇଁ ଚୋରି ସମ୍ପତ୍ତି ଉଦ୍ଧାର କ୍ଷେତ୍ରରେ ଶେଷ ସ୍ଥାନରେ ରହିଥିବା ଓଡ଼ିଶା ୨୦୧୯ରେ ୧୪ତମ ସ୍ଥାନରେ ରହିଥିବା ବେଳେ ୨୦୨୦ରେ ୧୭ତମ ସ୍ଥାନରେ ରହିଥିଲା। ଚୋରି ସମ୍ପତ୍ତି ଉଦ୍ଧାରରେ ଉତ୍ତରାଖଣ୍ଡ ୬୮.୭ପ୍ରତିଶତ ସହିତ ତାଲିକାର ଶୀର୍ଷରେ ରହିଛି।

୨୦୨୧ ଏନ୍‌ସିଆର୍‌ବି ରିପୋର୍ଟରୁ ଜଣାପଡ଼ିଛି ଯେ ଓଡ଼ିଶାରେ ଅବିଶ୍ବସନୀୟ ଭାବେ ଚୋରି ବଢ଼ିଛି। ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୧ ଦେଶରେ ଥିବା ୮ କେନ୍ଦ୍ରଶାସିତ ଅଞ୍ଚଳରେ ଯେତିକି ଚୋରି ହୋଇଛି, ତା’ଠୁ ୭୦କୋଟି ଟଙ୍କା ଅଧିକ ଚୋରି ହୋଇଛି ଓଡ଼ିଶାରେ। ଦିଲ୍ଲୀ, ଜମ୍ମୁ ଓ କାଶ୍ମୀର, ଲଦାଖ, ଲାକ୍ଷାଦ୍ବୀପ, ପୁଡୁଚେରୀ, ଦାଦ୍ରା ନଗର ହାବେଳି ଏବଂ ଡାମନ ଡିୟୁ, ଆଣ୍ଡାମାନ ନିକୋବର ଓ ଚଣ୍ଡୀଗଡ଼ରୁ ମୋଟ ୭୭୭.୯ କୋଟି ଟଙ୍କା ଚୋରି ହୋଇଥିବା ବେଳେ ୧୦୨.୮କୋଟି ଟଙ୍କା ଉଦ୍ଧାର କରାଯାଇଛି।

Square Ad 1
Leave A Reply

Your email address will not be published.