ପୁଣି ଜନନୀ ଯନ୍ତ୍ରଣା। ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗର୍ଭବତୀ। ଡାକ୍ତରଖାନା ଯିବା ରାସ୍ତାରେ ପ୍ରସବ କଲେ ଗର୍ଭବତୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ମାତ୍ର ୪ କି.ମି.ଭିତରେ ଥିବା ଖମୁଡ଼ିହା ଗ୍ରାମର ପୁରୁଣାପାଣି ସାହିରେ ଏଭଳି ଘଟଣା ଘଟିଛି।
ସୂଚନାନୁଯାୟୀ, ପୁରୁଣାପାଣି ସାହିର ବିଜୟ ମୁଣ୍ଡୁରୀଙ୍କ ସ୍ତ୍ରୀ ନମିତା ମୁଣ୍ଡୁରୀଙ୍କର ଗତକାଲି ଦିନ ୧ଟା ବେଳେ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ମାତ୍ର ଗାଁକୁ ଗାଡି ଯିବାର ସୁବିଧା ନଥିବାରୁ ଖଟିଆରେ ବୁହାହୋଇ ଡାକ୍ତରଖାନା ଆଣିବାକୁ ସନ୍ଧ୍ୟା ହୋଇଯାଇଥିଲା। ବିଜୟ ବାହାର ରାଜ୍ୟକୁ ଶ୍ରମିକ ଭାବରେ କାମ କରିବାକୁ ଯାଇଥିବାରୁ ତାଙ୍କ ଅନୁପସ୍ଥିତିରେ ଗ୍ରାମବାସୀମାନେ ନମିତାଙ୍କୁ ଖଟିଆରେ ପାଖାପାଖି ୧ କି.ମି. ବୋହି ଆଣି ୧୦୨ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ମାତ୍ର ସେତେବେଳକୁ ଅନେକ ବିଳମ୍ବ ଘଟିଥିବାରୁ ନମିତା ରାସ୍ତାରେ ପ୍ରସବ କରିଥିଲେ l ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଶିଶୁର ଓଜନ କମ୍ ଥିବାରୁ ତୁରନ୍ତ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l ଏବେ ଶିଶୁ ଏବଂ ମାଆ ଦୁହେଁ ସୁସ୍ଥ ଥିବା ଜଣା ପଡ଼ିଛି ।