ଗତ ୩୩ ବର୍ଷ ଅର୍ଥାତ୍ ୧୯୮୯ରୁ ୨୦୨୨ମସିହା ଭିତରେ ବିଷାକ୍ତ ମଦ ପିଇ ରାଜ୍ୟରେ ୩୩୩ ଜଣଙ୍କ ମୃତ୍ୟୁ ହୋଇଛି। ତନ୍ମଧ୍ୟରୁ କଟକ ଜିଲ୍ଲାରେ ସର୍ବାଧିକ ୨୧୨ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ, ଏ ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ସ୍ବତନ୍ତ୍ର ଅବକାରୀ କୋର୍ଟ ଖୋଲିବା ପାଇଁ ଯେଉଁ ଯୋଜନା ଥିଲା, ତାହା ମଧ୍ୟ ହୋଇପାରିନାହିଁ। ମଦ ମୃତ୍ୟୁ ରୋକିବାକୁ ଜଷ୍ଟିସ ଏ.ଏସ ନାଇଡ଼ୁ କମିସନଙ୍କ ସୁପାରିସ ମଧ୍ୟ କାର୍ଯ୍ୟକାରୀ କରାଯାଇନାହିଁ। ଫଳରେ, ମଦମୃତ୍ୟୁ ରୋକିବା ଦିଗରେ ସରକାରଙ୍କ ପଦକ୍ଷେପ ଉପରେ ପ୍ରଶ୍ନଚିହ୍ନ ଲାଗିଛି।
୨୦୧୩ ଏପ୍ରିଲ ୬ରେ କମିସନ ଦାଖଲ କରିଥିବା ରିପୋର୍ଟରେ ଅବକାରୀ ବିଭାଗର ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର କୋର୍ଟ ଖୋଲିବାକୁ ସୁପାରିସ କରିଥିଲେ। ଓଡ଼ିଶା ପୁଲିସରେ ବାର୍ଷିକ ଦୋଷୀ ସାବ୍ୟସ୍ତ ହାର ୧୧.୨ ଥିବା ବେଳେ ଅବକାରୀ ବିଭାଗରେ ବାର୍ଷିକ ହାରାହାରି ୨ରୁ ୩ ପ୍ରତିଶତ ରହୁଛି। ଏଥିପାଇଁ ସ୍ବତନ୍ତ୍ର ଅବକାରୀ କୋର୍ଟ ସୁପାରିସ ରହିଥିଲା। ୨୦୧୭ ଏପ୍ରିଲ ୧ ତାରିଖରେ ଲାଗୁ ହୋଇଥିବା ନୂଆ ଅବକାରୀ ଆଇନରେ ବି ସ୍ବତନ୍ତ୍ର କୋର୍ଟ ସମ୍ପର୍କରେ ଦର୍ଶାଯାଇଥିଲା। ଏବେ ଅବକାରୀ ମାମଲାର ତ୍ବରିତ ଶୁଣାଣି ହୋଇପାରୁ ନଥିବାରୁ ଦୋଷୀ ସାବ୍ୟସ୍ତ ହାର ପୁଲିସ ଓ ଭିଜିଲାନ୍ସଠୁ ବି ସଂଗିନ ସ୍ଥିତିରେ ରହିଛି।
ଅବକାରୀ, ପୁଲିସ ଓ ଡ୍ରଗ୍ସର ମିଳିତ ବିଫଳତା ପାଇଁ ୨୦୧୨ ମଦ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଥିଲା। ତେଣୁ, ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମଲ୍ଟି ଡିସିପ୍ଲିନାରି କମିଟି(ଏମଡିସି) ଗଠନ କରିବାକୁ ସୁପାରିସ କରାଯାଇଥିଲା। ଏଥିରେ ଅବକାରୀ ବିଭାଗ, ଡ୍ରଗସ, ପୁଲିସ, ଜଙ୍ଗଲ ଓ ରାଜସ୍ବ ବିଭାଗକୁ ସଦସ୍ୟ ଭାବେ ରଖାଯାଇ ନିୟମିତ ବ୍ୟବଧାନରେ ବେଆଇନ ମଦ କାରବାର ରୋକିବାକୁ ମିଳିତ ପଦକ୍ଷେପ ପାଇଁ ସୁପାରିସ୍ ହୋଇଥିଲା। ଏହି କମିଟି ଜିଲ୍ଲା ସ୍ତରରେ ବାସ୍ତବ ରୂପ ନେଇପାରିଲା ନାହିଁ।
ସେହିଭଳି, ଶିଳ୍ପରେ ବ୍ୟବହୃତ ମିଥାଇଲ୍ ସ୍ପିରିଟ୍ କିଣିବିକାକୁ ଅଧିକ କଠୋର କରିବାକୁ ସୁପାରିସ୍ ହୋଇଥିଲା। ଏହି ସ୍ପିରିଟ୍ କେବଳ ରଙ୍ଗ ତିଆରି ଏବଂ ଶିଳ୍ପାଞ୍ଚଳରେ ବ୍ୟବହୃତ ହୁଏ। ଏ ପ୍ରକାର ସ୍ପିରିଟ୍ ବିକ୍ରି କରୁଥିବା ବ୍ୟବସାୟୀ ଯେଉଁ ଗ୍ରାହକଙ୍କୁ ଦେଉଛନ୍ତି, ତାହା ଶିଳ୍ପରେ ନା ମଦ ପ୍ରସ୍ତୁତରେ ବ୍ୟବହାର ହେଉଛି, ସେ ନେଇ ଅବକାରୀ ଥାନା ସୁନିଶ୍ଚିତ କରିବାକୁ ସୁପାରିସ ହୋଇଥିଲା। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଅବକାରୀ ବିଭାଗରେ ଏ ସମ୍ପର୍କରେ ସ୍ପଷ୍ଟ ସୂଚନା ନାହିଁ। ଯାଞ୍ଚ କଡ଼ାକଡ଼ି ହେଉ ନଥିବାରୁ ଗଳା ବାଟ ଦେଇ ମିଶାଇଲ୍ ଆଲକଲ୍ ମଦ ମାଫିଆଙ୍କ ନିକଟରେ ପହଞ୍ଚିବାରେ ଅଧିକ ସମସ୍ୟା ହେଉ ନଥିବା କୁହାଯାଉଛି।
ରାଜ୍ୟରେ ୨୦୨୦-୨୧ ବର୍ଷରେ ନକଲି ମଦ କାରବାର ମାମଲାରେ ୨୧ଟି ମାମଲାରେ ୨୨ ଗିରଫ ହୋଇଥିବା ବେଳେ ୫୪୨.୦୩୫ ଲିଟର ମଦ ଜବତ ହୋଇଥିଲା। ୨୦୨୧-୨୨ ବର୍ଷରେ ୯୮ଟି ମାମଲାରେ ୧୧୮ ଗିରଫ ହୋଇଥିବା ବେଳେ ୬୩୮୯.୨୧୫ ଲିଟର ନକଲି ମଦ ଜବତ ହୋଇଥିଲା। ଏବେ ନକଲି ମଦ କାରବାର ରାଜ୍ୟରେ କେଉଁ ସ୍ତରରେ ପହଞ୍ଚିଛି ଏହି ରିପୋର୍ଟ ହିଁ ସ୍ପଷ୍ଟ କରୁଛି। ସରକାରୀ ରିପୋର୍ଟ ବାଦ୍ ନକଲି ମଦ କାରବାର ସଂଖ୍ୟା ଢେର ଅଧିକ ରହିଥିବା କୁହାଯାଉଛି। ଏପରସ୍ଥଳେ, ମଦ ମୃତ୍ୟୁ ରୋକିବାକୁ ଜଷ୍ଟିସ୍ ଏ.ଏସ୍. ନାଇଡ଼ୁ କମିସନ ଯେଉଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଥିଲା, କାହିଁକି ଅଣଦେଖା କରାଯାଉଛି? ସାଧାରଣରେ ଏବେ ଏହିଭଳି ଏକ ପ୍ରଶ୍ନବାଚୀ ସୃଷ୍ଟିହୋଇଛି।
ଉଲ୍ଲେଖଯୋଗ୍ୟ ଯେ ୨୦୧୨, ଫେବ୍ରୁଆରି ୬ରୁ ୯ ତାରିଖ ଭିତରେ କଟକ ସଦର ବ୍ଲକର ବଡ଼ ଝରିଲୋ, ଓଲଟପୁର, ତୁହାଲ ପଡ଼ା, ବ୍ରାହ୍ମଣ ଝରିଲୋ ଓ ଖୋର୍ଧା ବାଲିଅନ୍ତା ବ୍ଲକର ରାମଚନ୍ଦ୍ରପୁର, ପରିବାସୁଦେବପୁର, ବିଞ୍ଝାରପୁର, ଗୋପାଳଗଡ଼ରେ ଇଟା ଭାଟିରେ କାମ କରୁଥିବା ୪୧ ଶ୍ରମିକ ମିଥାଇଲ୍ ଆଲକହଲ୍ (ଶିଳ୍ପ କାମରେ ବ୍ୟବହାର ହୁଏ) ମିଶ୍ରିତ ବିଷାକ୍ତ ମଦ ପିଇ ଆଖି ବୁଜିଥିଲେ। ଏଥିପାଇଁ ତତ୍କାଳୀନ ଅବକାରୀ ମନ୍ତ୍ରୀ ଏ ୟୁ ସିଂହଦେଓଙ୍କୁ ମନ୍ତ୍ରୀ ପଦ ହରାଇବା ସହିତ ଅବକାରୀ କମିସନର ସୁଦର୍ଶନ ନାୟକଙ୍କୁ ବଦଳି କରାଗଲା। ଏହି ଘଟଣାର ତଦନ୍ତ କରିଥିବା ଜଷ୍ଟିସ ଏ.ଏସ ନାଇଡ଼ୁ କମିସନଙ୍କ ରିପୋର୍ଟକୁ ଆଜିସୁଦ୍ଧା ସାର୍ବଜନୀନ କରାଯାଇ ନାହିଁ।