Webportal

ଛାତିଏ ପାଣିରେ ପଶି ନାଳ ଡେଇଁ ମଶାଣି ଗଲା ମୃତଦେହ

sanitry
0 89

ଛାତିଏ ପାଣି ବୋହୁଥିବା ନାଳାକୁ ଡେଇଁ ଶ୍ମଶାନ ଗଲା ଶବ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଗାଁ ଶ୍ମଶାନକୁ ରାସ୍ତା ନଥିବାରୁ ମୃତକଙ୍କ ଆତ୍ମୀୟ ସ୍ୱଜନ ୪-୫ଫୁଟ୍‌ ପାଣି ବୋହୁଥିବା ଏକ ନାଳ ପାର ହୋଇ ଶବକୁ ଶ୍ମଶାନକୁ ନେଇଥିଲେ । ନାଳ ଆର ପାଶ୍ୱର୍ରେ ଥିବା ଶ୍ମଶାନରେ ସତ୍କାର କରିଥିଲେ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ବେହେରାଗୁଡ଼ା ଗାଁରେ ଉଛୁଳା ନାଳ ପାର କରି ଶବକୁ ଶ୍ମଶାନ ପହଞ୍ଚାଇବାର ଏହି କରୁଣ ଚିତ୍ର ଯିଏ ବି ଦେଖୁଛି ବିଚଳିତ ହୋଇ ପଡ଼ୁଛି ।

ସୂଚନାମତେ, ଏହି ଗାଁର ସନ୍ତ ରଣା ନାମକ ବ୍ୟକ୍ତି ଦୀର୍ଘ ଦିନଧରି ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲେ । ଆଜି ତାଙ୍କର ମୃତ୍ୟୁ ପରେ ପରିବାର ଓ ବନ୍ଧୁବାନ୍ଧବ ଶବକୁ ଶ୍ମଶାନକୁ ନେଇଥିଲେ । ଶ୍ମଶାନକୁ ରାସ୍ତା ନଥିବା ବେଳେ ମଝିରେ ଏକ ନାଳ ମଧ୍ୟ ସେମାନଙ୍କ ବାଟ ଓଗାଳି ବସିଥିଲା । ଗତ ୬ତାରିଖରୁ ଲାଗି ରହିଥିବା ଲଗାଣ ବର୍ଷାରେ ଉକ୍ତ ନାଳରେ ପ୍ରାୟ ୫ଫୁଟ ଗଭୀର ପାଣି ବୋହୁଥିବା ବେଳେ ଶ୍ମଶାନକୁ ଯିବା ପାଇଁ ଅନ୍ୟ ରାସ୍ତା ନାହିଁ । ଫଳରେ ବାଧ୍ୟ ହୋଇ ପରିବାର ଲୋକେ ଛାତିଏ ପାଣିକୁ ପଶି ନାଳକୁ ଅତିକ୍ରମ କରି ଶବଟିକୁ ଶ୍ମଶାନ ଭୂମିକୁ ବୋହି ନେଇଥିଲେ । ଜନ୍ମରୁ ଜୁଇ ଯାଏ ସରକାର ଯୋଜନା କରିଥିବା ଦାବି କରୁଥିବାବେଳେ ରାସ୍ତା ଅଭାବରୁ ଶବକୁ ଆଜି ଛାତିଏ ପାଣିରେ ବୋହିନେବା ଘଟଣା ସରକାରୀ ଯୋଜନାର କାର୍ଯ୍ୟକାରୀ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସରକାରୀ ଯୋଜନା କାହା ପାଇଁ ବୋଲି ବେହେରାଗୁଡ଼ା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବେହେରାଗୁଡ଼ା ନାଳରେ ବ୍ରିଜ୍‌ କରାଯାଇ ରାସ୍ତା ନିର୍ମାଣ କରାଯିବାକୁ ଦୀର୍ଘ ବର୍ଷରୁ ଦାବି ହୋଇଆସୁଛି । ହେଲେ କେହି କର୍ଣ୍ଣପାତ କରୁ ନଥିବା ଗାଁଲୋକେ ଅଭିଯେଳଗ କରିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ଘଟଣାର ତଦନ୍ତ କରି ନାଳରେ ଏକ ବ୍ରିଜ ନିର୍ମାଣ କରିବାକୁ ଗ୍ରାମବାସୀଙ୍କ ଦାବି ହେଉଛି ।

Square Ad 1
Leave A Reply

Your email address will not be published.