କେରଳର ତିରୁବନନ୍ତପୁରମ ନନ୍ଥନକୋଡ ଅଞ୍ଚଳରେ ରହୁଥିଲେ ରିଟାୟର୍ଡ ପ୍ରଫେସର ଏ ରାଜା ଥଙ୍କମ । ପତ୍ନୀ ଚୀନ୍ ପଦ୍ମା ମଧ୍ୟ ଜଣେ ଡାକ୍ତର, ପୁଅ କେଡଲ ଜିନସନ୍ ରାଜା ଓ ଝିଅ କୋରୋଲିନ୍ ଦୁହେଁ ଡାକ୍ତରୀ ଛାତ୍ର । ସେମାନଙ୍କ ସହ ରହୁଥିଲେ ଜଣେ ସମ୍ପର୍କୀୟା ।
ପ୍ରଥମେ ଝିଅ ଓ ତା ପରେ ପୁଅକୁ ଡାକ୍ତରୀ ପଢିବାକୁ ଅଷ୍ଟ୍ରେଲିଆ ପଠାଇଲେ ବାପା । ଝିଅର ପଢା ଶେଷ ପରେ ପୁଅ କେଡଲ୍ ଡାକ୍ତରୀ ପଢିବାକୁ ଗଲା।ସେଠାରେ ସ୍କ୍ରିଜୋଫେନିଆ ମାନସିକ ରୋଗରେ ଆକ୍ରାନ୍ତ ହେଲା । ଡାକ୍ତରୀ ପଢା ଭିତରେ ତା ମନକୁ ଆସିଲା ଆତ୍ମା କିଭଳି ଜାଣିବାକୁ । ଏହି ଇଚ୍ଛା ତାକୁ ଯେପରି ପାଗଳ ପରି କରିଦେଇଥିଲା । ବିଦେଶରେ ଡାକ୍ତରୀ ପଢା ସାରି କେରଳ ଫେରିଆସିଲେ । ସବୁବେଳେ ସେ ଆତ୍ମା କିଭଳି ଦେଖିବାକୁ ବିଚଳିତ ହୋଇପଡୁଥିଲା ।
ନିଜର ଏହି ଇଚ୍ଛାକୁ ପୂରଣ କରିବାକୁ କେଡଲ ଖେଳିଲା ରକ୍ତର ହୋଲି । ଘରେ ମା’ ନିଜ ରୁମରେ ବିଶ୍ରାମ ନେଉଥିବାବେଳେ ତାଙ୍କ ରୁମକୁ ଯାଇଥିଲା କିଡଲ ଏବଂ ତାଙ୍କୁ ଧାରୁଆ ଛୁରିରେ ବାରମ୍ବାର ଆକ୍ରମଣ କରିଥିଲା । ମା’ ଛାଡିଦେବାକୁ ଯେତେ ହାରିଗୁହାରୀ କରିଥିଲେ ବି କିଛି ଶୁଣିନଥିଲା ପୁଅ କେଡଲ । କାରଣ ତା ମୁଣ୍ଡରେ ଆତ୍ମାକୁ ଦେଖିବାର ଭୂତ ସବାର ଥିଲା । ଏହି ସମୟରେ ମା’ ପଦ୍ମାଙ୍କ ଚିକ୍ରାର ଶୁଣି ସମ୍ପର୍କୀୟା ମହିଳା ସେଠାକୁ ଦୌଡି ଆସିଥିଲେ । ପଛକୁ ଚାହିଁଦେଇଥିଲା କେଡଲ । ଏହି ସମୟରେ କାଳେ ମା’ଙ୍କ ଆତ୍ମା ଚାଲିଯାଇଥିବ ଭାବି ସମ୍ପର୍କୀୟାଙ୍କୁ ବି ଆକ୍ରମଣ କରିଥିଲା । ଦୁହିଁଙ୍କ ମୃତ୍ୟୁ ହୋଇଥିଲେ ବି ଆତ୍ମାକୁ ଦେଖିପାରିନଥିଲା କେଡଲ । ଦୁଇ ଶବ ପାଖରେ ସେମିତି ବସିଥାଏ । ୩ ଘଣ୍ଟା ପରେ ଘରକୁ ଆସିଲେ ବାପା, ଓ ଭଉଣୀ । ପୁଣି ଥରେ ତା’ ମୁଣ୍ଡରେ ଆତ୍ମା ଦେଖିବାର ପାଗଳାମି ଚଢିବାରୁ ପ୍ରଥମେ ବାପା, ଓ ପରେ ଭଉଣୀକୁ ବି ହତ୍ୟା କରିଥିଲା । ତଥାପି ତା’ ଇଚ୍ଛା ପୂରଣ ହୋଇନଥିଲା । ତେଣୁ ଲଗାତାର ୩ ଦିନ ଆତ୍ମାକୁ ଦେଖିବା ଜିଦରେ ୪ ଟି ଶବ ପାଖରେ ବସୁ ରହିଲା କେଡଲ । କିନ୍ତୁ ୪ ଦିନରେ ମୃତଦେହ ଗୁଡିକରୁ ଦୁର୍ଗନ୍ଧ ବାହାରିବାରୁ ବିଚଳିତ ହୋଇପଡିଥିଲା । ଏବଂ ମୃତଦେହଗୁଡିକୁ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରିଥିଲା । ଏହାପରେ ଘରେ ନିଆଁ ଲଗାଇ ଫେରାର ହୋଇଯାଇଥିଲା ।
ଏହି ଘଟଣାର ଖବର ପୁଲିସକୁ ଦେଇଥିଲେ ପଡିଶା ଘର ଲୋକେ । ପୁଲିସ ଆସି ଦେଖିବା ବେଳକୁ ଘରେ ପଡିଥିଲା ମାଂସ ଟୁକୁଡା । ତେଣୁ ଏହା ପୋଡିଯାଇ ମୃତ୍ୟୁ ଘଟଣା ନୁହେଁ ବରଂ ପ୍ରଥମେ ହତ୍ୟା କରାଯାଇ ପୋଡାଯାଇଥିବା ଘଟଣା ବୋଲି ପୁଲିସ ସନ୍ଦୈ କରିଥିଲା । ପରେ ପଡୋଶୀଙ୍କଠାରୁ କିଡଲର ବ୍ୟବହାର କଥା ଶୁଣିବା ପରେ ତାକୁ ଧରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ପୁଲିସ ଏବଂ କେଡଲ ଖୁବଶୀଘ୍ର ଧରା ବି ପଡିଥିଲା ।
ଏହାପରେ ସବୁ ସତ କଥା ମାନିଯାଇଥିଲା କେଡଲ । ନିଜ ପରିବାରର ସମସ୍ତଙ୍କୁ ହତ୍ୟା କରିବାରେ ତା’ର ତିଳେ ମାତ୍ର କ୍ଷୋଭ ନଥିଲା । ହସିହସି ପୁଣି ସେହି ଆତ୍ମାକୁ ଦେଖିବାକୁ ସେଭଳି କାଣ୍ଡ ଘଟାଇଥିବା କହିଥିଲା । ପୁଲିସ କେଡଲକୁ କୋର୍ଟରେ ହାଜର କରିଥିବା ଜଣାପଡିଛି ।