ତୃତୀୟ ଥର ପାଇଁ ଚମ୍ପଟ ମାରିଥିବା ବିଚାରାଧିନ ବନ୍ଦୀ ତପନ ରାଉତ ଘଟଣାରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଶଶୀ ଭୂଷଣ ଶତପଥି କର୍ତ୍ୟବ୍ୟରେ ଅବହେଳା ପାଇଁ ଜଣେ ହାବିଲଦାର ସମେତ ୫ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବନ କରିଛନ୍ତି ।ତପନକୁ ଏକ ଭ୍ୟାନ ରେ ଖଣ୍ଡପଡା ସବ ଜେଲ ରୁ ଭାପୁର କୋର୍ଟ ନେବା ବେଳେ ସେ ଦୌଡ଼ି ଖସି ପଳାଇଲା । ଆଗରୁ ଦୁଇ ଦୁଇ ଥର ଖଣ୍ଡପଡା ସବ-ଜେଲର ଅଭେଦ୍ୟ ସୁରକ୍ଷାକୁ ଚ୍ୟାଲେଞ୍ଜ କରି ଖସି ଯିବାକୁ ସକ୍ଷମ ହୋଇଥିଲା ବନ୍ଦୀ ଜଣକ । ତେବେ ୨ ଥର ଯାକ ସେ ଧରାପଡି ଯାଇଥିଲା । ତପନ ର ଘର ଫତେଗଡ଼ ଥାନା ଅଧିନ କରବର ଗାଁ ହାଡୁଆସାହିର ବୋଲି ଜଣା ପଡ଼ିଛି । ଫତେଗଡ଼ ପୋଲିସ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତାକୁ କୋର୍ଟ ଚାଲାଣ କରିଥିଲା ଓ ତାର ଜାମିନ ନାମଞ୍ଜୁର ହେବାରୁ ସେ ଏହି ଉପ କାରାଗାର ରେ ବିଚାରାଧୀନ ବନ୍ଦୀ ଭାବେ ରହିଥିଲା । ଗତ ମେ ମାସ ୧୦ ତାରିଖ ଦିନ ତପନ ଜେଲ କର୍ମଚାରୀ ଙ୍କୁ ଚକମା ଦେଇ ଖସି ପଳାଇ ଥିଲା । ମାତ୍ର ଖଣ୍ଡପଡା ଏବଂ ଫତେଗଡ଼ ପୋଲିସ ମିଳିତ ଚଢ଼ାଉ କରି ତାକୁ ମେ ୧୧ ତାରିଖ ଦିନ ଧରିଥିଲେ । ଏନେଇ ଖଣ୍ଡପଡା ଥାନାରେ ଏକ ମାମଲା ରୁଜୁ ହେବା ସହ ଜଣେ ଜେଲ କର୍ମଚାରୀ ନିଲମ୍ବନ ହୋଇଥିଲେ । ପୁଣି ଗତ ୩ ତାରିଖ ରେ ଜିଲ୍ଲା ଜଜ ପରିଦର୍ଶନ କରିବାକୁ ଆସୁଥିବାରୁ ଜେଲ ଅନ୍ତେବାସୀ ମାନେ ସଫେଇ କରୁଥିବା ବେଳେ ତପନ ପୁଣି ଥରେ ଖସି ପଳାଇ ଯିବାକୁ ସକ୍ଷମ ହୋଇଥିଲା । ତେବେ ତାକୁ ପୋଲିସ ତା ଗାଁ କରବର ନିକଟରୁ ଧରିଥିଲା । ଏହି ଘଟଣା ରେ ମଧ୍ୟ ଜଣେ ଜେଲ ୱାର୍ଡର ନିଲମ୍ବନ ହୋଇଥିଲେ । ତେବେ ୩ୟ ଥର ପାଇଁ ପୁଣି ତପନ ଖସି ଯିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ଏହି ଘଟଣାରେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ କାର୍ତ୍ୟବ୍ୟରେ ଅବହେଳା ପାଇଁ ଜଣେ ହାବିଲଦାର ସମେତ ୫ ଜଣ ପୋଲିସ କର୍ମୀଙ୍କୁ ନିଲମ୍ବନ କରିଛନ୍ତି।