Webportal
Adarasha College

ବିଜେପି ଦ୍ଵାରା ଉପେକ୍ଷିତ ହେବା ପରେ ମୁଁହ ଖୋଲିଲେ ମୋହନ ଭାଗବତ

ନରେନ୍ଦ୍ର ମୋଦୀଙ୍କ ଆସନ ପ୍ରତି ବିପଦର ସଙ୍କେତ ?

sanitry
0 199

ବିଜେପି ଦ୍ଵାରା ଉପେକ୍ଷିତ ହେବା ପରେ ମୁଁହ ଖୋଲିଲେ ମୋହନ ଭାଗବତ।ନରେନ୍ଦ୍ର ମୋଦୀଙ୍କ ଆସନ ପ୍ରତି ବିପଦର ସଙ୍କେତ ? ଏହା କାହାକୁ ଅଛପା ନାହିଁ ଯେ ଆରଏସଏସ ବା ରାଷ୍ଟ୍ରୀୟ ସ୍ଵଂୟସେବକ ସଙ୍ଘ ର ମାର୍ଗଦର୍ଶନ ରେ ଭାରତୀୟ ଜନତା ଦଳ ପରିଚାଳିତ ହୁଏ। ବିରୋଧୀ ଦଳ ଗୁଡ଼ିକ ମଧ୍ୟ ଲଗାତାର ଭାବେ ବିଜେପି ଓ କେନ୍ଦ୍ର ସରକାର ଆରଏସଏସ ର ମୁଖ୍ୟାଳୟ ରୁ ପରିଚାଳିତ ହୁଅନ୍ତି ହମଲା କରି ଆସୁଛନ୍ତି। ଆରଏସଏସ ର ପସନ୍ଦ ଅନୁଯାୟୀ ବିଜେପି ଦକରେ ସାଙ୍ଗଠନିକ ପଦାଧିକାରୀଙ୍କ ନିଯୁକ୍ତି ହୁଏ ଓ ସରକାରଙ୍କ ନେତୃତ୍ଵ ନିଶ୍ଚିତ ହୁଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରୀ ହେବା ରାସ୍ତା ମଧ୍ୟ ଗୋଆରେ ୨୦୧୨ ରେ ଅନୁଷ୍ଟିତ ଆରଏସଏସ ବୈଠକ ରେ ତିଆରି କରଯାଇଥିଲା। କିନ୍ତୁ ଲଗାତାର ଭାବେ ଦଶ ବର୍ଷ କ୍ଷମତାରେ ରହିବା ପରେ କେନ୍ଦ୍ରରେ ଭାରତୀୟ ଜନତା ଦଳର ନେତୃତ୍ବ ଅହଙ୍କାର ବଳୟରେ ରହିବା ଆରମ୍ଭ କରିଦେଇଥିବା ସ୍ପଷ୍ଟ ହୋଇଯାଇ ଥିଲା। ଚଳିତ ବର୍ଷ ସାତଟି ପର୍ଯ୍ୟାୟରେ ଅନୁଷ୍ଟିତ ସାଧାରଣ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଶେଷ ହେବା ପରେ ଏକ ଗଣମାଧ୍ୟମ କୁ ଦିଆଯାଇଥିବା ସାକ୍ଷାତକାରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ପୂର୍ବରୁ ବିଜେପି ଦୁର୍ବଳ ଥିବାରୁ ଆରଏସଏସ ର ସହାୟତା ଆବଶ୍ୟକ ଥିଲା ଓ ବର୍ତ୍ତମାନ ପରିସ୍ଥିତିରେ ବିଜେପି ଏତେ ଶକ୍ତିଶାଳୀ ଯେ ବିଜେପିକୁ ଆରଏସଏସ ର କୌଣସି ଆବଶ୍ୟକ ନାହିଁ ବୋଲି କହିଥିଲେ। ନଡ୍ଡାଙ୍କର ଏହି ମନ୍ତବ୍ୟ ଶୁଣି ସାଧାରଣ ଲୋକଙ୍କ ଠାରୁ ଆରଏସଏସ କର୍ମୀ ପଦାଧିକାରୀ ସମସ୍ତେ ଅତିମାତ୍ରାରେ ଆଶ୍ଚର୍ୟ୍ଯ ହୋଇଯାଇଥିଲେ। ଜେ ପି ନଡ୍ଡା ନିଶ୍ଚୟ କାହାରି ଇଙ୍ଗିତରେ ଏତେ ବଡ କଥା କହିଥିବେ ଏଥିରେ ସନ୍ଦେହ ନାହିଁ। ଆଉ ସେହି ବ୍ୟକ୍ତି ନରେନ୍ଦ୍ର ମୋଦି ଓ ଅମିତ ଶାହା ଙ୍କ ବ୍ୟତିତ ଆଉ କେହି ହେଇ ପାରିବେ ନାହିଁ। ନିର୍ବାଚନ ସମୟରେ ଆରଏସଏସ ପ୍ରମୁଖ ମୋହନ ଭାଗବତ କିଛି ମନ୍ତବ୍ୟ ଦେଇ ନ ଥିଲେ। ଏମିତି ହୋଇଥିଲେ ବିଜେପିର ଭୋଟ ହାର ଆହୁରି କମିଥାନ୍ତା ଓ ବିଜେପିକୁ ଛିଡା କରିବାରେ ରାଷ୍ଟ୍ରୀୟ ସ୍ଵଂୟସେବକ ସଙ୍ଘ ର ପରିଶ୍ରମ ବେକାର ଯାଇଥାନ୍ତା। ତେଣୁ ନିର୍ବାଚନ ଶେଷ ହୋଇ ସରକାର ଗଠନ ପର୍ୟ୍ୟନ୍ତ ଆରଏସଏସ ଅପେକ୍ଷା କରିଥିଲା। କେନ୍ଦ୍ର ରେ ସରକାର ଗଠନ ହେବାର ଦିନକ ପରେ ନାଗପୁର ରେ ଅନୁଷ୍ଟିତ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଏକ କାର୍ଯ୍ୟକ୍ରମରେ ସଙ୍ଘ ପ୍ରମୁଖ ମୋହନ ଭାଗବତ ସିଧାସଳଖ ଓ ଇଙ୍ଗିତରେ ବିଜେପି ଶୀର୍ଷ ନେତୃତ୍ଵ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ସମାଲୋଚନା ର ବର୍ଷା କରିଛନ୍ତି। ଭାଗବତ କହିଥିବା ବିଶେଷ କଥା ଗୁଡ଼ିକ ହେଲା ନିର୍ବାଚନ ମଝିରେ ଯେପରି ଭାବେ ଆରଏସଏସ କୁ ଟଣା ଗଲା ତାହା ବିଲକୁଲ ଗ୍ରହଣୀୟ ନୁହେଁ। ଭାଗବତ ନଡ୍ଡା ଙ୍କ ବକ୍ତବ୍ୟକୁ ଇଙ୍ଗିତ କରିଥିଲେ। ମୋହନ ଭାଗବତ ଆହୁରି କହିଥିଲେ ଯେ ନିର୍ବାଚନରେ ଯେଉଁପରି ଭାଷାର ବ୍ୟବହାର କରାଗଲା ତାହା ଆଦୌ ଗ୍ରହଣୀୟ ନୁହେଁ। ଭାଷାର ଏକ ମର୍ଯ୍ୟାଦା ଅଛି। ଟେକ୍ନୋଲୋଜି ର ବ୍ୟବହାର କରି ନିର୍ବାଚନରେ ମିଛ କଥା ପ୍ରଚାର କରାଗଲା। ଦୀର୍ଘ ଏକ ବର୍ଷ ଧରି ମଣିପୁର ଶାନ୍ତିର ସନ୍ଧାନରେ ଅଛି। ଏହା ସରକାର ଚଳାଉଥିବା ବ୍ୟକ୍ତିର ପ୍ରଥମ ଦାୟିତ୍ୱ ମଣିପୁର ରେ ଶାନ୍ତି ଫେରାଇ ଆଣିବା। ସରକାର ସ୍ୱଦେଶୀ କୁ ଆବଶ୍ୟକ ଅନୁସାରେ ସହାୟତା ନ କରିବା କାରଣରୁ ଲୋକେ ବିଦେଶୀ କମ୍ପାନୀ ର ସାମଗ୍ରୀ କିଣୁଛନ୍ତି। ମୋହନ ଭାଗବତ କହିଥିଲେ ଯେ ସରକାର ସମସ୍ତଙ୍କୁ ସାଥିରେ ଓ ସହମତିରେ ନେଇ ଚଳାଇବା ଉଚିତ। ବିରୋଧୀଙ୍କୁ ଶତ୍ରୁ ଭାବିବା ଅନୁଚିତ। ଏହିପରୀ ଅନେକ ଗୁଡ଼ିଏ ବକ୍ତବ୍ୟ ରଖି ନିଜ ଆଭିମୁଖ୍ୟ ଭାଷଣ ଜରୀଆରେ ସଙ୍ଘ ପ୍ରମୁଖ ମୋହନ ଭାଗବତ ସ୍ପଷ୍ଟ କରିଥିଲେ। ଏହା ସ୍ପଷ୍ଟ ଯେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ର ବିନା ଆଶୀର୍ବାଦରେ ଭାରତୀୟ ଜନତା ଦଳ ସରକାର ଚଳାଇ ପାରିବ ନାହିଁ। ତେଣୁ ବିଜେପି ନେତାଙ୍କର ଅହଙ୍କାର ରେ ଭର୍ତ୍ତି ମନ୍ତବ୍ୟ ପରେ ମୋହନ ଭାଗବତଙ୍କ ଏହିପରି ସିଧାସଳଖ ଭାବେ ଆକ୍ରମଣ ନିଷ୍ଟିନ୍ତ ଭାବେ ବିଜେପି ଶୀର୍ଷ ନେତୃତ୍ଵ ମାନଙ୍କର ନିଦ ହଜେଇ ଦେଉଥିବ । ସଙ୍ଘ ପ୍ରମୁଖ ମୋହନ ଭାଗବତ ଯାହା କହିଗଲେ ସେଥିରୁ ବୁଝା ପଢୁଛି ଯେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିଜେପି ସଂସଦୀୟ ଦଳ ର ନେତା ଭାବେ ଖୁସି ନୁହନ୍ତି। ତେଣୁ ଆଶା ଓ ଆଶଙ୍କା କରାଯାଉଛି ଯେ ବିଜେପି ର ଆଉ ଏକ ଯୋଗ୍ୟ ବ୍ୟକ୍ତିଙ୍କୁ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ମିଳିପାରେ। ଖୁବ ଶୀଘ୍ର ଭାରତୀୟ ଜନତା ଦଳର ନୂତନ ରାଷ୍ଟ୍ରୀୟ ସଭାପତି ନିଯୁକ୍ତି ହେବାରୁ ଥିବାରୁ ଯଦି ଆରଏସଏସ ନିଜ ପସନ୍ଦର ବ୍ୟକ୍ତିଙ୍କୁ ସଭାପତି କରିବାରେ ସକ୍ଷମ ହୁଏ ତେବେ ନରେନ୍ଦ୍ର ମୋଦି ଙ୍କୁ ନେଇ ଆମର ଆଶଙ୍କା ସତ୍ୟ ହୋଇପାରେ। କାରଣ ଜେ ପି ନଡ୍ଡା ଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଆରଏସଏସ ର ପସନ୍ଦ ନ ଥିଲା ଯାହା ବିଜେପି ନିଜେ ନିଜେ କରିଥିଲା।

Onida Ad
Square Ad 1
Leave A Reply

Your email address will not be published.