Webportal

ବିଧାୟକଙ୍କ ରହିବା ଘର ନା ହେବ ଆଉରଙ୍ଗଜେବ ରହିବା ଘର, ତିନି ପାର୍କରେ ସବୁଜିମା ଧ୍ୱସ୍ତବିଧ୍ୱସ୍ତ

sanitry
0 66

ଏକ ବଡ଼ ଦ୍ରୁମ ଦିନକୁ ୧୦ଜଣ ଲୋକଙ୍କୁ ଅମ୍ଳଜାନ ଦିଏ । ତା’ ଠାରୁ ଟିକେ ଛୋଟ ଗଛ ଯେତିକି ଅମ୍ଳଜାନ ଉତ୍ପାଦନ କରେ ସେଥିରେ ୪ରୁ ୬ଜଣ ଲୋକଙ୍କ ଆବଶ୍ୟକତା ପୂରା ହୁଏ । ୧୦୦୦ ଦ୍ରୁମର ଅମ୍ଳଜାନରେ ବଞ୍ଚୁଛନ୍ତି ୧୦ ହଜାର ଲୋକ । ବାୟୁମଣ୍ଡଳର ପ୍ରଦୂଷଣ ଟାଣିବାରେ ଗଛର ଭୂମିକା କିଛି କମ୍‌ ନୁହେଁ । ବର୍ଷକୁ ପାଖାପାଖି ୨୨ଟନ୍‌ ଅଙ୍ଗାରକାମ୍ଳ ଟାଣି ନେଇ ବାୟୁମଣ୍ଡଳକୁ ଶୋଧିତ କରେ । ଏମ୍‌ଏଲ୍‌ଏ କଲୋନୀରେ ଯେଉଁ ବିଧ୍ୱଂସକାରୀ କାମ ଚାଲିଛି ଏଥିରେ ରାଜଧାନୀକୁ କି ବିପଦ ଆସିବ ତାହା ଅନୁମାନ କରି ହେଉଥିବ । ୧୦୦୦ ଗଛ କାଟି ୧୦ହଜାର ଲୋକଙ୍କ ଅମ୍ଳଜାନ ଶୋଷିନେଲେ । ଏହା ଆତ୍ମଘାତୀ ହେବ ବୋଲି ବିଶେଷଜ୍ଞମାନେ ସତର୍କ କରାଇଲେଣି । ହେଲେ ପ୍ରକଳ୍ପ ନିଶାରେ ସରକାର ଅବୁଝା ଓ ବେପରୁଆ ।

ୟୁନିଟ୍‌-୪ ଏମଏଲ୍‌ଏ କଲୋନୀ ପାର୍କକୁ ଯିଏ ଆଖିରେ ଦେଖୁଛି ସେ ଚକିତ ହେଉଛି । ଦିନେ ଯେଉଁ ଅଞ୍ଚଳ ଘଞ୍ଚ ଓ ସବୁଜିମାରେ ଘେରି ରହିଥିଲା, ତାହା ଏବେ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଛି । ବନବିଭାଗ କର୍ମଚାରୀଙ୍କ ଜେସିବି, ଟାଙ୍ଗିଆ ଓ କଟର ମେସିନ୍‌ର ଆକ୍ରମଣରେ ନିହତ ଓ ଆହତ ହୋଇ ଶହ ଶହ ଦ୍ରୁମ ତଳେ ଲୋଟିଛନ୍ତି । ଏହି ଦ୍ରୁମରେ ବର୍ଷ ବର୍ଷ ଧରି ଆଶ୍ରୟ ନେଇଥିବା ହଜାର ହଜାର ପକ୍ଷୀ ଓ ଗୁଣ୍ଡୁଚିମାନେ ବି ବାସ ହରାଇଛନ୍ତି । ଟାଙ୍ଗିଆ ଚୋଟ ଶୁଣି ବିକଳରେ ଗଛରୁ ଡେଇଁ ଅନ୍ୟତ୍ର ପଳାଉଛନ୍ତି । ସେମାନଙ୍କ ଆଖିରୁ ଲୁହ ଝରି ଯାଉଛି । ହେଲେ ସେମାନଙ୍କ ଲୁହ ଓ କୋହ ନିଷ୍ଠୁର ମଣିଷ ପାଇଁ କୌଣସି ଅର୍ଥ ରଖୁନି । ସବୁଠୁ ଅଧିକ ବିଚଳିତ କରୁଛି ଏହି ବିସ୍ତୀର୍ଣ୍ଣ ଅଞ୍ଚଳର ଟାଙ୍ଗରା ଦୃଶ୍ୟ । ଗଛର କ୍ଷତବିକ୍ଷତ ଗଣ୍ଡି, ଡାଳ ଓ ପତ୍ରରେ ଅସ୍ଥାୟୀ ଡମ୍ପିଂୟାର୍ଡ ସୃଷ୍ଟି ହୋଇଛି । ଶନିବାର ସୁଦ୍ଧା ବନବିଭାଗ ୫୦୦ ଗଛ କାଟିଥଲା । ରବିବାର ଦିନବେଳା ଆଉ ୫୦ ଗଛ କାଟିଛନ୍ତି । ଜେସିବି ନ ଆଣି ଟାଙ୍ଗିଆ ଓ କଟର୍‌ ମେସିନ୍‌ର ଘନ ଘନ ଚୋଟରେ ଏହି ୫୦ ଗଛ ଟଳିପଡ଼ିଛି । ଦୁଇ ଫରେଷ୍ଟ ଗାର୍ଡଙ୍କୁ ଜଗାଇ ଗଛ କଟା ଚାଲିଛି । 

ଆଜି ସୁଦ୍ଧା ୩ଟି ପାର୍କରେ ମୋଟ ୫୫୦ ଗଛ କଟାଯାଇଛି । ରବୀନ୍ଦ୍ର ମଣ୍ଡପରୁ ଆରମ୍ଭ କରି ଲାଗି ଲାଗି ଥିବା ଏହି ପାର୍କର ଅଧିକାଂଶ ଗଛକୁ କାଟି ସାରିଲେଣି । ଏବେ ବାକିଥିବା ୪୫୦ ଗଛ କାଟିବାକୁ ଅଭିଯାନ ଚାଲିବ । ଏଥିରେ ବିଶାଳ ବିଶାଳ ବର ଓ ଅଶ୍ୱତ୍‌ଥ ଗଛ ବି ଅଛି । ଯେଉଁ ଦ୍ରୁମଗୁଡିକ ମଣିଷକୁ ପିଢ଼ି ପରେ ପିଢ଼ି ଛାଇ ଦେଇ ଆସୁଥିଲେ ସେମାନେ ବି ବଳିପଡ଼ିବେ ।

ବରିଷ୍ଠ ଅଧ୍ୟାପକ ମାନେ ଏହି ଗଛ କଟାକୁ ନାପସନ୍ଦ କରିବା ସହ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ବିକାଶ ଆଳରେ ଏତେ ସଂଖ୍ୟାରେ ଗଛ କାଟିବାକୁ କେମିତି ଅନୁମତି ଦିଆଯାଉଛି? ଏବେକାର ଟେକ୍ନୋଲୋଜି ଯୁଗରେ ଗଛକୁ ଅନ୍ୟତ୍ର ରିପ୍ଲାଣ୍ଟ କରିବାକୁ ଏକାଧିକ ପଦ୍ଧତି ବାହାରିଲାଣି । ଏହା ସଫଳ ବି ହେଉଛି । ହେଲେ ଏତେ ପୁରୁଣା ଦ୍ରୁମକୁ ଅନ୍ୟତ୍ର ସ୍ଥାନାନ୍ତର ନ କରି ଯେମିତି କଟାଯାଉଛି ତାହାର ପରିଣତି ଆମକୁ ହିଁ ଭୋଗିବାକୁ ପଡ଼ିବ ।

ଅର୍ବାନ ପ୍ଲାନର ମାନେ ବି ଏମଏଲ୍‌ଏ କଲୋନୀରେ ଗଛ କଟାକୁ ଦୃଢ଼ ବିରୋଧ କରିଛନ୍ତି । ସେମାନେ କହିଛନ୍ତି ଯେ ବିଧାନସଭାକୁ ଲାଗି ଏମଏଲ୍‌ଏ କ୍ୱାର୍ଟର୍ସ ପ୍ରକଳ୍ପ ନିର୍ମାଣ କରିବାର କୌଣସି ଯୁକ୍ତିସଙ୍ଗତ କାରଣ ନାହିଁ । ଏମଏଲ୍‌ଏମାନେ କ’ଣ ଚାଲି ଚାଲି ବା ସାଇକେଲରେ ବିଧାନସଭା ଯିବେ କି? ତା ହେଲେ କାହିଁକି ସହର ମଝିରେ ସବୁଜିମାକୁ ବଳି ପକାଇ ଏହି ପ୍ରକଳ୍ପ ହେଉଛି? ରାଜଧାନୀରେ ଶହ ଶହ ଏକର ଜାଗା ଜବରଦଖଲ ହୋଇରହିଛି । ଏହି ସ୍ଥାନରେ ବିଧାୟକଙ୍କ ପାଇଁ କ୍ୱାର୍ଟର୍ସ କରିପାରନ୍ତେ । ଯଦି ଏହି ସ୍ଥାନରେ ପ୍ରକଳ୍ପ ହେବା ଅତି ଜରୁରୀ ଥିଲା ତା ହେଲେ ବଡ଼ ଗଛଗୁଡ଼ିକୁ ସୁରକ୍ଷା ଦେଇ ବି କରି ହୁଅନ୍ତା ।

ପାର୍କ ଭିତରେ ଥିବା ଅର୍ଣ୍ଣାମେଣ୍ଟାଲ ଟ୍ରିକୁ କାଟି ଓ ବଡ଼ ଗଛକୁ ସୁରକ୍ଷା ଦେଇ ୧୫ ମହଲାର କୋଠା ବି ଛିଡ଼ା କରିହେବ । କିନ୍ତୁ କେଉଁ ଉଦ୍ଭଟ ଓ ବିଚିତ୍ର ପ୍ଲାନିଂ ଆଧାରରେ ଗଛ କାଟିବା ଜରୁରୀ ବୋଲି ମନେ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ବିଦେଶ କଥା ଛାଡ଼ନ୍ତୁ ଆମ ଦେଶରେ ଦିଲ୍ଲୀ ଓ ବେଙ୍ଗାଲୁରୁ ଭଳି ସ୍ଥାନରେ ସବୁଜିମା ଭିତରେ ବଡ଼ ଅଟ୍ଟାଳିଆ ନିର୍ମାଣର ନଜିର ଅଛି । ବଡ଼ ଗଛକୁ ଅନ୍ୟତ୍ର ସ୍ଥାନାନ୍ତର ବି କରିହେବ । କିନ୍ତୁ ସରକାର ଯେଉଁ ବିଶ୍ୱସ୍ତରୀୟ ପ୍ଲାନରଙ୍କୁ ଆଣି ଏହି ପ୍ରକଳ୍ପ ପାଇଁ ଡିଜାଇନ୍‌ ପ୍ରସ୍ତୁତ କଲେ ସେ ଏହି ଗ୍ରୀନ୍‌ ମଡେଲକୁ କେମିତି ଜାଣିପାରିଲେନି ବୋଲି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ।

କୌଣସି ଲୋକେ ବା ସଂସ୍ଥା ଯଦି ନିଜ ଘରେ ବା ଅଫିସ୍‌ ପରିସରରେ ଥିବା କୌଣସି ଗଛର ଡାଳ କାଟୁଛନ୍ତି ସେଥିପାଇଁ ଅନେକ କୈଫିୟତ୍‌ ଦେବାକୁ ପଡୁଛି । ବନବିଭାଗ ତାଙ୍କୁ ତାଗିଦ୍‌ କରୁଛି । ହେଲେ ଅନ୍ୟ ବିକଳ୍ପ ଥାଇ ବି ନିଜେ ବନ ବିଭାଗ ଘଞ୍ଚ ସବୁଜିମାକୁ ନିପାତ କରୁଛି । ୧୦୦୦ ଗଛକୁ ସରକାର ଅକାରଣରେ କାଟି ଦେଉଛନ୍ତି । ତଥାପି ଆମର କୁହାଳିଆ ନେତା, ପରିବେଶବିତ୍‌ ଓ ସାମାଜିକ କର୍ମୀମାନେ ଆଗକୁ ନ ଆସି କାହିଁକି ଲୁଚିଛନ୍ତି ତାହା ବଡ଼ ପ୍ରଶ୍ନ ଛିଡ଼ା କରିଛି ।

Square Ad 1
Leave A Reply

Your email address will not be published.