ଅନୁଗୁଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କୋରଡ଼ା ଗାଁରେ ମଙ୍ଗଳବାର ଛେଣ୍ଡିପଦା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଶାଗୁଆନ ଓ ଶାଳ କାଠ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ୨ ଜଣଙ୍କୁ ଅଟକ ରଖାଯାଇଛି। ଅଟକ ବ୍ୟକ୍ତିମାନେ ହେଲେ ଢେଙ୍କାନାଳ ଜିଲା ଦୁଦୁରକୋଟ ଗ୍ରାମର ପ୍ରଭାକର ନାଏକ ଓ ପ୍ରକାଶ ନାଏକ। କୋରଡ଼ା ଗାଁର ଜଣେ ବ୍ୟବସାୟୀ ବିପୁଳ ପରିମାଣର ମୂଲ୍ୟବାନ ଗଛ ଜଙ୍ଗଲରୁ ବେଆଇନ ଭାବେ କାଟି ଗ୍ରାମର ବିଦ୍ୟାଳୟ ନିକଟସ୍ଥ ଏକ ବାଉଁଶ ବଣ ଭିତରେ କରତରେ କାଟୁଥିବା ଖବର ମିଳିବା ପରେ ବନ ବିଭାଗ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ବହୁ ମୂଲ୍ୟବାନ ଶାଗୁଆନ ଏବଂ ଶାଳ କାଠ କଟା ଯାଇଥିବା ବେଳେ ବିପୁଳ ପରିମାଣର ଶାଳ ଓ ଶାଗୁଆନ ଲଗ୍ ପଡିଥିବା ଦେଖିବାକୁ ମିଳିଥିଲା । ବନବିଭାଗ ଉକ୍ତ କାଠକୁ ଜବତ କରି ଦୁଇଟି ଟ୍ରାକ୍ଟରରେ ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲା। ଅପରପକ୍ଷେ ଏହି ବେଆଇନ କାରବାରର ମୁଖ୍ୟ ଅଭିଯୁକ୍ତ ବନବିଭାଗ କର୍ମଚାରୀଙ୍କୁ ଦେଖି ଫେରାର ହୋଇଯାଇଥିବା ଜଣାପଡ଼ିଛି ।