ଭାରତୀୟ ଉଦ୍ୟୋଗପତି ତଥା ଆଇପିଏଲ୍ ପ୍ରତିଷ୍ଠାତା ଲଲିତ ମୋଦିଙ୍କ ସହ ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍ । ଏ ସମ୍ପର୍କରେ ଲଳିତ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି । ପରିବାର ସହ ବିଶ୍ୱ ଭ୍ରମଣରୁ ଲଣ୍ଡନ ଫେରିବା କଥା ସେ ଉଲ୍ଲେଖ କରିଛନ୍ତି । ଖାସ୍ କଥା ହେଉଛି ଟ୍ୱିଟ୍ରେ ସୁସ୍ମିତାଙ୍କୁ ସେ ନିଜର ଅର୍ଦ୍ଧାଙ୍ଗିନୀ ବୋଲି ଉଲ୍ଲେଖ କରିଛନ୍ତି । ନୂଆ ଜୀବନ ଓ ନୂଆ ଆରମ୍ଭକୁ ନେଇ ଖୁବ୍ ଉତ୍ସାହିତ ଥିବା ସେ କହିଛନ୍ତି । ଫଟୋରେ ତାଙ୍କ ଖୁସି ସ୍ପଷ୍ଟ ବାରିହେଉଛି । କିନ୍ତୁ ଉକ୍ତ ଟ୍ୱିଟ୍ ପରେ ପରେ ସେ ପୁଣି ସ୍ପଷ୍ଟ କରିଛନ୍ତି ଯେ ସୁସ୍ମିତା ସେନ୍ଙ୍କୁ ସେ ଡେଟ୍ କରୁଛନ୍ତି । ଦୁହେଁ ବିବାହ କରିନାହାନ୍ତି, କିନ୍ତୁ ନିଶ୍ଚୟ କରିବେ । ଉଭୟ ଏକାଠି ଅଛନ୍ତି ବୋଲି ଲଳିତ ଉଲ୍ଲେଖ କରିଛନ୍ତି ।
ସୁସ୍ମିତାଙ୍କ ସହ ଲଲିତ କିଛି ଫଟୋ ଶେୟାର କରିଛନ୍ତି । ଏଥିରେ ଉଭୟଙ୍କର କିଛି ପୁରୁଣା ଦିନର ସ୍ମୃତି ମଧ୍ୟ ରହିଛି । ଗୋଟିଏ ଫଟୋରେ ଲଳିତ ଓ ତାଙ୍କ ପୂର୍ବତନ ପତ୍ନୀ ମିନଲ ମୋଦିଙ୍କ ସହ ସୁସ୍ମିତାଙ୍କୁ ଦେଖିବାକୁ ମିଳିଛି । ୨୦୧୮ ମସିହାରେ, ୬୪ ବର୍ଷ ବୟସରେ ମିନଲଙ୍କର କର୍କଟରେ ପରଲୋକ ହୋଇଥିଲା । ଲଳିତ ୧୯୯୧ ମସିହାରେ ମିନଲଙ୍କୁ ବିବାହ କରିଥିଲେ । ଉଭୟଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି । ଲଳିତଙ୍କ ପୂର୍ବରୁ ମିନଲଙ୍କର ଅନ୍ୟତ୍ର ବିବାହ ହୋଇଥିଲା, ତାଙ୍କର ଏକ ଝିଅ ମଧ୍ୟ ଅଛି । ୫୯ ବର୍ଷୀୟ ଲଳିତ ୨୦୦୫-୧୦ ମଧ୍ୟରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡର ଉପାଧ୍ୟକ୍ଷ ଓ ପଞ୍ଜାବ କ୍ରିକେଟ୍ ଆସୋସିଏସନ୍ର ଅଧ୍ୟକ୍ଷ ପଦରେ କାର୍ଯ୍ୟ କରିଥିଲେ । ରାଜସ୍ଥାନ କ୍ରିକେଟ୍ ଆସୋସିଏସନ୍ର ଅଧ୍ୟକ୍ଷ ମଧ୍ୟ ଥିଲେ । ସେ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି ।
୪୭ ବର୍ଷୀୟା ସୁସ୍ମିତା ନିକଟରେ ମାଳଦ୍ୱୀପ ଭ୍ରମଣର କିଛି ଫଟୋ ନିଜ ସୋସିଆଲ ମିଡିଆରେ ଶେୟାର କରିଥିଲେ । ନିଜର ଦୁଇ ଝିଅଙ୍କ ସହ ସେ ସେଠାରେ ବୁଲାବୁଲି କରୁଥିଲେ । ସୁସ୍ମିତାଙ୍କୁ ଡେଟ୍ କରିବା ବିଷୟରେ ଲଳିତ ଘୋଷଣା କରିବା ପରେ ସ୍ପଷ୍ଟ ହୋଇଛି ଯେ ଏହି ଲଭ୍ବାର୍ଡ ସାଥୀହୋଇ ପରିବାର ସହ ବିଶ୍ୱ ଭ୍ରମଣର ଭରପୂର ମଜା ଉଠାଉଥିଲେ । ଗତ ମାସ ସୁସ୍ମିତା ବିବାହ ନ କରିବାର ନିଷ୍ପତ୍ତି ବିଷୟରେ କଥା ହୋଇଥିଲେ । ଏହାର କାରଣ ମଧ୍ୟ କହିଥିଲେ । ସେ କହିଥିଲେ ‘ଭାଗ୍ୟବଶତଃ ମୁଁ ମୋ ଜୀବନରେ ଖୁବ୍ ମଜାଦାର ପୁରୁଷଙ୍କୁ ଭେଟିଛି । କିନ୍ତୁ କଦାପି ବିବାହ ନ କରିବାର କାରଣ ହେଉଛି ସେମାନେ ସମସ୍ତେ ନିଜ ଜୀବନରେ ନିରାଶ ଥିଲେ । ମୋ ପିଲାମାନଙ୍କ ସହ ବିବାହ ନ କରିବାର କୌଣସି ସମ୍ପର୍କ ନ ଥିଲା । ମୋ ଜୀବନରେ ଆସିଥିବା ଲୋକମାନଙ୍କୁ ମୋର ଦୁଇ ସନ୍ତାନ ମୁକ୍ତ ହସ୍ତରେ ଗ୍ରହଣ କରିଛନ୍ତି । ଉଭୟ ସେମାନଙ୍କୁ ସମାନ ଭଲପାଇବା ଓ ସମ୍ମାନ ଦେଇଛନ୍ତି । ମୁଁ ୩ ଥର ବିବାହ କରୁ କରୁ ଓହରି ଯାଇଛି । ପ୍ରତ୍ୟେକ ଥର ଈଶ୍ୱର ମୋତେ ବଞ୍ଚାଇ ଦେଇଛନ୍ତି । ଈଶ୍ୱର ମୋର ଦୁଇ ସନ୍ତାନଙ୍କୁ ସୁରକ୍ଷା ଦେଉଥିବାରୁ ମୋତେ ରକ୍ଷା କରିଦେଲେ । ସେ (ଈଶ୍ୱର) ମୋତେ କଦାପି ଏଭଳି ଅଶୁଭ ସମ୍ପର୍କ ଭିତରକୁ ଯିବାକୁ ଦେବେ ନାହିଁ ।’
ସୂଚନାଯୋଗ୍ୟ, ସୁସ୍ମିତା ଦୁଇ ଝିଅଙ୍କୁ ପୋଷ୍ୟ କରିଛନ୍ତି । ୨୦୧୮ ମସିହାରେ ମଡେଲ ରୋମାନ ଶଲ୍ଙ୍କ ସହ ସୁସ୍ମିତାଙ୍କ ସମ୍ପର୍କ ଗଢ଼ିଉଠିଥିଲା । ସୁସ୍ମିତା ତାଙ୍କୁ ଇନ୍ଷ୍ଟାଗ୍ରାମ୍ରେ ଭେଟିଥିଲେ । ଉଭୟଙ୍କ ପ୍ରେମକୁ ନେଇ ଇଣ୍ଡଷ୍ଟ୍ରିରେ ଖୁବ୍ ଚର୍ଚ୍ଚା ହୋଇଥିଲା । କିନ୍ତୁ ଗତ ବର୍ଷ ଡିସେମ୍ବରରେ ଉଭୟଙ୍କର ବ୍ରେକ୍ଅପ୍ ହୋଇଛି । ଏ ନେଇ ସୁସ୍ମିତା ନିଜ ଇନ୍ଷ୍ଟା ଆକାଉଣ୍ଟରେ କହିଥିଲେ ‘ବନ୍ଧୁ ଭାବେ ଆମ ସମ୍ପର୍କ ଆରମ୍ଭ ହୋଇଥିଲା, ଆମେ ବନ୍ଧୁ ହୋଇ ରହିଛୁ!! ସମ୍ପର୍କ ବହୁତ ଲମ୍ବା ଥିଲା… ପ୍ରେମ ରହିଛି ।’ ତେବେ ବ୍ରେକ୍ଅପ୍ ପରେ ସୁସ୍ମିତା ଓ ରୋମାନ ପରସ୍ପର ସହ ମଧୁର ସମ୍ପର୍କ ରକ୍ଷା କରିଛନ୍ତି ।