ଭୁବନେଶ୍ୱର ରେଳ ଷ୍ଟେସନରେ ଦ୍ଵିତୀୟ ଫୁଡ ପ୍ଲାଜା ଯାତ୍ରୀମାନଙ୍କପାଇଁ ସମର୍ପିତ:
ଆଜି ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ରେ ଦ୍ଵିତୀୟ ଫୁଡ ପ୍ଲାଜାକୁ ଯାତ୍ରୀ ମାନଙ୍କ ପାଇଁ ସମର୍ପିତ କରାଯାଇଅଛି I ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ଆଜି ରେଳପଥ ର ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଶ୍ରୀ ଅଜୟ କୁମାର ବେହେରା ଓ ପ୍ରମୁଖ ପରିଚାଳନା ପ୍ରବନ୍ଧକ ଶ୍ରୀ ଦେବରାଜ ପଣ୍ଡା ଙ୍କ ଉପସ୍ଥିତିରେ ଛଅ ନମ୍ବର ପ୍ଲାଟଫର୍ମରେ ଏହି ଅତ୍ୟାଧୁନିକ ଫୁଡ ପ୍ଲାଜା କୁ ଉଦ୍ଘାଟନ କରିଛନ୍ତି I
ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନ ଏକ ନମ୍ବର ପ୍ଲାଟଫର୍ମ ଠାରେ ଏକ ଫୁଡ ପ୍ଲାଜା ଚାଲୁରହିଅଛି I ୬ ନମ୍ବର ପ୍ଲାଟଫର୍ମ ଉପରେ ନିର୍ଭର କରୁଥିବା ଯାତ୍ରୀ ମାନେ ଆଗରୁ ଅସୁବିଧା ଅନୁଭବ କରି ଖାଇବା ପାଇଁ ଏକ ନମ୍ବର ପ୍ଲାଟଫର୍ମ କିମ୍ବା ଷ୍ଟେସନ ବାହାର ଦୋକାନ ମାନଙ୍କ ଉପରେ ନିର୍ଭର କରୁଥିଲେ I ଦ୍ଵିତୀୟ ଫୁଡ ପ୍ଲାଜା ଆଜି ଛଅ ନମ୍ବର ପ୍ଲାଟଫର୍ମ ରେ ଚାଲୁ ହେଵା ପରେ ଯାତ୍ରୀ ମାନଙ୍କୁ ଏଣିକି ୬ ନମ୍ବର ପ୍ଲାଟଫର୍ମ ରୁ ୧ ନମ୍ବର ପ୍ଲାଟଫର୍ମ କୁ ଯିବାକୁ ପଡ଼ିବନି I
୧୫୬୦ ବର୍ଗ ଫୁଟ ରେ ନିର୍ମିତ ମଲ୍ଟି କୁଜିନ ଫୁଡ ପ୍ଲାଜା ରେ ପ୍ରାୟ ୫୦ ଜଣ ଯାତ୍ରୀ ଏକକାଳୀନ ଖାଦ୍ୟ ଖାଇବା ପାଇଁ ବ୍ୟବହାର କରିପାରିବେ I ଏହି ଫୁଡ ପ୍ଲାଜା ରେ ଶୀତତାପ ନିୟନ୍ତ୍ରିତ ହଲ ସହିତ ମ୍ୟୁଜିକ ପ୍ରଣାଳୀ, ଟିଭି, ସିସିଟିଭି ଥିବାବେଳେ ଯାତ୍ରୀମାନେ ଖରାବେଳ ଓ ରାତ୍ରି ଭୋଜନ (ଉଭୟ ଉତ୍ତର ଓ ଦକ୍ଷିଣ ଭାରତୀୟ ଖାଦ୍ୟ ସହିତ ଚାଇନିଜ) ସହିତ ଜଳଖିଆ, ଚକୋଲେଟ, ଆଇସକ୍ରିମ, ଚା ଓ କଫି ଏବଂ ଫଳରସ ପାଇପାରିବେ I
ଏହି ଆଧୁନିକ ଫୁଡ ପ୍ଲାଜା ଦିନ ରାତ୍ରି (୨୪X୭) ଖୋଲା ରହିବ ଯାହାଫଳରେ ଯାତ୍ରୀମାନେ ସେମାନଙ୍କ ଖାଦ୍ୟ ପାନୀୟ ପାଇପାରିବେ I ଟ୍ରେନ ମାନଙ୍କର ଆଗମନ ଓ ପ୍ରସ୍ଥାନ ପାଇଁ ମଧ୍ୟ ଯାତ୍ରୀ ସୂଚନା ପ୍ରଣାଳୀ ଏଥିରେ ଉପଲବ୍ଧ କରାଯାଇ ଅଛି I