ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଗଡ଼ିଆ ଗାଁରେ ଆଜି ଅବକାରୀ ବିଭାଗ ଚଢ଼ାଉ କରୁଥିବାବେଳେ ଆକ୍ରମଣର ଶିକାର ହୋଇଛନ୍ତି । ମଦ ମାଫିଆ ମାନଙ୍କ ଆକ୍ରମଣରେ ଅବକାରୀ ବିଭାଗର ଗାଡି ଭଙ୍ଗାରୁଜା ହୋଇଥିବା ବେଳେ ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଅବକାରୀ ବିଭାଗ ବାଗଡ଼ିଆ ମନ୍ଦିରସାହିରେ ବିପୁଳ ପରିମାଣର ମହୁଲି ମଦ ବିକ୍ରି ହେଉଥିବା ଖବର ପାଇ ଚଢ଼ାଉ କରିଥିଲା । ଇନ୍ସିପେକ୍ଟର କରୁଣା ଶଙ୍କର ତିୱାରିଙ୍କ ନେତୃତ୍ୱରେ ଏହି ଟିମ ଚଢ଼ାଉବେଳେ ବହୁ ପରିମାଣର ମହୁଲି ମଦ , ପୋଚ ଆଦି ଜବତ କରି ୩ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିଲା । ଏହି ସମୟରେ ସେହି ମଦ ମାଫିଆଙ୍କ କିଛି ଲୋକ ଆସି ଅଟକ ୩ ଜଣ ନିର୍ଦୋଷ ଏବଂ ତାଙ୍କୁ ଛାଡ଼ିଦେବାକୁ ଦାବି କରିଥିଲେ । ତେବେ ଅବକାରୀ ବିଭାଗ ତାଙ୍କ କଥାକୁ ନଶୁଣି ତଦନ୍ତ ଜାରି ରଖିଥିବା ବେଳେ ହଠାତ ୧୦-୧୫ ଜଣ ପୁରୁଷ ଓ ମହିଳା ଅବକାରୀ ବିଭାଗ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଢେଲା ପଥର ସହ ଠେଙ୍ଗାରେ ଆକ୍ରମଣ କରିବା ଫଳରେ ଆବକାରି ବିଭାଗର ଗାଡି ଭାଙ୍ଗିଯିବା ସହ ଇନ୍ସିପେକ୍ଟର କରୁଣା ଶଙ୍କର ତିୱାରୀ ,ସବ ଇନସ ପେକ୍ଟର ଅରବିନ୍ଦ ରାଉତରାଏ , ଭକ୍ତବତ୍ସଳ ବର୍ମା , ଡ୍ରାଇଭର କାହ୍ନୁଚରଣ ସ୍ବାଇଁ ଆହତ ହୋଇଥିଲେ । ଆକ୍ରମଣ ଫଳରେ ଅବକାରୀ ବିଭାଗ ଘଟଣା ସ୍ଥଳରୁ ପଳାଇ ଆସିବା ସହ ଛେଣ୍ଡିପଦା ପୋଲିସରେ ଅଭିଯୋଗ କରିଥିଲେ । ଆହତ ମାନଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।