୨୦୨୪ରେ ଆଉ କ୍ଷମତାକୁ ଆସିପାରିବନି ବିଜେପି। ଲୋକସଭା ନିର୍ବାଚନରେ ବହୁମତ ହରାଇବ ବିଜେପି ଆଉ ଦ୍ବିତୀୟ ଦଳ ଏକତ୍ରିତ ହୋଇ ଗଢ଼ିବେ ସରକାର। ଏଭଳି କିଛି ଭବିଷ୍ୟବାଣୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। କୋଲାକାତାର ସହୀଦ୍ ଦିବସ ରାଲିରେ ସମ୍ବୋଧନ କରିବା ବେଳେ ମମତା ବାନାର୍ଜୀ କହିଥିଲେ ଯେ, ୨୦୨୪ରେ ଜନତା ବିଜେପିକୁ କ୍ଷମତାରୁ ବାହାର କରିଦେବେ। ଦେଶର ପ୍ରମୁଖ ସଂସ୍ଥାନ ଗୁଡ଼ିକୁ ବରବାଦ କରିବା ପଛରେ ବିଜେପିର ହାତ ରହିଥିବା କହିଛନ୍ତି ମମତା ବାନାର୍ଜୀ। ସେ ପୂଣି କହିଛନ୍ତି ଯେ, “ଭାରତର ସ୍ବାଧିନତା ସଂଗ୍ରାମରେ ଯେଉଁ ଦଳର କୌଣସି ବି ଭୁମିକା ନଥିଲା, ସେହି ଦଳ ଦେଶର ଇତିହାସକୁ ପୁଣିଥରେ ଲେଖିବାକୁ ଚେଷ୍ଟା କରୁଛି”। ସେ ପୁଣି ଦୋହରାଇଛନ୍ତି “ବିଜେପିକୁ ୨୦୨୪ରେ ହଟାଇଦିଆଯିବ, ତାକୁ ପରାଜିତ କରିଦିଆଯିବ। ମୁଁ ଦୃଢ଼ତାର ସହିତ କହୁଛି ବିଜେପି ଏକା ତା ଦଳର ଦମ୍ରେ ବହୁମତ ହାସଲ କରିପାରିବ ନାହିଁ”।
ମମତା କହିଛନ୍ତି ଯେ, ବିଜେପିକୁ ବହୁମତ ଯେପରି ନମିଳିବ, ସେନେଇ ଅନ୍ୟ ଦଳ ନୂତନ ସରକାର ଗଠନ କରିବାକୁ ଏକଜୁଟ୍ ହେଉଛନ୍ତି। ଟିଏମସି ସୁପ୍ରିମୋ ଅପିଲ କରି କହିଛନ୍ତି, ୨୦୨୪ରେ ବିଜେବିକୁ କେନ୍ଦ୍ରରୁ ମୁକ୍ତ କରି ଜନତାଙ୍କ ସରକାର ଗଠନ କରନ୍ତୁ। ଚାଉଳ, ଡାଲି ଓ ଅଟା ଭଳି ଖାଦ୍ୟପଦାର୍ଥ ୨୫କିଲୋଗ୍ରାମ ଓଜନରୁ କମ୍ କିଣିଲେ ପ୍ୟାକେଟ ପିଛା ଲାଗୁହେଉଥିବା ଜିଏସଟିକୁ ବିଜେପିର ଜନବିରୋଧି ପଦକ୍ଷେପ ବୋଲି କହିଛନ୍ତି। ଯଦି ମୁଢ଼ି ଓ ଖିର ଭଳି ଖାଦ୍ୟପଦାର୍ଥରେ ଜିଏସଟି ଲାଗୁଛି, ତେବେ ଲୋକେ ଖାଇବେ କ’ଣ ଏବଂ ଦେଶରୁ ଗରିବୀ ହଟିବ କିପରି ବୋଲି ପ୍ରଶ୍ନ କରିଛନ୍ତି ମମତା।
ବିଜେପିକୁ ଚେତବାନି ଦେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଯଦି ବିଜେପି ମହାରାଷ୍ଟ୍ର ପରି ପଶ୍ଚିମବଙ୍ଗରେ ସରକାର ହଟାଇବାକୁ ଚେଷ୍ଟା କରିବେ ତ, ତାଙ୍କୁ ମୁହଁତୋଡ଼ ଜବାବ ମିଳିବ। ରାଲିରେ ମମତାଙ୍କ ସମେତ ଟିଏମସିର ବରିଷ୍ଠ ନେତା ଅଭିଶେକ ବାନାର୍ଜୀ କହିଛନ୍ତି ଦଳ ପଶ୍ଚିମବଙ୍ଗ ବାହାରେ ମଧ୍ୟ ନିଜର ସମ୍ପର୍କ ବଢ଼ାଇବାକୁ ଯୋଜନା ଜାରୀ ରଖିବ ଏବଂ ୨୦୨୪ରେ ହେବାକୁ ଯାଉଥିବା ଲୋକସଭା ନିର୍ବାଚନରେ ରାଜ୍ୟ ବାହାରେ ମଧ୍ୟ ଆସନ ଅକ୍ତିଆର କରିବ।