ଅନୁଗୋଳ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ ମଣ୍ତୁଆ ଗ୍ରାମରେ ଦନ୍ତାହାତୀ ଆକ୍ରମଣ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ବାଳକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କଣିହାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନାନୁଯାୟୀ, ଛେଣ୍ତିପଦା ବନାଞ୍ଚଳର ମଣ୍ତୁଆ ଗ୍ରାମର ଚନ୍ଦନ ସାହୁ (୧୬) ଓ ଶ୍ରୀକାନ୍ତ ରାଉତ(୧୨) ସଂନ୍ଧ୍ୟା ସମୟରେ ଶୌଚ କରିବାକୁ ଯିବା ସମୟରେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା। ଫଳରେ ୨ ଜଣ ଆହତଙ୍କୁ ପରିବାର ଲୋକ ଓ ଗ୍ରାମବାସୀଙ୍କ ସହାୟତାରେ ପ୍ରଥମେ କଣିହାଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ଅନୁଗୋଳ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ଶ୍ରୀକାନ୍ତ ରାଉତଙ୍କୁ ମୃତ ଘୋଷଣା କରିଛନ୍ତି। ଅପର ପକ୍ଷରେ ଆହତ ଚନ୍ଦନ ସାହୁ ଏବେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।