ଜିଏସଟି ପରିଷଦ ପକ୍ଷରୁ ଗତମାସରେ ବିଭିନ୍ନ ସାମଗ୍ରୀର ଟିକସ ବୃଦ୍ଧି କରାଯାଇଛି। ଜିଏସ୍ଟି ବୃଦ୍ଧିର ପ୍ରଭାବ ଆଗାମୀ ଦିନରେ ଖୁଚୁରା ମୁଦ୍ରାସ୍ଫୀତି ଉପରେ ପଡ଼ିବ। ମୁଦ୍ରାନୀତି କମିଟିର ଦୁଇଜଣ ସଦସ୍ୟ ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ସହିତ ଅନ୍ୟାନ୍ୟ ଭୌଗୋଳିକ ଓ ରାଜନୈତିକ ସ୍ଥିତି, ବିଶ୍ବରେ ବିଭିନ୍ନ ସାମଗ୍ରୀ ମୂଲ୍ୟରେ ଦେଖାଦେଇଥିବା ଅସ୍ଥିରତା ଏବଂ ମୌସୁମୀର ଅସ୍ବାଭାବିକ ବର୍ଷା ସହିତ ଜିଏସ୍ଟି ହାର ବୃଦ୍ଧି ଦେଶରେ ନିକଟ ଭବିଷ୍ୟତରେ ଖୁଚୁରା ମୁଦ୍ରାସ୍ଫୀତି ପ୍ରତି ବିପଦ ସୃଷ୍ଟି କରିଛି।
ଜିଏସ୍ଟି ସହିତ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଟଙ୍କାର ବିନିମୟ ମୂଲ୍ୟ ହ୍ରାସ ଆଦି କାରଣ ପାଇଁ ନିକଟ ଭବିଷ୍ୟତରେ ଦରଦାମ ବଢ଼ିବା ଆଶଙ୍କା ରହିଛି ବୋଲି ଅସୀମା ଗୋୟଲ କହିଛନ୍ତି। ତେଲ ଏବଂ ଅନ୍ୟାନ୍ୟ କଞ୍ଚାମାଲ ମୂଲ୍ୟ କିଛିଟା କମିଥିଲେ ମଧ୍ୟ ମୁଦ୍ରାସ୍ଫୀତି ବଢ଼ିବା ଆଶଙ୍କା ରହିଛି ବୋଲି ଶଶାଙ୍କ ଭିଦେ କହିଛନ୍ତି। ଆଗାମୀ ଦିନରେ ଖାଦ୍ୟସାମଗ୍ରୀର ଦରବୃଦ୍ଧି କ’ଣ ରହିବ ତାହା ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷାର ଧାରା ଏବଂ ଫସଲ ଉତ୍ପାଦନ ଉପରେ ନିର୍ଭରଶୀଳ ବୋଲି ସେ ମତ ଦେଇଛନ୍ତି। ନିକଟରେ ଜିଏସଟି ହାରରେ ଯେଉଁ ବୃଦ୍ଧି ହୋଇଛି ତାହାର ପ୍ରଭାବ ମଧ୍ୟ ଦରଦାମ ଉପରେ ପଡ଼ିବ ବୋଲି ସେ କହିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ଉଚ୍ଚସ୍ତରରେ ଥିବାବେଳେ ସରକାର ଜିଏସ୍ଟି ବଢ଼ାଇବା ଦ୍ବାରା ବିରୋଧୀ ଏହାର ସମାଲୋଚନା କରିଛନ୍ତି। ସେହିଭଳି ପ୍ୟାକେଟରେ ବିକ୍ରି ହେଉଥିବା ଚାଉଳ, ଅଟା ଏବଂ ଦହି ଆଦି ଉପରେ ଜିଏସ୍ଟି ଲାଗୁକୁ ମଧ୍ୟ ସମାଲୋଚନା କରାଯାଇଛି। ତେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯୁକ୍ତି ବାଢ଼ିଛନ୍ତି ଯେ ସବୁରାଜ୍ୟର ସହମତିରେ ଏହି ଟିକସ ଲାଗୁ କରାଯାଇଛି। ଏ ପ୍ରକାର ଟିକସ ପୂର୍ବରୁ ଦେଶର ୨୨ଟି ରାଜ୍ୟରେ ଭିନ୍ନ ଭିନ୍ନ ରୂପରେ ଲାଗୁ ହେଉଥିଲା। ଏପରିକି ଜିଏସଟି ଲାଗୁ ହେବା ପୂର୍ବରୁ କେତେକ ସାମଗ୍ରୀରେ ଅଧିକ ଟିକସ ଆଦାୟ ହେଉଥିଲା। ଜୁଲାଇ ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୬.୭ ପ୍ରତିଶତକୁ ହ୍ରାସ ପାଇଛି। ମୁଖ୍ୟତଃ ଖାଦ୍ୟସାମଗ୍ରୀର ମୂଲ୍ୟ କମିବା ଫଳରେ ଏହା ହୋଇଛି। ଅନ୍ୟପକ୍ଷରେ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ପାଇଁ ମୁଦ୍ରାନୀତି କମିଟି ରେପୋ ହାରରେ ୦.୫% ବୃଦ୍ଧି କରିଛି। ଫଳରେ ରେପୋ ହାର ୫.୪ ପ୍ରତିଶତକୁ ବୃଦ୍ଧି ପାଇଛି। ମେ ମାସରୁ ବର୍ତ୍ତମାନ ସୁଦ୍ଧା ରେପୋ ହାରରେ ୧.୪ ପ୍ରତିଶତ ବୃଦ୍ଧି କରାଗଲାଣି।