Webportal

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ନଗ୍ନ ନମୁନା : ୪୬୦୦୦ ପିଲା ମାଟ୍ରିକ ପରୀକ୍ଷାରୁ ଅନୁପସ୍ଥିତ ; ଅଧିକାଂଶ ପିଲାଗଲେ ଦାଦନ ଖଟିବାକୁ

sanitry
0 140

ସ୍କୁଲ ଯାଉଥିବା ପିଲାମାନେ ହେଲେ ରାଜ୍ୟର ଭବିଷ୍ୟତ।କିନ୍ତୁ ଏହି ଭବିଷ୍ୟତ ମାନଙ୍କ ଭବିଷ୍ୟତ ଅନ୍ଧାରମୟ ଦିଶୁଛି।

ଆମେ କହୁଛୁ ଓଡିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ବିଷୟରେ। ସରକାରୀ ହିସାବରେ ପ୍ରାୟ ୫୮୬୦୦୦ ବିଦ୍ୟାର୍ଥୀ ଚଳିତ ବର୍ଷ ଏହି ପରୀକ୍ଷା ଦେଉଥିବା ବେଳେ ରେକର୍ଡ଼ ସଂଖ୍ୟକ ୪୬୦୦୦ ଛାତ୍ର ଛାତ୍ରୀ ଏଥର ପରୀକ୍ଷା ଦେଉନାହାନ୍ତି ବା ପରୀକ୍ଷାରୁ ଅନୁପସ୍ଥିତ ଅଛନ୍ତି। ଗଣମାଧ୍ୟମ ପ୍ରତିନିଧିମାନେ ଏହାର କାରଣ ପଚାରିବାରୁ ଶିକ୍ଷା ସଚିବ ବିଷ୍ଣୁପଦ ସେଠି ସଠିକ ଭାବେ କିଛି କହିପାରି ନ ଥିଲେ।

ଆମେ ଅନୁସନ୍ଧାନ କରିଥିଲୁ ଓ ଆପଣଙ୍କୁ ଏତେ ସଂଖ୍ୟକ ବିଦ୍ୟାର୍ଥୀ ମାଟ୍ରିକ ଭଳି ଅତି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ଅନୁପସ୍ଥିତ ଥିବାର କାରଣ ବିଷୟରେ ବଡ଼ ଖୁଲାସା କରୁଛୁ।

ନଗ୍ନ ସତ୍ୟ ହେଉଛି ଯେ ରାଜ୍ୟରେ ଅନେକ ପରିବାର ଏବେବି ଦରିଦ୍ରତା ମଧ୍ୟରେ ଜୀବନ କାଟୁଛନ୍ତି।ଏମାନଙ୍କ ପିଲାମାନେ କରୋନା କାରଣରୁ ବିଦ୍ୟାଳୟ ଗୁଡିକ ବନ୍ଦ ରହିଥିବା ଯୋଗୁଁ ପାଠ ପଢି ପାରି ନ ଥିଲେ।କାରଣ ଅନଲାଇନ କ୍ଲାସ ପାଇଁ ଆବଶ୍ୟକ ମୋବାଇଲ ଯୋଗାଡ଼ କରିବାରେ ସେମାନେ ଅସମର୍ଥ ଥିଲେ।ଦ୍ଵିତୀୟରେ ମାଗଣାରେ ଉପଲବ୍ଧ ମଧ୍ୟାହ୍ନ ଭୋଜନରୁ ମଧ୍ୟ ଏମାନେ ବଞ୍ଚିତ ହୋଇଥିଲେ।

ଚଳିବାକୁ ଅସୁବିଧା ଏବଂ ପାଠପଢା ଏକରକମ ବନ୍ଦ ହୋଇଯିବା ପରେ ନିଜନିଜ ପରିବାରର ଆର୍ଥିକ ବୋଝ ଲାଘବ କରିବା ପାଇଁ ଏହି ନାବାଳକ ବିଦ୍ୟାର୍ଥୀ ମାନେ ବିହାର, ଗୁଜୁରାଟ, କେରଳ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟକୁ ମଜୁରୀଆ ଭାବେ କାମ କରିବାକୁ ବା ଦାଦନ ଖଟିବାକୁ ଚାଲିଗଲେ।ଏଣୁ ଚଳିତ ପରୀକ୍ଷାରୁ ଅନୁପସ୍ଥିତ ରହିଲେ କାରଣ ଥରେ ବାହାରକୁ ଗଲାପରେ ପାଠସହ ସେମାନଙ୍କ ସମ୍ପର୍କ ତୁଟିଗଲା ଏବଂ ପରିବାର ଦାଇତ୍ୱ ବୋଝତଳେ ଦବିଗଲେ।

ଯେତେବେଳେ କୋଭିଡ କଟକଣା ପରେ ସ୍କୁଲ ଗୁଡିକ ପୂର୍ବଭଳି ଖୋଲିଲା ଏତେ ସଂଖ୍ୟକ ବିଦ୍ୟାର୍ଥୀମାନଙ୍କ ଅନୁପସ୍ଥିତି ବିଷୟ କାହିଁକି ଲୁଚାଗଲା? ଯଦି ସମୟ ଥାଉଥାଉ ଏହାର ରିପୋର୍ଟ କରାଯାଇଥାନ୍ତା ତେବେ ହୁଏତ ସେହି ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ସରକାରୀ ସ୍ତରରେ କିଛି ଉଦ୍ୟମ ହୋଇଥାନ୍ତା।କିନ୍ତୁ ବୋଧହୁଏ ଏହି ପିଲାମାନଙ୍କ ପାଇଁ ଆସୁଥିବା ସରକାରୀ ଅନୁଦାନକୁ ବିଭାଗୀୟ ବ୍ୟକ୍ତିମାନେ ଚଳୁ କରିଯାଉଥିବା କାରଣରୁ ରେକର୍ଡ଼ ସଂଖ୍ୟକ ବିଦ୍ୟାର୍ଥୀଙ୍କ ଅନୁପସ୍ଥିତି ବିଷୟରେ ରିପୋର୍ଟ କରାଗଲା ନାହିଁ ଯାହାକି ପରୀକ୍ଷା ସମୟରେ ଜଣାପଡ଼ିଲା।

ଏତେ ସଂଖ୍ୟକ ପିଲା ବାହାର ରାଜ୍ୟକୁ ଦାଦନ ଖଟିବାକୁ ଗଲେ ଓ ଓଡିଶା ସରକାରଙ୍କ ପାଖରେ ଖବର ରହିଲାନି? ଏ କଥାଟା ହଜମ ହେଉନାହିଁ।ଏଥିରୁ ସ୍ପଷ୍ଟ ପ୍ରମାଣିତ ଯେ ଶିକ୍ଷା ବିଭାଗ ଦାଇତ୍ୱରେ ଥିବା ମନ୍ତ୍ରୀ ଓ ଅଧିକାରୀ ମାନେ ଏକଦମ ବେପରୁଆ ଏବଂ ଏହି ପିଲାଙ୍କ ସହ ରାଜ୍ୟର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଗଲେ ଏମାନଙ୍କର କିଛି ଯାଏ ଆସେ ନାହିଁ, ଏମାନଙ୍କ ଖାଲି ଗୋଟିଏ ଚିନ୍ତା କିଭଳି ବିଦ୍ୟାର୍ଥୀ ମାନଙ୍କ ପାଇଁ ଆସୁଥିବା ଅନୁଦାନ ଅର୍ଥକୁ ଖାଇଯିବା ବା ବାଟବଣା କରାଇଦେବା।

ରାଜ୍ୟର ଭବିଷ୍ୟତ କୁ ଉଜ୍ବଳ ରଖିବାକୁ ହେଲେ ବାହାରକୁ ଯାଇଥିବା ଏହି ପିଲାଙ୍କୁ ଫେରାଇବା ବ୍ୟବସ୍ଥା କରିବାକୁ ହେବ।ଏହା ସହିତ ସମସ୍ତ ପିଲାମାନେ ଯେପରି ପର୍ଯ୍ୟାପ୍ତ ମାତ୍ରାରେ ଶିକ୍ଷାଗ୍ରହଣ କରିବେ ସେହିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।ଏହା ସହିତ ଏହିପରି ଭୁଲ କରୁଥିବା ପ୍ରତ୍ୟେକ ମନ୍ତ୍ରୀ ଓ ଅଧିକାରୀ ମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାର ଆବଶ୍ୟକତା ରହିଛି।

Square Ad 1
Leave A Reply

Your email address will not be published.