Webportal

ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ଲହର:ଇଚ୍ଛା ହେଉ କି ଅନିଚ୍ଛା ଭଲ ପ୍ରଦର୍ଶନ ପାଇଁ ଧର୍ମେନ୍ଦ୍ରଙ୍କୁ ଖୋଜିଲେ ରାଜ୍ୟ ନେତ।

sanitry
0 177

ବୋଧହୁଏ ରାଜ୍ୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବିଜେପି ର ପ୍ରଦର୍ଶନ ବିଷୟରେ ଧର୍ମେନ୍ଦ୍ର ପ୍ରଧାନ ପୂର୍ବାନୁମାନ କରି ପାରିଥିଲେ।ନ ହେଲେ ଉତ୍ତରପ୍ରଦେଶ ନିର୍ବାଚନ ଦାଇତ୍ଵ ରେ ଥିବା ସତ୍ୱେ କଣ ପଞ୍ଚାୟତ ନିର୍ବାଚନ ସମୟରେ ଟିକିଏ ବି ସମୟ ଓଡ଼ିଶା ବିଜେପି କୁ ଦେଇପାରିନଥାନ୍ତେ, ଯାହା ରାଜ୍ୟ ବିଜେପି ର ମନୋବଳ କୁ ବୃଦ୍ଧି ନିଶ୍ଚିତ ଭାବେ କରିଥାନ୍ତା।ଦଳର ପରାଜୟ ପରେ କୁହାଗଲା ଯେ ଧର୍ମେନ୍ଦ୍ର ୟୁପି ବ୍ୟସ୍ତତା ଯୋଗୁଁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ସମୟ ଦେଇ ପାରିଲେ ନାହିଁ, ନଚେତ ଫଳାଫଳ ବହୁତ ଭଲ ହେଇଥାନ୍ତା।ଏହାଦ୍ବାରା ନିର୍ବାଚନ ର ଅସଫଳତା ଧର୍ମେନ୍ଦ୍ରଙ୍କ ନାମରେ ଲେଖା ଗଲାନାହିଁ।ସେପଟେ ପଞ୍ଚାୟତ ନିର୍ବାଚନ ଫଳାଫଳ,ଏପଟେ ରାଜ୍ୟ ବିଜେପିରେ କନ୍ଦଳ, ଏସବୁ ଦେଖି ବୋଧହୁଏ ପ୍ରଧାନ ବାବୁ ପୌରନିର୍ବାଚନ ଫଳାଫଳ ବିଷୟରେ ମଧ୍ୟ ଭୟଭୀତ।ତେଣୁ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ପୌରନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲେଇ ନାହାନ୍ତି କି ଆଉ ଓହ୍ଲେଇବେ ନାହିଁ, ଏ ନେଇ କାଲି ଘୋଷଣା କରାଯାଇଛି, କାରଣ ହେଲା ସେହି ୟୁପି ବ୍ୟସ୍ତତା ଯେଉଁଠି ମନ୍ତ୍ରିମଣ୍ଡଳର ଗଠନ ହେବ।

ସେ ଯାହାବି ହେଉନା କାହିଁକି ଧର୍ମେନ୍ଦ୍ରଙ୍କ ବିନା ଓଡ଼ିଶା ବିଜେପି ଏକଦମ ଅକର୍ମଣ୍ୟ ଏହା ପ୍ରମାଣିତ ହୋଇଛି।ବାରମ୍ବାର ରାଜ୍ୟ ନେତୃବୃନ୍ଦ ଦ୍ୱାରା ଖରାପ ଫଳାଫଳ ପାଇଁ ଧର୍ମେନ୍ଦ୍ରଙ୍କ ଅନୁପସ୍ଥିତି କୁ ଅନୁଭବ କରିବା କଥା କହିବା ହେଉ ବା ବିରୋଧୀ ଦଳର ଉପନେତା ତଥା ବିଜେପି ବିଧାୟକଙ୍କ ଦ୍ଵାରା ଖୋଲାଖୋଲି ଭାବେ ପ୍ରଧାନ ବାବୁଙ୍କ ବ୍ୟତୀତ ଦଳରେ ଆଉ କେହି ନବୀନଙ୍କ ସାମ୍ନା କରିବା ଯୋଗ୍ୟ ନୁହଁନ୍ତି କହିବା ହେଉ, ଏସବୁ ରାଜ୍ୟ ବିଜେପି ନେତାମାନେ ଯେ ଧର୍ମେନ୍ଦ୍ରଙ୍କ ନେତୃତ୍ୱ ଉପରେ ପୁରାପୁରି ନିର୍ଭରଶୀଳ ତାହା ସୁଚାଉଛି। ସେପଟେ ଆଉ ପାଦେ ଆଗକୁ
ବଢିଛନ୍ତି ଭୁବନେଶ୍ୱର ସାଂସଦ ତଥା ପରୋକ୍ଷରେ ରାଜ୍ୟରେ ଦଳର ମଙ୍ଗ ସମ୍ଭାଳିବାକୁ ଇଛୁକ ଥିବା ଇଙ୍ଗିତ କରୁଥିବା ଅପରାଜିତା ଷଡ଼ଙ୍ଗୀ।ଅନିଚ୍ଛା ସତ୍ୱେ ବୋଧହୁଏ ନିଜର ସ୍ଥିତି ଦଳରେ ବଜାୟ ରଖିବାକୁ ଶ୍ରୀମତୀ ଷଡ଼ଙ୍ଗୀ ଧର୍ମେନ୍ଦ୍ରଙ୍କ ଠାରୁ ପ୍ରେରଣା ପାଉଥିବା ଓ ତାଙ୍କ ଅନୁପସ୍ଥିତି ନିର୍ବାଚନ ସମୟରେ ଅନୁଭବ କରିଥିବା କଥା କହିଛନ୍ତି। ଏଠି ଆମେ କହିରଖୁଛୁ କି ଅପରାଜିତାଙ୍କ ଘନିଷ୍ଠ ସହଯୋଗୀ ସୋସିଆଲ ମିଡିଆରେ ଦଳ ପକ୍ଷରୁ ଭୁବନେଶ୍ୱର ମହାନଗର ରେ ପ୍ରଚାର ପାଇଁ ଦଳୀୟ ପତାକା ମଧ୍ୟ ପ୍ରାର୍ଥୀଙ୍କୁ ଯୋଗାଯାଉ ନ ଥିବା କଥା କହିଛନ୍ତି।

ସେ ଅପରାଜିତା ହୁଅନ୍ତୁ କି ବରିଷ୍ଠ ବିଜେପି ନେତା ଖାରବେଳ ସ୍ବାଇଁ ହୁଅନ୍ତୁ ବା ବିଜେପି ସାଂସଦ ସୁରେଶ ପୂଜାରୀ ହୁଅନ୍ତୁ, ସମସ୍ତେ ଏକ ସ୍ୱରରେ ରାଜ୍ୟ ବିଜେପିରେ ଏକ ବରିଷ୍ଠ ନେତୃତ୍ୱର ଆବଶ୍ୟକତା ଥିବା କଥା କହୁଛନ୍ତି। କିନ୍ତୁ କେହି ବି ଏଥିପାଇଁ କୌଣସି ଯୋଗ୍ୟ ନାଁ ଅନୁମୋଦନ କରୁନାହାନ୍ତି। କାରଣ ସ୍ପଷ୍ଟ, ବୋଧହୁଏ ଧର୍ମେନ୍ଦ୍ରଙ୍କ ନାମ ସେମାନଙ୍କ ଏଥିପାଇଁ ପ୍ରଥମ ପସନ୍ଦ ନୁହେଁ ଏବଂ ନିଜ ସ୍ଥିତି ଖରାପ ହେବା ଭୟରେ ଅନ୍ୟ କାହା ନାମ ନେଇ ପାରୁନାହାନ୍ତି।

ସେ ଯାହାବି ହେଉ ଗୋଟିଏ କଥା ସ୍ପଷ୍ଟ ଯେ ଯେନତେନ ପ୍ରକାରେ ରାଜ୍ୟ ବିଜେପିର ନିର୍ବାଚନୀ ଭବିଷ୍ୟତ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ପୁରାପୁରି ନିର୍ଭରଶୀଳ।ତେଣୁ ପ୍ରଧାନ ବାବୁଙ୍କୁ ରାଜ୍ୟ ବିଜେପିରେ ଥିବା ଗୋଷ୍ଟିକନ୍ଦଳ କୁ ଦୂର କରି ଏକ ପ୍ରତକ୍ଷ୍ୟ ନେତୃତ୍ୱ ପ୍ରଦାନ କରିବାର ଆବଶ୍ୟକତା ରହିଛି, ଯା ଫଳରେ ଦଳ ଆସନ୍ତା ନିର୍ବାଚନରେ ଭଲ ପ୍ରଦର୍ଶନ କରିବାର ଆଶା କରିପାରେ।

Square Ad 1
Leave A Reply

Your email address will not be published.