ରାହୁଲ ଗାନ୍ଧୀ ଆମ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ନୀତିଶଙ୍କ ପ୍ରାର୍ଥୀତ୍ବ ବିଷୟରେ ଜଣାନାହିଁ: ବିହାର ପ୍ରଦେଶ କଂଗ୍ରେସ ସଭାପତି

ବିହାରରେ ନୀତିଶ କୁମାର ବିଜେପି ସହ ସମ୍ପର୍କ ଛିନ୍ନ କରି ଆରଜେଡି ଏବଂ କଂଗ୍ରେସ ସହ ମିଶି ସରକାର ଗଠନ କରିଛନ୍ତି। ଏହାପରେ ନୀତିଶଙ୍କ ଦଳ ଜେଡିୟୁ ପକ୍ଷରୁ ନୀତିଶ କୁମାର ୨୦୨୪ ନିର୍ବାଚନରେ ମୋଦୀଙ୍କ ବିରୋଧରେ ବିରୋଧୀଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା କରାଯାଉଛି। ତେବେ ଏହି ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ବିହାର କଂଗ୍ରେସର ସଭାପତି ମଦନ ମୋହନ ଝା କହିଛନ୍ତି ଯେ, ରାହୁଲ ଗାନ୍ଧୀ ହିଁ କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ। ନହେଲେ ରାହୁଲ ଯାହାକୁ ବାଛିବେ ସେ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ।
ବିରୋଧୀଦଳର ଚେହେରା ଭାବରେ ନୀତୀଶ କୁମାର କଂଗ୍ରେସକୁ ଗ୍ରହଣୀୟ କି ? ବୋଲି ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଝା କହିଛନ୍ତି ନୀତିଶ କୁମାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ କି ନାହିଁ ସେ ବିଷୟରେ ଜଣା ନାହିଁ। କିନ୍ତୁ ଆମର ପ୍ରାର୍ଥୀ ହେଉଛନ୍ତି ଆମର ନେତା ରାହୁଲ ଗାନ୍ଧୀ, ନହେଲେ ସେ ଏହି ପଦବୀ ପାଇଁ ଯାହାକୁ ପ୍ରାର୍ଥୀ କରିବେ ଦଳ ତାଙ୍କ ପଛରେ ଦୃଢତାର ସହ ଛିଡା ହେବ ବୋଲି ଶ୍ରୀ ଝା କହିଛନ୍ତି । ସେ ଏହି ପ୍ରସଙ୍ଗରେ ଆହୁରି କହିଛନ୍ତି ଯେ ଲୋକସଭା ନିର୍ବାଚନକୁ ଦୁଇ ବର୍ଷ ବାକି ରହିଛି। ନିର୍ବାଚନ ପାଖେଇ ଆସିଲେ ଏ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହେବ।