ଶାସନ ବ୍ୟବସ୍ଥା କେମିତିକା ହେବା ଦରକାର? ରାଜ୍ୟ ବିଧାନସଭାର ଉପ-ବାଚସ୍ପତିଙ୍କ ଗାଁ ମଧ୍ୟ ହୋଇପାରିନି ସମ୍ପୂର୍ଣ ସାକ୍ଷର ; ଉପବାଚସ୍ପତିଙ୍କ ଗାଁରେ ତାଙ୍କ ବାସଭବନ ଆଗରେ ମଦ୍ୟପଙ୍କ ପୁଲିସକୁ ଆକ୍ରମଣ
ବ୍ୟକ୍ତିଗତ ସ୍ୱାର୍ଥର ଉର୍ଦ୍ଧ୍ବରେ ଶିକ୍ଷାର ବିକାଶ ନିହାତି ଆବଶ୍ୟକ

ନିଜ ଗାଁକୁ ସାକ୍ଷର କରିବାରେ ଅସଫଳ ଉପ-ବାଚସ୍ପତି; ବାସଭବନ ଆଗରେ ମଦ୍ୟପଙ୍କ ପୁଲିସକୁ ଆକ୍ରମଣ।
ଚାରି ଥର ବିଧାୟକ, ପୂର୍ବରୁ ମନ୍ତ୍ରୀ ରହିଛନ୍ତି, ବର୍ତ୍ତମାନ ରାଜ୍ୟ ବିଧାନସଭାର ଉପବାଚସ୍ପତି ଥିବା ସହ ବାଚସ୍ପତି ଦାୟିତ୍ୱରେ ଅଛନ୍ତି ଅନୁଗୁଳ ରୁ ବିଜେଡ଼ି ବିଧାୟକ ରଜନୀକାନ୍ତ ସିଂହ, ଯାହାଙ୍କୁ ସ୍ଥାନୀୟ ଲୋକେ ମଣ୍ଟୁ ସିଂହ ବୋଲି ଆଦରରେ କୁହନ୍ତି। ତାଙ୍କରି ନିଜ ଗାଁ ଗୋତମରା ଯେଉଁଠି ସେ ନିଜ ପରିବାର ଲୋକଙ୍କ ସହିତ ରହୁଛନ୍ତି, ସେଇଠି ଯଦି ତାଙ୍କ ଘର ସମ୍ମୁଖରେ ମଦ୍ୟପ ପାଟିତୁଣ୍ଡ କରିବା ସହ ପୋଲିସ କୁ ବାଡେଇବେ ତା ହେଲେ ଆପଣଙ୍କ ଚିନ୍ତା କେଉଁ ପର୍ଯ୍ୟନ୍ତ ପହଞ୍ଚିବ। ଥରେ ଚିନ୍ତା କରିବାକୁ ଚେଷ୍ଟା କରନ୍ତୁ।
ଏଭଳି ପରିସ୍ଥିତି ଆସିବାର ମୂଖ୍ୟ କାରଣ ହେଉଛି ଉପବାଚସ୍ପତି ଙ୍କ ଗାଁ ରେ ଶିକ୍ଷାର ବିକାଶ ହୋଇନାହିଁ। ଦୀର୍ଘ ଦିନ ହେଲା କ୍ଷମତାରେ ଥିବା ମଣ୍ଟୁ ବାବୁ ଯଦି ଚେଷ୍ଟା କରିଥାନ୍ତେ ତେବେ ନିଜ ଗାଁ କୁ ସମ୍ପୂର୍ଣ ରୂପେ ସାକ୍ଷର କରି ପାରିଥାନ୍ତେ। ବୋଧହୁଏ ମାତ୍ରାଧିକ ବ୍ୟସ୍ତତା କାରଣରୁ ସେ ଏ ଦିଗରେ ଚିନ୍ତା କରିବାକୁ ସମୟ ପାଇ ନ ଥିବେ। କିନ୍ତୁ ଏବେ ବି ମଣ୍ଟୁ ବାବୁ ଙ୍କୁ ଚିନ୍ତା କରିବାର ଆବଶ୍ୟକ ଅଛି ଯେ କୌଣସି ସଭ୍ୟ ସମାଜ ପାଇଁ ଶିକ୍ଷାର ସବୁଠାରୁ ଅଧିକ ଗୁରୁତ୍ବ ରହିଛି। ତେଣୁ ଏବେ ବି ଯଦି ଚେଷ୍ଟା କରାଯାଏ କମ ସେ କମ ତାଙ୍କ ନିଜ ଗାଁ ସମ୍ପୂର୍ଣ ସାକ୍ଷର ଭବିଷ୍ୟତରେ ହେଇ ପାରିବ, ଯା ଦ୍ବାରା ମଣ୍ଟୁ ବାବୁ ଙ୍କ ଘର ଲୋକେ ଯେମିତି ମଦ୍ୟପ ଙ୍କ କାରନାମା ଦେଖିବକୁ ପାଇଲେ ଆଉ ସେହି ଗାଁରେ କେହି ସେମିତି ଦେଖିବାକୁ ପାଇବେନାହିଁ ବୋଲି ଆଶା କରିବା।
ଏବେ ଘଟିଥିବା ଘଟଣା ବିଷୟରେ ଜାଣନ୍ତୁ ପ୍ରିୟ ପାଠକ ବନ୍ଧୁ। ମଙ୍ଗଳବାର ଅନୁଗୁଳ ବିଧାୟକ ତଥା ବିଧାନସଭା ଉପ – ବାଚସ୍ପତି ରଜନୀକାନ୍ତ ସିଂହଙ୍କ ଗୋତମରା ବାସଭବନ ଆଗରେ ଦୁଇ ଜଣ ଯୁବକଙ୍କ ଦ୍ବାରା ଉନ୍ମତକାଣ୍ଡ ଘଟିଛି। ମଦ୍ୟପାନ କରି ଦୁଇ ଯୁବକ ଅଭଦ୍ର ଭାଷାରେ ଗାଳି ଗୁଳଜ କରିବା ସହ ଭୁଜାଲି ବୁଲାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚିବା ପରେ ପୁଲିସକୁ ମଧ୍ୟ ଛାଡି ନଥିଲେ ଦୁର୍ବୃତ୍ତ । ହରେଶ ଚନ୍ଦ୍ର ଦଳେଇ ନାମକ ଜଣେ ଏ ଏସ ଆଇ ଓ ଅନ୍ଯ ଜଣେ ପୁଲିସ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରାୟ 15 ମିନିଟ କାଳ ଏଭଳି ଆକ୍ରମଣ କରି ଚାଲିଥିଲେ ମଧ୍ୟ ସ୍ଥାନୀୟ ଲୋକ ଦେଖଣାହାରୀ ପାଳଟିଥିଲେ । କେହି ଛଡ଼ାଇବାକୁ ମଧ୍ୟ ସାହସ କରି ନଥିଲେ । ଏଥିରେ ଦୁଇ ପୁଲିସ କର୍ମଚାରୀ ଆହତ ମଧ୍ଯ ହୋଇଛନ୍ତି । ପରେ ବଅଁରପାଳ ପୁଲିସ ସଦଳବଳ ପହଂଚି ଦୁଇ ପୁଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ଉଭୟ ଯୁବକଙ୍କୁ ଗିରଫ କରିଛି । ଗିରଫ ଦୁଇ ଯୁବକ ଗୋତମରା ଗାଁର ସିପୁନ ଭୋଇ ଏବଂ ଦିପକ ଭୋଇ ବୋଲି ଜଣା ପଡିଛି ।