ସ୍ୱାଧୀନତା ଦିବସ ଅବସରରେ ଶିବସେନା ନିଜ ଦଳର ମୁଖପତ୍ର ‘ସାମନା’ ରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି। କେନ୍ଦ୍ର ସରକାର ଦେଶରେ ‘ବିଭାଜନ ନୀତି’ ବ୍ୟବହାର କରୁଥିବା ଅଭିଯୋଗ କରିଛି ଶିବସେନା ଓ ‘ସାମନା’ର ସଂପାଦକୀୟରେ ମୋଦୀ ସରକାରଙ୍କ ଉପରେ ବର୍ଷିଛି ଦଳ। ଦଳ କହିଛି ଯେ ବ୍ରିଟିଶମାନେ“ବିଭାଜନ ଏବଂ ଶାସନ” ନୀତି ବ୍ୟବହାର କରି ଭାରତକୁ ୧୫୦ ବର୍ଷ ଶାସନ କରିଥିଲେ ଏବଂ ଯଦି ବର୍ତ୍ତମାନର ସରକାର ସମାନ ନୀତି ବ୍ୟବହାର କରି ଦେଶ ଚଳାଇବାକୁ ଯାଉଛନ୍ତି ତେବେ ଏହାକୁ କିପରି ସ୍ୱାଧୀନତା କୁହାଯାଇପାରିବ ବୋଲି ପ୍ରଶ୍ନ କରିଛି ଶିବସେନା।
ଦଳ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ ଗତ କିଛି ବର୍ଷ ମଧ୍ୟରେ ଇତିହାସ ପୁନରାବୃତ୍ତି କରିବାକୁ ଚେଷ୍ଟା କରାଯାଉଛି। ଏଥିରେ ଆହୁରି କୁହାଯାଇଛି ଯେ ସ୍ୱାଧୀନତା ସଂଗ୍ରାମରେ କିଛି ନେତାଙ୍କ ଅବଦାନକୁ ପ୍ରତ୍ୟାଖ୍ୟାନ କରାଯାଉଛି ଏବଂ କେତେକଙ୍କୁ ନିରନ୍ତର ପରିହାସ କରାଯାଉଥିବାବେଳେ ଯେଉଁମାନଙ୍କର ସ୍ଵାଧୀନତା ରେ କୌଣସି ଅବଦାନ ନାହିଁ ସରକାରଙ୍କ ପକ୍ଷରୁ ସେମାନଙ୍କୁ ପ୍ରଶଂସା କରାଯାଉଛି।
ଶିବସେନା ଆହୁରି କହିଛି ଯେ, “ଅସଂଖ୍ୟ ନେତା ଓ ବିପ୍ଳବୀମାନେ ଦେଶର ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇଥିଲେ। ସମସ୍ତଙ୍କର ବଳିଦାନ ଯୋଗୁଁ ଭାରତ ସ୍ୱାଧୀନତାର ସ୍ୱାଦ ପାଇପାରିଛି । ବିଗତ କିଛି ବର୍ଷ ଧରି, ଏକ ନୂତନ ଇତିହାସ ଲେଖିବା ପାଇଁ ନିରନ୍ତର ପ୍ରୟାସ ଚାଲିଛି ଯେଉଁଥିରେ ସ୍ୱାଧୀନତା ସଂଗ୍ରାମରେ କେତେକ ନେତାଙ୍କ ଅବଦାନକୁ ଅସ୍ୱୀକାର କରାଯାଉଥିବାବେଳେ କେତେକ ନେତାଙ୍କୁ ନିରନ୍ତର ନିନ୍ଦା ଓ ପରିହାସ କରାଯାଉଛି।” କେବଳ ଇତିହାସ ନୁହେଁ ଦେଶର ସମ୍ବିଧାନ, ଗଣତନ୍ତ୍ରକୁ ଶାସକ ଦଳ ଦ୍ୱାରା ନଷ୍ଟ କରାଯାଉଛି ବୋଲି ‘ସାମନା’ରେ ସଂପାଦକୀୟ ଲେଖି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି ଶିବସେନା।