Webportal

ଅନୁଗୁଳ ପୌରପାଳିକା : ଅଧ୍ୟକ୍ଷ ପଦବୀ ପାଇଁ ଲଢ଼େଇ ଜୋରଦାର

sanitry
0 169

ମୁନାଙ୍କ ରାସ୍ତାରେ କଣ୍ଟା ଦଳଭିତରୁ ବିରୋଧ

ଦିଲୀପଙ୍କ ପାଇଁ ଅର୍ଥ ବାଧକ

ବଲବୀରଙ୍କ ପାଇଁ ଆଶାର କିରଣ ନିର୍ମଳ ଭାବମୂର୍ତି

 

ସମ୍ପ୍ରତି ରାଜ୍ୟରେ ପୌରନିର୍ବାଚନ ପାଇଁ ଉଷ୍ମତା ବଢୁଥିବା ବେଳେ ଅନୁଗୁଳ ମଧ୍ୟ ଏଥିରୁ ବାଦ ଯାଇନାହିଁ।ଏଠି ଅଧ୍ୟକ୍ଷ ପଦବୀ ପାଇଁ ମୂଖ୍ୟତଃ ବିଜେଡ଼ିର ଅକ୍ଷୟ କୁମାର ସାମନ୍ତ ବା ମୁନା, ବିଜେପିର ଦିଲ୍ଲୀପ ପ୍ରଧାନ ଏବଂ କଂଗ୍ରେସର ବଲବୀର ସିଂହ ଙ୍କ ମଧ୍ୟରେ ପ୍ରତିଯୋଗିତା ହେଉଛି।

ଅକ୍ଷୟ ସବୁଠାରୁ ଧନୀ ପ୍ରାର୍ଥୀ ହୋଇଥିବା ସହ ଏହା ପୂର୍ବରୁ ୨୦୧୩ ରୁ ୨୦୧୮ ପର୍ଯ୍ୟନ୍ତ କଂଗ୍ରେସ କାଉନସିଲର ଭାବେ ନଗରପାଳ ବା ପୌରାଧିକ୍ଷ ପଦ ସମ୍ଭାଳିଛନ୍ତି।ସେହି ସମୟରେ ସେ ଇକୋପାର୍କ କରି ପ୍ରଶଂସା ସାଉଁଟିଥିବା ବେଳେ ପୌରପାଳିକା ଭଡାରେ ଦେଇଥିବା ଦୋକାନ ଘର ଗୁଡିକର ମାସିକ ଭଡା ଅହେତୁକ ଭାବେ ବୃଦ୍ଧି କରି ଚର୍ଚ୍ଚାକୁ ଆସିଥିଲେ।ତାଙ୍କର ଲୋକସମ୍ପର୍କ ମଧ୍ୟ ଉତ୍ତମ।ସେ ଠିକ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ସ୍ଥାନୀୟ ବିଧାୟକଙ୍କ ଅନିଚ୍ଛା ସତ୍ୱେ ବିଜେଡିରେ ଯୋଗଦେଇ ନଗରପାଳ ଟିକେଟ ହାତେଇବାରେ ସକ୍ଷମ ହୋଇଥିଲେ, ଯାହା ତାଙ୍କ ପାଇଁ ଅଡୁଆର ବିଷୟ ପାଲଟିଛି।ବିଜେଡି ଭିତରେ ଦଳ ପାଇଁ ଅନେକ ବର୍ଷ ଧରି କାମ କରୁଥିବା ଅନେକ ଆଶାୟୀ ପ୍ରାର୍ଥୀ ହଠାତ ତାଙ୍କୁ ଖୁଲମଖୋଲା ବିରୋଧ କରିଛନ୍ତି ଓ କିଛି ମଧ୍ୟ ଅନ୍ୟ ଦଳକୁ ଚାଲି ଯାଇଛନ୍ତି।ସେପଟେ ଦବଦବା ରଖିଥିବା ସ୍ଥାନୀୟ ବିଧାୟକ ମଧ୍ୟ ତାଙ୍କୁ ଭିତରେ ବିରୋଧ କରିଥିବା ଶୁଣିବାକୁ ମିଳୁଛି।ଏମିତିକା ଦଳର ପୁରୁଣା ନେତା ଯିଏକି ନିଜର ଉଚାକାଂକ୍ଷା ପୂରଣ ନ ହେଉଥିବାରୁ ସଦାସର୍ବଦା ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ପ୍ରଚାର କରି ଆସିଛନ୍ତି, ସେପରି ନେତାଙ୍କୁ ମୁନା ତାଙ୍କ ସହିତ ନେଇ ପ୍ରଚାର କରୁଛନ୍ତି।ତେଣୁ ବିଜେଡିର ବ୍ୟାପକ ହାୱବା ସହିତ ମୁନାଙ୍କର ଉତ୍ତମ ଲୋକସମ୍ପର୍କ ଏବଂ ଅର୍ଥବଳ ସତ୍ୱେ ନିର୍ବାଚନୀ ବୈତରଣୀ ପାର ହେବା ତାଙ୍କ ପାଇଁ ସହଜ ହେବନାହିଁ।

ସେପଟେ ବିଜେପି ପ୍ରାର୍ଥୀ ଦିଲୀପଙ୍କ ମଧ୍ୟ ଉତ୍ତମ ଲୋକସମ୍ପର୍କ ରହିଛି।ଦଳର ଛୋଟ ବଡ଼ ସମସ୍ତ ସ୍ଥାନୀୟ ନେତା ତାଙ୍କ ପାଇଁ ପ୍ରଚାରରେ ଲାଗିପଡିଥିବା ଦେଖିବାକୁ ମିଳିଛି।ଦିଲୀପଙ୍କ ପାଇଁ ପ୍ରଥମ କଣ୍ଟା ହେଲା ନବୀନଙ୍କ ଲୋକପ୍ରିୟତା, ଦ୍ୱିତୀୟ ଟି ଅର୍ଥାଭାବ, ଏବଂ ତୃତୀୟ ହେଲା ପୂର୍ବରୁ ଧର୍ମେନ୍ଦ୍ରଙ୍କ ଓ ଦଳର ବିଧାୟକ ପ୍ରାର୍ଥୀ ପ୍ରତାପ ପ୍ରଧାନଙ୍କ ସହିତ ଭୀଷଣ ମନୋମାଳିନ୍ୟ ଯାହା ସେତେବେଳେ ଗଣମାଧ୍ୟମରେ ପ୍ରମୁଖ ଚର୍ଚ୍ଚାର ବିଷୟ ପାଲଟିଥିଲା।ତେଣୁ ତାଙ୍କ ଅଗୋଚରରେ ଦଳବିରୋଧୀ କାର୍ଯ୍ୟର ଆଶଙ୍କା ରହିଛି।କିନ୍ତୁ ବିଜେଡି ଭିତରେ ମୁନାଙ୍କୁ ବିରୋଧ ଓ କିଛି ଅସନ୍ତୁଷ୍ଟ ନେତାଙ୍କର ବିଜେପିରେ ଯୋଗଦାନ ଦିଲୀପଙ୍କ ସପକ୍ଷରେ ଯିବ ଏଥିରେ ଦ୍ବିମତ ନାହିଁ।

ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବଲବୀର ଦଳର ବହୁତ ପୁରୁଣା ଏବଂ ଶୃଙ୍ଖଳିତ କର୍ମୀ।ଜଣେ ସମାଜସେବୀ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି।ମାନସିକ ସ୍ତରରେ କଂଗ୍ରେସ ଦଳ ସମଗ୍ର ଦେଶରେ ନିରୁତ୍ସାହିତ ଥିବାବେଳେ ବଲବୀର କିନ୍ତୁ କଂଗ୍ରେସର ପାରମ୍ପରିକ ଭୋଟବ୍ୟାଙ୍କ, ନିଜର ଉତ୍ତମ ଭାବମୂର୍ତି, ଲୋକସମ୍ପର୍କ ଏବଂ ଦରକାର ସମୟରେ ଲୋକଙ୍କ ପାଖରେ ଠିଆହେବାର ଅଭ୍ୟାସ କୁ ନେଇ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶା ରଖିଛନ୍ତି।ସେ ଯାହାହେଉ ବଲବୀର ଗରିବ ଶ୍ରେଣୀ ଲୋକଙ୍କ ଭୋଟ ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ଅଧିକ ପାଇବେ ବୋଲି ଏକ ସ୍ଥାନୀୟ ସର୍ଭେ ରୁ ଜଣାପଡିଛି।ମୋଟାମୋଟି ଭାବେ ବଲବୀର ଅନ୍ୟ ପ୍ରାର୍ଥୀ ମାନଙ୍କ ନିଦ ହଜେଇ ଦେଇଛନ୍ତି।ନିର୍ବାଚନ ଫଳ ତାଙ୍କ ସପକ୍ଷରେ ଯଦି କୌଣସି କାରଣରୁ ନ ଯାଏ, ତେବେ ବି ତାଙ୍କୁ ମିଳିବାକୁ ଥିବା ଭୋଟ ଅନ୍ୟ ପ୍ରାର୍ଥୀ ମାନଙ୍କର ହିସାବକୁ ଓଲଟପାଲଟ କରିଦେବ ଏହା ନିଶ୍ଚିତ।

Square Ad 1
Leave A Reply

Your email address will not be published.