ଆକ୍ରମଣ ଭୁଲିଗଲେ ବିରୋଧୀ: ଗୋଟିଏ ବି ପ୍ରସଙ୍ଗରେ କଡ଼ା ଆଭିମୁଖ୍ୟ ଦେଖାଇଲେନି
କେନ୍ଦ୍ରକୁ ବି ଶାଣିତ ଆକ୍ରମଣ କଲାନି ଶାସକ ଦଳ, ଗାନ୍ଧୀ ମୂର୍ତ୍ତି ତଳେ ବସିବା ଦରକାର ପଡ଼ିଲାନି
ବିଧାନସଭା ଅଧିବେଶନର ଶେଷ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିମନ୍ତେ ଗୃହ କମିଟି ଗଠନ ହୋଇଥିଲା। ତିନି ମାସ ମଧ୍ୟରେ କମିଟିର ସମୟ ହେଲାନି ପୁରୀ ଯିବାକୁ। କାହିଁକି କମିଟି ପୁରୀ ଗଲାନି, ତାହାର କାରଣ ଏଥର ଅଧିବେଶନରେ ଖୋଜିଲେନି ବିରୋଧୀ।
କାଶୀପୁରରେ ହଇଜାରେ ମୁଣ୍ଡ ଗଡ଼ିଲା। ସରକାରୀ ଅବହେଳା ଯେ ତୀବ୍ର ତାହା କାହାକୁ ଅଛପା ନଥିଲା। କିନ୍ତୁ ବିରୋଧୀ ସରକାରଙ୍କ ଇସ୍ତଫା ମାଗିଲେନି କି ଦୋଷୀ ବ୍ୟକ୍ତିଙ୍କ ମୁଣ୍ଡ ମାଗିଲେନି। କେବଳ ଯାହା ଦୁଇ ଥର ଦୁଇ ଜଣ ମନ୍ତ୍ରୀ ବିବୃତି ଦେଲେ। ସେହି ବିବୃତିରେ ବିରୋଧୀଙ୍କ ଅଭିଯୋଗର ସିଧାସଳଖ ଉତ୍ତର ନଥିଲା। ତଥାପି ବିରୋଧୀ ଉଗ୍ରମୁଖା ହେଲେନି। ଗୃହ କମିଟି ପାଇଁ ଦାବିକୁ ବି ଶାଣିତ କଲେନି କି କମିଟି ଗଠନ ହେଲାନି। କାଶୀପୁରରେ ମୁଣ୍ଡ ପରେ ମୁଣ୍ଡ ଗଡ଼ୁଥିଲେ ବି ମାନ୍ୟବର ବିଧାୟକମାନେ ସେଠାକୁ ଯାଇ ଘଟଣା ଅନୁଧ୍ୟାନ କରିବାକୁ ଗୁରୁତ୍ବପୂର୍ଣ୍ଣ ମନେ କଲେ ନାହିଁ।
ରାଗିଂ ପରି ଅତି ସମ୍ବେଦନଶୀଳ ଘଟଣାରେ ବିରୋଧୀଙ୍କ ବିରୋଧ କିଛି ମିନିଟ୍ରେ ସୀମିତ ରହିଲା। ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ବିବୃତିରେ ଶାନ୍ତ ପଡ଼ିଗଲେ ବିରୋଧୀ। ବିଧାନସଭା ଅଧିବେଶନର ଶେଷ ଯାଏ ବିଜେବି କଲେଜର ରାଗିଂ ଅଭିଯୋଗର ପର୍ଦ୍ଦାଫାସ୍ ହୋଇ ନଥିଲେ ବି ଆଉ ସେହି ପ୍ରସଙ୍ଗ ଉଠାଇବାକୁ କେହି ଉଚିତ ମଣିଲେନି।
ଠିକା ସଂସ୍ଥା ଏଲ୍ ଆଣ୍ଟ୍ ଟି ସରକାରୀ ସମ୍ପତ୍ତି ଜବତ କରିବା ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳ ଚାହିଁଲେ। ପ୍ରସଙ୍ଗଟି କୋର୍ଟରେ ବିଚାରାଧୀନ ଅଛି କହି ବାଚସ୍ପତି ଏଡ଼ାଇ ଗଲେ। ବିରୋଧୀ ଯୁକ୍ତି ବାଢ଼ିଥିଲେ, କେବଳ କ୍ୟୁରେଟିଭ୍ ପିଟିସନ୍ ସରକାର ଦାଖଲ କରିଛନ୍ତି ଏବଂ ତାହା ମାନେ ନୁହେଁ ମାମଲାଟି କୋର୍ଟରେ ବିଚାରାଧୀନ। ଏମିତି ଯୁକ୍ତିତର୍କରେ ଗୋଟିଏ ଓଳି ଗୃହ ଅଚଳ ହେଲା ସତ। ଶେଷରେ ବାଚସ୍ପତି କହିଥିଲେ, ଏ ସମ୍ପର୍କରେ ଅଧିକ ଆଇନଗତ ତର୍ଜମାର ଆବଶ୍ୟକତା ଅଛି। ଏତିକିରେ ବିରୋଧୀ ଶାନ୍ତ ହୋଇଥିଲେ। ଏହି ପ୍ରସଙ୍ଗର କି ଆଇନଗତ ତର୍ଜମାଗ ହେଲା ତାହା ଅଧିବେଶନ ଶେଷ ପର୍ଯ୍ୟନ୍ତ ସାଧାରଣ ଜନତା ବୁଝିପାରିଲେନି। ସରକାରଙ୍କ ଗେହ୍ଲା ଠିକାଦାର ସାଜିଥିବା ଏଲ୍ ଆଣ୍ଡ୍ ଟି ସରକାରୀ ସମ୍ପତ୍ତି ଜବତ କରିବା ଘଟଣାକୁ ରାଜ୍ୟବାସୀ ସହଜରେ ହଜମ କରିପାରୁ ନଥିଲେ ବି ବିଧାୟକମାନେ ଆଉ ଏହି ପ୍ରସଙ୍ଗକୁ ଧରିଲେନି।
ବିଧାନସଭାର ଏହି ଅଧିବେଶନରେ ବିରୋଧୀଙ୍କ ଅତ୍ୟନ୍ତ ଶୃଙ୍ଖଳିତ ଆଚରଣ ବେଶ୍ ଚର୍ଚ୍ଚା ଓ ରହସ୍ୟର ବିଷୟ ହୋଇଛି। କୌଣସି ପ୍ରସଙ୍ଗରେ ସରକାରଙ୍କ ପ୍ରତି ବିରୋଧୀ ଆକ୍ରମଣାତ୍ମକ ଭୂମିକା ନେଇ ନଥିଲେ। ଅଧିକାଂଶ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ। କେଉଁଥିରେ ସରକାରଙ୍କୁ ଅଡ଼ୁଆରେ ପକାଇବା ପରି ସ୍ଥିତି ସୃଷ୍ଟି କରିନଥିଲେ। ମନ୍ତ୍ରୀଙ୍କ ବିବୃତିରେ ସବୁ କିଛି ଶାନ୍ତ ପଡ଼ିଯାଉଥିଲା, ଯାହା କି ଏକ ବିରଳ ଉଦାହରଣ ସୃଷ୍ଟି କରିଥିଲା। ଏଥର ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସବୁ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ବିରୋଧୀଙ୍କ ହଟ୍ଟଗୋଳ ପାଇଁ କୌଣସି ଖର୍ଚ୍ଚଦାବି ଗିଲୋଟିନ୍କୁ ଯାଇ ନଥିଲା। ଗତ କିଛି ବର୍ଷ ମଧ୍ୟରେ ଏମିତି କେଉଁ ବଜେଟ୍ ଅଧିବେଶନ ହୋଇନି, ଯେଉଁଥିରେ କି ସବୁ ଖର୍ଚ୍ଚଦାବି ଉପରେ ଆଲୋଚନା ହୋଇ ପାରିତ ହୋଇଛି।
ବିରୋଧୀଙ୍କ ପ୍ରତିବାଦ, ହୋହଲ୍ଲାର ଆଉ ଏକ ଅଭାବନୀୟ ଉଦାହରଣ ବି ସୃଷ୍ଟି ହୋଇଛି। ରାଜ୍ୟର ସ୍ବାର୍ଥ ଓ ସମସ୍ୟା ସହ ଆଦୌ ସମ୍ପର୍କ ନଥିବା ତିନି ଚାରିଟି ପ୍ରସଙ୍ଗକୁ ନେଇ ବିରୋଧୀ ବିଜେପି ଓ କଂଗ୍ରେସ ପରସ୍ପର ମୁହାଁମୁହିଁ ହୋଇଥିଲେ। କଂଗ୍ରେସ ନୂପୁର ଶର୍ମା ପ୍ରସଙ୍ଗ ଉଠାଇଥିଲା ବେଳେ ଏନ୍ଡିଏ ରାଷ୍ଟ୍ରପତି ପ୍ରାର୍ଥିନୀଙ୍କ ବିରୋଧରେ କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ମନ୍ତବ୍ୟ ପ୍ରସଙ୍ଗ ଉଠାଇଥିଲା ବିଜେପି। ପୁଣି ପରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ଚୌଧୁରୀଙ୍କ ମନ୍ତବ୍ୟକୁ ନେଇ ବିଜେପି ବିଧାୟକ ଗୃହରେ ହୋହଲ୍ଲା କରିଥିଲେ। କୋଲକାତାର ଇଡି ଚଢ଼ଉକୁ ବି ବିଜେପି ଉଠାଇଥିଲା। ଏମିତି ପ୍ରସଙ୍ଗରେ ବିଜେପି-କଂଗ୍ରେସ ମୁହାଁମୁହିଁ ହୋଇ ଗୋଟିଏ ଓଳି ଲେଖାଏ ଗୃହକୁ ଅଚଳ କରିଦେଲେ। ଏଥିରେ ରାଜ୍ୟର କେଉଁ ସମସ୍ୟା ସମାଧାନ ହେଲା ଓ ରାଜ୍ୟବାସୀଙ୍କୁ କି ବାର୍ତ୍ତା ଗଲା, ତାହା ଦୁର୍ବୋଧ୍ୟ ହୋଇ ରହିଗଲା। କେବଳ ଏତିକି ହେଲା ଯେ ଅପ୍ରସଙ୍ଗକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ ହେବା ଦ୍ବାରା ଶାସକ ଦଳ ଲାଭରେ ରହିଲା। କାରଣ ରାଜ୍ୟ ସରକାରଙ୍କୁ ଅଡ଼ୁଆରେ ପକାଇଲା ପରି ଏହା ପ୍ରସଙ୍ଗ ନଥିଲା। ବିରୋଧୀଙ୍କ ଏପରି ଆଚରଣ ଦେଖି ଶାସକ ଦଳ ମଧ୍ୟ ବେଶ୍ ମାପିଚୁପି ପଦକ୍ଷେପ ନେଉଥିଲା। ବିଭିନ୍ନ ଅଧିବେଶନରେ କେନ୍ଦ୍ର ବିରୋଧରେ ଗର୍ଜନତର୍ଜନ କରୁଥିବା ଶାସକ ଦଳର ସଭ୍ୟମାନେ ଏଥର ଥଣ୍ଡା ପଡ଼ିଯାଇଥିଲେ। କାଁ ଭାଁ କେତେବେଳେ ମନ୍ତ୍ରୀ ଓ ଶାସକ ବିଧାୟକ ବିଜେପିକୁ ଟିକେ ଖେଞ୍ଚି ଦେଉଥିଲେ ସତ, କିନ୍ତୁ ତାହା ଆଦୌ ପ୍ରଭାବୀ ନଥିଲା। ଏମ୍ଏସ୍ପି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କାହିଁକି ସମୟ ଦେଲେନି, ତାହାକୁ ନେଇ ବିଜେପିକୁ ଅଡ଼ୁଆରେ ପକାଇଲେ ନାହିଁ। ଗ୍ୟାସ୍ ଦରରେ କାହିଁକି ଲଗାମ ଲାଗୁନି ତାହାର ଜବାବ ମାଗିଲେନି। ମହାନଦୀ ପ୍ରସଙ୍ଗରେ ଓଡ଼ିଶା କେବେ ହକ୍ ପାଇବ ଓ ପୋଲାଭରମ୍ ପ୍ରସଙ୍ଗରେ ଓଡ଼ିଶାକୁ ନ୍ୟାୟ ମିଳିବ କି ନାହିଁ, ତାହା ଉତ୍ତର ମାଗିଲେନି ଶାସକ ଦଳ। ଯେମିତି ଲାଗୁଥିଲା, କେନ୍ଦ୍ରୀୟ ଅବହେଳାର ଅନ୍ତ ଘଟିସାରିଛି। କଂଗ୍ରେସ ମଝିରେ ମଝିରେ ବିଜେଡି-ବିଜେପି ସମ୍ପର୍କକୁ ଉଖାରୁଥିଲେ ବି ଶାସକ ଦଳ ନିଦାବିଷ୍ଣୁ ସାଜିଥିଲା।
ବିରୋଧୀ ଏତେ ଶୃଙ୍ଖଳିତ ହୋଇଥିଲେ ଯେ ଏଥର କୌଣସି ଦିନ କାହାରିକୁ ଗାନ୍ଧୀ ମୂର୍ତ୍ତି ନିକଟକୁ ଯିବାକୁ ପଡ଼ିଲା ନାହିଁ। ନା ବିରୋଧୀଙ୍କୁ ନା ଶାସକଙ୍କୁ। ୨୧ ଦିନଯାକ ଗାନ୍ଧୀ ମୂର୍ତ୍ତି ତଳ ସମ୍ପୂର୍ଣ୍ଣ ଫାଙ୍କା ରହିଲା। କୌଣସି ପ୍ରସଙ୍ଗରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେବାକୁ ଶାସକ ଦଳକୁ ଆଉ ରାଜଭବନ ଯାଏ ପଦଯାତ୍ରାର ବି ଦରକାର ପଡ଼ିଲା ନାହିଁ। ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠିର ପରିମାଣ ବଢ଼ାଇବାକୁ ହେଉ କି ବିଧାୟକଙ୍କ ଦରମା, ଭତ୍ତା ବୃଦ୍ଧି ପାଇଁ ହେଉ, ଏହି ପ୍ରସଙ୍ଗରେ ଶାସକ ଓ ବିରୋଧୀଙ୍କ ସ୍ବର ଏକ ଥିଲା। ଏହି ଦୁଇଟି ଦାବିକୁ ବେଶ୍ ପ୍ରଭାବୀ ଓ ଯୁକ୍ତିଯୁକ୍ତ ଢଙ୍ଗରେ ଉପସ୍ଥାପନ କରିଥିଲେ ଉଭୟ ପକ୍ଷ। କିନ୍ତୁ କେନ୍ଦ୍ରରୁ ହକ୍ ଆଣିବାକୁ କିମ୍ବା ରାଜ୍ୟର କୌଣସି ସମସ୍ୟା ନେଇ ଏପରି ମିଳିତ ଆଭିମୁଖ୍ୟ ଏଇ ଅଧିବେଶନରେ ଦେଖିବାକୁ ମିଳିଲାନି, ଯାହା କି ସଚେତନ ନାଗରିକଙ୍କୁ ଚିନ୍ତିତ କରିଛି। ଶାସକ ଓ ବିରୋଧୀଙ୍କ ପ୍ରଦର୍ଶନ ଯେତିକି ରହସ୍ୟଜନକ ବିଷୟ, ଅଫିସରମାନଙ୍କ ବେପରୱା ଆଭିମୁଖ୍ୟ ସେତିକି ଚର୍ଚ୍ଚାର ବିଷୟ ହୋଇଛି। ଏହି ପ୍ରସଙ୍ଗରେ ଉଭୟ ଶାସକ ଓ ବିରୋଧୀଙ୍କ ଅସନ୍ତୋଷ ସ୍ପଷ୍ଟ ପ୍ରତିଫଳନ ହୋଇଥିଲା। ବିଶେଷ କରି ବିଧାୟକଙ୍କ ପ୍ରଶ୍ନଗୁଡ଼ିକର କିମ୍ଭୁତ କିମ୍ଭାକାର ଉତ୍ତର ହିଁ ବିଧାୟକମାନଙ୍କୁ ବିବ୍ରତ କରିଦେଇଥିଲା। ଅଧିକାରୀମାନେ ମନଇଚ୍ଛା ଉତ୍ତର ଲେଖୁଥିଲା ବେଳେ ମନ୍ତ୍ରୀମାନେ ତାହାକୁ ନ ପଢ଼ି ଉପସ୍ଥାପନ କରିଦେଉଥିବାରୁ ବିରୋଧୀ ଦଳ ବିଧାୟକମାନେ ତାହାର ତୀବ୍ର ସମାଲୋଚନା କରିଥିଲେ। କିନ୍ତୁ ଅଧିବେଶନର ଶେଷ ଯାଏ ତାହା ଜାରି ରହିଥିଲା। ବହୁତ ପ୍ରଶ୍ନର ଅତ୍ୟନ୍ତ ଖାମଖିଆଲ ଉତ୍ତର ଆସୁଥିଲା ଯେ ‘ତଥ୍ୟ ଖୋଜାଚାଲିଛି’।
ସେହି ତଥ୍ୟ କେବେ ଖୋଜାସରିବ ଓ ପ୍ରଶ୍ନକର୍ତ୍ତାଙ୍କୁ ଯୋଗାଇ ଦିଆଯିବ, ସେ ସମ୍ପର୍କରେ ମନ୍ତ୍ରୀମାନେ ନୀରବ ରହିଥିଲେ। ଅଫିସର୍ମାନଙ୍କ ଏମିତି କାର୍ଯ୍ୟଶୈଳୀକୁ ନେଇ ଖୋଦ୍ ବାଚସ୍ପତି ମଧ୍ୟ ଉଦ୍ବେଗ ପ୍ରକାଶ କରିଥିଲେ। ଅଫିସର୍ ଗ୍ୟାଲେରିରୁ ମନ୍ତ୍ରୀମାନଙ୍କ ପାଖକୁ କୌଣସି କାଗଜ ଆସୁ ନ ଥିବାରୁ ସେ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କୁ ତାଗିଦ୍ କରିଥିଲେ। ପୁଣି ବୁକ୍ ସର୍କୁଲାର୍ ମାନୁ ନଥିବାରୁ ବାଚସ୍ପତି ମୁଖ୍ୟ ଶାସନ ସଚିବଙ୍କୁ ଡାକି ବୈଠକ କରିଥିଲେ। ଏସବୁ ସତ୍ତ୍ବେ ବିଧାନସଭା ଅଧିବେଶନ ସମୟରେ ୭ଟି ଗୁରୁତ୍ବପୂର୍ଣ୍ଣ ବିଭାଗର ସଚିବମାନେ ଛୁଟିରେ ଯାଇଥିଲେ। ପ୍ରତି ଅଧିବେଶନ ଆରମ୍ଭରୁ ନିଜେ ମୁଖ୍ୟ ଶାସନ ସଚିବ ସବୁ ବିଭାଗକୁ ଚିଠି କରି ଜରୁରୀ କାମ ନଥିଲେ ଅଧିକାରୀ ଓ କର୍ମଚାରୀ ଛୁଟିରେ ନ ଯିବାକୁ କୁହନ୍ତି। ଏନେଇ ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ସରକାରଙ୍କର ରହିଛି। ତାହା ସତ୍ତ୍ବେ କିଛି ସଚିବ ଛୁଟିରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଜଣ ସ୍ବାସ୍ଥ୍ୟଗତ କାରଣରୁ ଛୁଟିରେ ଥିଲା ବେଳେ ଆଉ କିଛି ଜଣ ବିଦେଶ ଗସ୍ତ ପାଇଁ ଛୁଟି ନେଇଥିଲେ। ଅଫିସର୍ ଗ୍ୟାଲେରିରେ କା’ ସଚିବମାନଙ୍କୁ ହିଁ ଦେଖିବାକୁ ମିଳିଥିଲା। ଏହା ଦ୍ବାରା ବିଧାନସଭା ଅଧିବେଶନ ସମ୍ଭବତଃ ଅଫିସର୍ମାନଙ୍କ ପାଇଁ ଗୁରୁତ୍ବ ବହନ କରୁନି ବୋଲି ଏକ ବାର୍ତ୍ତା ଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।