ରାଜସ୍ଥାନ ଉଦୟପୁର ହତ୍ୟାକାଣ୍ଡ ଘଟଣାକୁ ନେଇ କଂଗ୍ରେସର ସାଂଘାତିକ ଅଭିଯୋଗ। ଦଳ ଏହି ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତ ସହ ବିଜେପି ନେତାର ସମ୍ପର୍କ ଥିବା ଅଭିଯୋଗ କରିଛି। ଏମିତିକି ବିଜେପି ନେତା ସହ ହତ୍ୟାକାରୀର ଏକ ଫଟୋ ମଧ୍ୟ ସେୟାର କରିଛି କଂଗ୍ରେସ। ତେବେ ଏହାକୁ ଖଣ୍ଡନ କରିଛି ବିଜେପି।
ସୂଚନା ଅନୁସାରେ ହତ୍ୟାପରେ କଂଗ୍ରେସ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲା। ଯେଉଁଥିରେ ହତ୍ୟାରେ ସାମିଲ ଥିବା ଜଣେ ଅଭିଯୁକ୍ତ ସହ ବିଜେପି ନେତାଙ୍କ ଫଟୋ ଥିବା ଦେଖାଯାଇଥିଲା। ଏନେଇ ରାଜସ୍ଥାନ ବିଜେପି ସଂଖ୍ୟାଲଘୁ ଶାଖାର ମୁଖ୍ୟ ସାଦିକ ଖାନ କହିଛନ୍ତି ଯେ ଆମର ଅଭିଯୁକ୍ତ ସହ କୌଣସି ସମ୍ପର୍କ ନାହିଁ।
କଂଗ୍ରେସ ଅଭିଯୋଗ କରିଥିଲା ଯେ ଟେଲର କହ୍ନେୟାଲାଲ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମଧ୍ୟ ଜଣେ ବିଜେପି ସଦସ୍ୟ। ଏହାକୁ ନେଇ କଂଗ୍ରେସ କେନ୍ଦ୍ରକୁ ପ୍ରଶ୍ନ କରିଛି ଯେ କଣ ଏହାକୁ ରଫାଦଫା କରିବା ପାଇଁ ଜାତୀୟ ଏଜେନ୍ସି ଯାଞ୍ଚ ପାଇଁ ପଠାଯାଉଛି ? ସୂଚନା ଥାଉକି କଂଗ୍ରେସର ବରିଷ୍ଠ ନେତା ପୱନ ଖେଡ଼ା ଉଦୟପୁର ଘଟଣା ସମ୍ପର୍କରେ ଏକ ସାମ୍ୱାଦିକ ସମ୍ମୀଳନି କରି ଏବଳି ବିଜେପି ଉପରେ ବର୍ଷିଛନ୍ତି। ଯେଉଁଥିରେ ରିୟାଜ ଅଟାରି ସହ ବିଜେପିର ସମ୍ପର୍କ ନେଇ କହିଛନ୍ତି।
ଅନ୍ୟପଟେ ହତ୍ୟାକାରୀ ରିୟାଜ ଅଖ୍ତରି ଓ ଗୌନ୍ସ ମୋହମ୍ମଦ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ହତ୍ୟା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଭିନ୍ନ ପ୍ରକାର ଟାର୍ଗେଟ କରାଯାଇଥିଲା। ବର୍ତ୍ତମାନ ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କର ଅନ୍ୟ ୫ ସହଯୋଗିଙ୍କୁ ରିମାଣ୍ଡରେ ନେଇଛି ପୁଲିସ। ସେ ଦୁଇ ଜଣଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ନିଆଯାଇଛି।