Webportal

କଣ ହେଇପାରେ ରାଜ୍ୟରେ ପୌରନିର୍ବାଚନ ଫଳାପଳ

sanitry
0 129

ସଂପ୍ରତି ରାଜ୍ୟରେ ସହରାଞ୍ଚଳରେ ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ, ପୌରପାଳିକା ଏବଂ ମ୍ୟୁନିସିପାଲ କର୍ପୋରେସନ ପାଇଁ ଚଳିତ ମାସ ୨୪ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।ଏହି ନିର୍ବାଚନ ୨୦୧୮ରୁ ହେବାକୁ ଥିଲେ ମଧ୍ୟ ବିଭିନ୍ନ କାରଣରୁ ଅନୁଷ୍ଠିତ ହୋଇ ନ ଥିଲା, ଯା ପାଇଁ ରାଜନୈତିକ ଦଳ ମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ଦେଖା ଦେଇଛି।

ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ସଦ୍ୟ ସମାପ୍ତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନ ଫଳାଫଳ କୁ ଦେଖିଲେ ଶାସକ ବିଜେଡି ର ବିଜୟ ସମ୍ଭାବନା ଅଧିକ ଲାଗୁଛି।ଆଉ ଗୋଟେ କାରଣ ହେଉଛି ବର୍ତ୍ତମାନ ଏହି ଦଳ ଏକଦମ ଶୃଙ୍ଖଳିତ ଭାବେ କାର୍ଯ୍ୟ କରୁଥିବା ଦେଖାଯାଏ।ତା ବାଦ କିଛି ସରକାରୀ ଯୋଜନାର ଲାଭ ଦଳୀୟ ପ୍ରାର୍ଥୀ ଜିତିଲା ପରେ ଲୋକଙ୍କୁ ମିଳିବ ବୋଲି କୁହାଯାଉଥିବାର କିଛି ଅଭିଯୋଗ ଆସୁଛି, ଏହାର ସତ୍ୟତା ଅନୁସନ୍ଧାନ ସାପେକ୍ଷ।ଯଦି ଏହା ସତ୍ୟ ତେବେ ଏହା ମଧ୍ୟ ଦଳୀୟ ପ୍ରାର୍ଥୀ ଜିତିବାର ପ୍ରମୁଖ କାରଣ ହୋଇପାରେ।ଆଉ ଗୋଟିଏ ପ୍ରମୁଖ କାରଣ ହେଉଛି ଏବେ ନିର୍ବାଚନ ଗୁଡିକରେ ପ୍ରଚୁର ଟଙ୍କା ଖର୍ଚ୍ଚ ହେଉଥିବା ଦେଖାଯାଏ, ଯାହାକି ବିଜେଡି ପାଇଁ ସରକାରୀ ଦଳ ଭାବେ କୌଣସି ବାଧା ସୃଷ୍ଟି କରିବ ନାହିଁ।

ଏବେ କେନ୍ଦ୍ରରେ ଶାସନାଧୀନ ଓ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ବିଷୟରେ ଆଲୋଚନା କରିବା।ଟଙ୍କା ଖର୍ଚ୍ଚ କରିବା ପାଇଁ ଏହି ଦଳ ପାଖରେ ମଧ୍ୟ ଅର୍ଥାଭାବ ନାହିଁ, ଦେଶର ସବୁଠାରୁ ଧନୀ ରାଜନୈତିକ ଦଳ ହେଉଛି ବିଜେପି।କିନ୍ତୁ ରାଜ୍ୟରେ ଏହି ଦଳର ପ୍ରମୁଖ ନେତୃବୃନ୍ଦ ମାନଙ୍କ ମଧ୍ୟରେ ବୁଝାମଣା ଓ ତାଳମେଳ ର ଅଭାବ ଥିବା ର ଦେଖିବାକୁ ମିଳେ।ଅଧିକୃତ ନେତୃତ୍ୱ ରୂପେ ସର୍ବସମ୍ମତ ଗ୍ରହଣୀୟ କେହି ନେତା ଥିବା ଭଳି ଜଣାପଡୁ ନାହିଁ।ତାହାର କାରଣ କେନ୍ଦ୍ରୀୟ ନେତୃତ୍ୱ, ଖାସକରି ରାଜ୍ୟର ଅଘୋଷିତ ଦଳୀୟ ମୁଖିଆ ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜ୍ୟରେ ପ୍ରତ୍ୟକ୍ଷ ନେତୃତ୍ୱ ପାଇଁ ସମୟ ନ ଥିବା ଓ ରାଜ୍ୟରେ ଦଳର ଦାଇତ୍ୱ ସର୍ବସମତି କ୍ରମେ ଜଣଙ୍କ ହାତରେ ନ ଦେବା।ଯିଏ ବି ଦଳରେ ପ୍ରମୁଖ ଦାଇତ୍ୱ ସମ୍ଭାଳୁଛନ୍ତି ରବର ଷ୍ଟାମ୍ପ ପରି ମନେ ହୁଅନ୍ତି।ସେପଟେ ମୁଖ୍ୟମନ୍ତ୍ରୀ ପାଇଁ ଆଶା ବାନ୍ଧିଥିବା ଅପରାଜିତା ଷଡ଼ଙ୍ଗୀ ମଧ୍ୟ ନିଜର ସମାନ୍ତରାଳ ଯୁବା, ମହିଳା ଆଦି ସଂଗଠନ ଚଳାଉଥିବା ଅଭିଯୋଗ ଆସେ,ଯେଉଁଥି ପାଇଁ ବୋଧହୁଏ କେନ୍ଦ୍ରୀୟ ନେତୃତ୍ୱ ଯୋଗ୍ୟତା ଥିବା ସତ୍ୱେ ତାଙ୍କ ଉପରେ ବୋଧହୁଏ ଭରସା କରି ପାରୁନାହାନ୍ତି।ଏହି ସବୁର ପ୍ରଭାବ ସଦ୍ୟ ସମାପ୍ତ ତ୍ରି ସ୍ତରୀୟ ପଂଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି, ଦଳ ଦଳକୁ ଗତ ନିର୍ବାଚନ ତୁଳନାରେ ଯଥେଷ୍ଟ କ୍ଷତି ସହିବାକୁ ପଡିଛି।ଯଦି ବିଜେପି ଦଳର ନେତାମାନେ ଶୃଙ୍ଖଳିତ ଭାବେ କାର୍ଯ୍ୟ କରନ୍ତି ତେବେ ହେବାକୁ ଥିବା ପୌରନିର୍ବାଚନରେ ଭଲ ସଫଳତା ହାସଲ କରିପାରନ୍ତି।

ଏବେ କଥା ହେବା ଦେଶର ସର୍ବପୁରାତନ ଦଳ କଂଗ୍ରେସ ବିଷୟରେ।ଚଳିତ ତ୍ରି ସ୍ତରୀୟ ପଂଚାୟତ ଫଳାଫଳ ପୁନର୍ବାର ସୂଚାଇଦେଇଛି ଯେ ଏହା ୨୦୧୪ ର ପରାଜୟ ପରେ ପ୍ରବଳ ମାନସିକ ଚାପରୁ ବାହାରି ନାହିଁ।ତା ବାଦ ଦଳ ପାଖରେ ନିର୍ବାଚନ ରେ ଖର୍ଚ୍ଚ କରିବା ପାଇଁ ଟଙ୍କାର ଅଭାବ ପରିଲକ୍ଷିତ ହୁଏ।ରାଜ୍ୟ ନେତୃତ୍ୱ ଉପରେ ମଧ୍ୟ ଦଳୀୟ ନେତାମାନେ ପ୍ରଶ୍ନଚିନ୍ହ ଲଗାଇଥିବା ଅନେକ ସମୟରେ ଦେଖାଯାଏ।ଦଳରେ ରାଜ୍ୟସ୍ତରରେ ଶୃଙ୍ଖଳା ର ଅଭାବ ସ୍ପଷ୍ଟ ବାରିହୁଏ।ଯଦିଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ରେ ତତ୍ପରତା ଦେଖାଦେଇଛି, ତେବେବି ଯଦି ନେତାମାନଙ୍କ ମଧ୍ୟରେ ଆବଶ୍ୟକ ତାଳମେଳ ରୁହେ ଓ ଆବଶ୍ୟକ ଅର୍ଥ ଖର୍ଚ୍ଚ କରିବାରେ ସକ୍ଷମ ହେବେ ତାହାହେଲେ ଆସନ୍ତା ପୌରନିର୍ବାଚନ କଂଗ୍ରେସ ଦଳ ପାଇଁ ରାଜ୍ୟରେ ଭିନ୍ନ ଫଳାଫଳ ଆଣିବାରେ ସକ୍ଷମ ହୋଇପାରେ।

Square Ad 1
Leave A Reply

Your email address will not be published.