Webportal

କେନ୍ଦ୍ରାପଡା ଜିଲ୍ଲାରେ ବୁଲବୁଲ ସ୍ଥିତି

sanitry
0 152

ବୁଲ୍ ବୁଲ୍ ପ୍ରଭାବରେ ଉପକୂଳ ଓଡିଶା କେନ୍ଦ୍ରାପଡା ଜିଲ୍ଲାର ସମୁଦ୍ର କୂଳିଆ ବ୍ଲକ ମହାକାଳପଡା , ରାଜନଗର ଓ ରାଜକନିକା ଅଞ୍ଚଳ ପ୍ରଭାବିତ ହୋଇଛି । ଗତ ରାତିରେ ବର୍ଷା ପବନରେ ହଜାର ହଜାର ଗଛ ଭାଙ୍ଗି ପଡିଛି । ବିଶେଷକରି ରାସ୍ତାକଡରେ ଲଗାଯାଇଥିବା ଗଛ ଗୁଡିକ ରାସ୍ତାରେ ପଡିଯାଇଥିବାରୁ ବହୁ ମୁଖ୍ୟ ରାସ୍ତା ସମେତ ଗାଁ ଗହଳର ରାସ୍ତା ବନ୍ଦ ହୋଇଛି । ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିବାରୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ରାସ୍ତାରେ ପଡି ରହିଥିବା ଗଛ ଗୁଡିକୁ ସ୍ଥାନୀୟ ଲୋକେ ସଫା କରିବାରେ ନିୟୋଜିତ ଥିବା ଦେଖାଯାଉଛି । ଏହାଛଡା ଏନ୍ ଡି ଆର୍ ଏଫ୍ , ଓଡ୍ରାଫ ଓ ଅଗ୍ନିଶମ ବିଭାଗ ର କର୍ମଚାରୀ ରାସ୍ତାରୁ ଗଛକାଟିବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ରାଜନଗର ବ୍ଲକର ପେଣ୍ଠ , ଇଶ୍ବରପୁର , ତାଳଚୁଆ , ରଙ୍ଗଣୀ , କେରୁଆପାଳ, ମହାକାଳପଡା ବ୍ଲକର ସୁନିତୀ , ଗୋଗୁଆ , ବତୀଘର ଆଦି ଅଞ୍ଚଳରେ ବହୁ ଚାଳଛପର ଘର ଉଡି ଯାଇଛି । ଅନେକ ଛପରଘର କାନ୍ଥ ପଡି ଯାଇଛି । ଗତ କଲି ରାତିରୁ ରାଜନଗର ଓ ମହାକାଳପଡା ବ୍ଲକର ପ୍ରାୟ ୧୫୦୦ରୁ ଅଧିକ ଲୋକମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରିଥିଲା ଜିଲ୍ଲା ପ୍ରଶାସନ । ସେମାନଙ୍କୁ ସୁଖିଲା ଖାଦ୍ୟ ସହିତ ରନ୍ଧା ଖାଦ୍ୟ ଦିଆଯାଇଛି । ସମୁଦ୍ରରେ ମାଛ ଧରୁଥିବା ପଶ୍ଚିମବଙ୍ଗର ଦୁଇଟି ଟ୍ରଲର କେନ୍ଦ୍ରାପଡା ଜିଲ୍ଲା ଉପକୂଳର ତାଳଚୁଆ ଜେଟିରେ ପହଞ୍ଚିଛି । ଏହି ଦୁଇ ଟ୍ରଲରରେ ଥିବା ୧୧ଜଣ ମତ୍ସ୍ୟଜୀବୀଙ୍କୁ ସ୍ଥାନୀୟ ଓସଡମା ଗୃହରେ ରଖାଯାଇ ସେମାନଙ୍କୁ ଖାଦ୍ୟ ପାନୀୟ ଯୋଗାଇ ଦେଇଛନ୍ତି ତାଳଚୁଆ ସାମୁଦ୍ରିକ ଥାନା ପୋଲିସ୍ । ସମୁଦ୍ର ଲହଡିରେ ତାଳଚୁଆ ନିକଟରେ କେତେକ ମାଛଧରା ଡଙ୍ଗା ବୁଡିଯାଇଥିବା ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି । ଗତକାଲି ଜିଲ୍ଲାରେ ହୋଇଥିବା ବର୍ଷା ରେକର୍ଡ ଅନୁସାରେ ରାଜନଗର ବ୍ଲକରେ ସର୍ବାଧିକ ୧୮୦ ମିଲିମିଟର , ରାଜକନିକା ବ୍ଲକରେ୧୩୬ ମିଲିମିଟର , ଆଳିରେ ୮୯ ମିଲିମିଟର , ମହାକାଳପଡାରେ ୭୫ ମିଲିମିଟର, ଗରଦପୁରରେ ୪୬ମିମି, ମାର୍ଶାଘାଇରେ ୪୪ମିମି, ଡେରାବିଶରେ ୪୪ମିମି, ପଟ୍ଟାମୁଣ୍ଡାଇରେ ୩୭ ମିମି ଓ କେନ୍ଦ୍ରାପଡାରେ ୨୯ ମିଲିମିଟର ବର୍ଷା ହୋଇଛି । ଜିଲ୍ଲାରେ ବୁଲ୍ ବୁଲ୍ ଘୂର୍ଣ୍ଣିଝଡରେ କ୍ଷୟକ୍ଷତିର ଆକଳନ କରାଯାଇ ପାରିନି । ବର୍ଷା ଓ ପବନ ଛାଡିଯିବାପରେ କ୍ଷୟକ୍ଷତିର ଆକଳନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

Square Ad 1
Leave A Reply

Your email address will not be published.