ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ବିଭତ୍ସ ଭାବେ ହତ୍ୟା। କଟୁରୀରେ ହାଣି ସ୍ତ୍ରୀର ମୁଣ୍ଡ ଗଣ୍ଡି ଅଲଗା କରିଦେଲା ନୃଶଂସ ସ୍ଵାମୀ। ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଚନ୍ଦ୍ରଶେଖରପୁରରେ ଏଭଳି ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର କଟାମୁଣ୍ଡ ଧରି ଜୋରନ୍ଦା ଫାଣ୍ଡିକୁ ଯାଉଥିବାବେଳେ ଖାଙ୍କିରା ନିକଟରେ ଅଭିଯୁକ୍ତ ସ୍ଵାମୀକୁ କାବୁ କଲେ ସ୍ଥାନୀୟ ଲୋକେ।
ସୂଚନାନୁଯାୟୀ, ଚନ୍ଦ୍ରଶେଖରପୁର ଗ୍ରାମର ସଚଳା ମାଝୀ ଓ ନାକଫୋଡି ମାଝୀଙ୍କର ଗୋଟିଏ ଝିଅ ବିବାହ କରି ସାରିଥିବା ବେଳେ ପୁଅ ବାହାରେ ରହି କାମ କରୁଛନ୍ତି। ତେବେ ସଚଳାଙ୍କ ଚରିତ୍ରକୁ ନେଇ ଉଭୟ ପତି ପତ୍ନୀ ମଧ୍ୟରେ ଅନେକ ସମୟରେ ଝଗଡ଼ା ଲାଗି ରହୁଥିଲା। ଗତକାଲି ପୁଣି ଥରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍ଵାମୀ ନାକଫୋଡି ତାଙ୍କ ସ୍ତ୍ରୀଙ୍କୁ ଏକ କଟୁରି ସାହାଯ୍ୟରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଇଛନ୍ତି। ଏହାପରେ ଆଜି ଭୋର୍ ସମୟରେ କଟାମୁଣ୍ଡ ଧରି ଜୋରନ୍ଦା ଫାଣ୍ଡି ଅଭିମୁଖେ ଯାଉଥିବା ବେଳେ ବାଟରେ ଜଂଖିରା ଗ୍ରାମ ନିକଟରେ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ପୋଲିସକୁ ଖବର ଦେଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନାକଫୋଡ଼ିଙ୍କୁ ଗିରଫ କରିବା ସହ କଟାମୁଣ୍ଡ ଓ କଟୁରୀ ଜବତ କରିଛି। ପୋଲିସ ଏନେଇ ଅଧିକ ତଦନ୍ତ କରୁଛି।