ଚଳିତ ପୌରନିର୍ବାଚନ ପାଇଁ ରାଜ୍ୟର ପୋଲସରା ଓ ଅନୁଗୁଳ ରେ ଦେଖିବାକୁ ମିଳୁଛି ବାପା ଓ ପୁଅ ମଧ୍ୟରେ କାଉନସିଲର ପଦବୀ ପାଇଁ ନିର୍ବାଚନୀ ଲଢେଇ।ଉଭୟ ସ୍ଥାନରେ ବାପା ମାନଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ପୁଅ ମାନଙ୍କୁ ବିଜେଡି ପ୍ରାର୍ଥୀ କରିଛି।
ମହାଭାରତ ଯୁଦ୍ଧରେ ପିତୃତୁଲ୍ୟ ଧୃତରାଷ୍ଟ୍ରଙ୍କ ସେନା ବିରୁଦ୍ଧରେ ପାଣ୍ଡବ ମାନଙ୍କୁ ନିଜ ହକ ପାଇଁ ଲଢ଼େଇ କରିବାକୁ ପଡିଥିଲା।କିନ୍ତୁ ଏଇଠି ତ ସିଧାସଳଖ ପୁଅମାନେ ବାପାମାନଙ୍କ ବିରୁଦ୍ଧରେ ମାମୁଲି କାଉନସିଲର ପଦବୀର କ୍ଷମତା ହାସଲ କରିବା ପାଇଁ ଲଢେଇ କରୁଛନ୍ତି,ଯାହାକି ଘୋର କଳିକାଳର ସୂଚନା।ବାପା ପୁଅଙ୍କୁ ପରସ୍ପର ବିରୁଦ୍ଧରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ଦେଇଥିବା ଦଳର ଚୟନକର୍ତା ମାନେ କେମିତି ଟିକିଏ ଭି ସଙ୍କୋଚ କଲେନାହିଁ ଏ ଭଳି ନିଷ୍ପତ୍ତି ନେବା ପୂର୍ବରୁ।ରାଜନୈତିକ ଦଳ ମାନଙ୍କର ଏହି ଭଳି ଆଚରଣ ପ୍ରଦର୍ଶନ ଦ୍ୱାରା ପରିବାର ମଧ୍ୟରେ ଅକାରଣେ ଫାଟ ସୃଷ୍ଟି ହେବା ସହ ସାମାଜିକ ମୂଲ୍ୟବୋଧ ରହୁନାହିଁ।ଭବିଷ୍ୟତରେ ସେମାନେ ଏହିପରି ଆଚରଣ ପାଇଁ ସାବଧାନ ରହିବାର ଆବଶ୍ୟକତା ରହିଛି।