ଏ କି ପ୍ରକାର ଶାସନ ଚାଲିଛି।ଏହା ଏକ ନଗ୍ନ ସତ୍ୟ ଓ ସମସ୍ତେ ଜାଣନ୍ତି ଯେ ନବୀନ ବାବୁ ଅମାଲତନ୍ତ୍ର ଉପରେ ଅଧିକ ଭରସା କରି ଶାସନର ଡୋରି ଏକରକମ ସେମାନଙ୍କ ହାତରେ ଟେକି ଦେଇଛନ୍ତି।ଯାହାର ଫାଇଦା ନେଇ କିଛି ଅମାଲତନ୍ତ୍ର ଏମିତି କାମ କରୁଛନ୍ତି, ଯାହାଦ୍ୱାରା ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତ ଉପରେ ଆଞ୍ଚ ଆସୁଛି।
ଅନେକ କିଛି ମଧ୍ୟରୁ ଗୋଟେ ଉଦାହରଣ ହେଲା ରାଜ୍ୟର କିଛି ସ୍ଥାନରେ ଦୁର୍ନୀତି ର ଦାଗ ଲାଗିଥିବା ପ୍ରଶାସନିକ ଅଧିକାରୀମାନେ ବର୍ଷ ବର୍ଷ ଧରି ଏମିତି ଚୌକି ମାଡି ରହୁଛନ୍ତି ଯେମିତି ସେମାନେ ସରକାରୀ ଚାକିରୀ କରିନାହାନ୍ତି, ବରଂ ନିଜସ୍ୱ କାର୍ଯ୍ୟାଳୟ ଚଳାଉଅଛନ୍ତି ଓ କେବେ ବଦଳି ହେବାର ସମ୍ଭାବନା ନାହିଁ। ଏହା ନୁହେଁ, ଏହି ଅଧିକାରୀ ମାନେ ସମାନ ଜିଲ୍ଲା ଓ ସହରରେ ପଦୋନ୍ନତି ପାଇ ରହି ଆସୁଛନ୍ତି, ଏବଂ ଏମାନଙ୍କ ଶବ୍ଦକୋଷରେ ଯେମିତି ବଦଳି ବୋଲି କିଛି ଶବ୍ଦ ନାହିଁ।
ସ୍ୱାଭାବିକ ଭାବରେ ଗୋଟିଏ ଜାଗାରେ ବଦଳି ନ ହୋଇ ଏବଂ ପଦୋନ୍ନତି ପାଇ ରହୁଥିବା ଅଧିକାରୀ ମାନେ ନିଶ୍ଚିତ ଭାବେ ଦୁର୍ନୀତିର ଗନ୍ତାଘର ହୋଇଥିବେ।ଆଉ ମଧ୍ୟ ଏମାନେ କିଛି ସମ୍ପୂର୍ଣ୍ଣ ଦୁର୍ନୀତିଗ୍ରସ୍ତ ଉପରସ୍ତ ଅଧିକାରୀ ମାନଙ୍କୁ ଅନୈତିକ ଉପାୟରେ ପ୍ରଭାବିତ କରି ତାଙ୍କର ଲକ୍ଷ୍ୟ ହାସଲ କରୁଥିବା ନିଶ୍ଚିତ, ଯାହାଦ୍ୱାରା ଅନୈତିକ ଅର୍ଥ ଉପାର୍ଜନ ର ବାଟ ପାଇବା ପରେ ସେହି ଜାଗାରେ ରହି ନିଜର ଅସାଧୁ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେଉଛନ୍ତି।
ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ଭରସା କରୁଛନ୍ତି ମାନେ ଏହା ନୁହେଁ ଯେ ଅସାଧୁ ଅମାଲତନ୍ତ୍ର ଏହାର ଫାଇଦା ଉଠାଇବାକୁ ଯାଇ ଦୁର୍ନୀତିକୁ ବଢ଼ିବାରେ ସାହାଯ୍ୟ କରିବେ।ଏହି ପ୍ରଚଳନ ବନ୍ଦ ହେବାର ଆବଶ୍ୟକତା ରହିଛି।