ପଡ଼ୋଶୀଙ୍କ ଘର ବନ୍ଧା ପକାଇ ଋଣ କରିବା ପଡ଼ିଲା ମହଙ୍ଗା । ଚାଲାକି ଧରାପଡ଼ିବା ପରେ ବନ୍ଧା ହୋଇଛନ୍ତି ମହିଳା । ହେଲେ ମହିଳାଙ୍କ ସ୍ୱାମୀ ଫେରାର ଅଛନ୍ତି । ଭୁବନେଶ୍ୱରରେ ପଡ଼ୋଶୀ ଘର ବନ୍ଧା ରଖି ୨୪ ଲକ୍ଷ ଟଙ୍କା ନେଇଯାଇଥିଲେ ଦମ୍ପତି । ସୂଚନା ଅନୁସାରେ, ଲକ୍ଷ୍ମୀପ୍ରିୟା ନାମକ ମହିଳା ନିଜ ସ୍ୱାମୀଙ୍କ ସହ ମିଶି ଓଲ୍ଡ ଟାଉନ୍ ମାର୍କେଟରେ ଏକ ରାସନ୍ ଦୋକାନୀଙ୍କ ଠାରୁ ଏହି ଟଙ୍କା ଲୁଟିଥିଲେ । ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀ ଜନାର୍ଦ୍ଦନ ବଳିୟାରସିଂ ଜଣେ ଭେଣ୍ଡର ହୋଇଥିବାରୁ ସେ ଅଭିଯୋଗକାରୀଙ୍କ ଦୋକାନକୁ ବିଭିନ୍ନ ସାମଗ୍ରୀ ଯୋଗାଇଥାନ୍ତି । ଉଭୟଙ୍କ ମଧ୍ୟରେ ଭଲ ଭାବେ ଚିହ୍ନା ପରିଚୟ ଥିବାରୁ ଅଭିଯୁକ୍ତ ଜଣକ ନିଜ ବ୍ୟବସାୟକୁ ବଢାଇବା ଲାଗି ଅଭିଯୋଗକାରୀଙ୍କୁ ୧୦ଲକ୍ଷ ଟଙ୍କା ସାହାଯ୍ୟ ମାଗିଥିଲେ ।
ଅଭିଯୋଗକାରୀ ବିଶ୍ୱାସର ସହ ନିଜ ଘରକୁ ବନ୍ଧା ରଖି ଅଭିଯୁକ୍ତଙ୍କୁ ଟଙ୍କା ସାହାଯ୍ୟ କରିଥିଲେ । ଅଭିଯୁକ୍ତ ଜଣକ ଋଣ ଶୁଝି ସେହି ଲୋନ ଉପରେ ପୁନର୍ବାର ୨୪ଲକ୍ଷ ଟଙ୍କା ଋଣ ଆଣିଥିଲେ । କିନ୍ତୁ ପରେ ଏହି ଋଣ ଶୁଝିନଥିଲେ । ବ୍ୟାଙ୍କରୁ ବାରମ୍ବାର ସୂଚନା ଦିଆଯାଇଥିଲେ ବି ଦମ୍ପତି କର୍ଣ୍ଣପାତ କରିନଥିଲେ । ଶେଷରେ ନିୟମ ଅନୁସାରେ ବ୍ୟାଙ୍କ ବନ୍ଧକ ରଖାଯାଇଥିବା ଅଭିଯୋଗକାରୀଙ୍କ ଘରକୁ ସିଲ୍ କରାଯାଇଥିଲା । ପରବର୍ତୀ ସମୟରେ ଅଭିଯୋଗକାରୀ ସମ୍ପର୍କୀୟମାନଙ୍କ ନିକଟରୁ ଟଙ୍କା ଧାର ଆଣି ବ୍ୟାଙ୍କରେ କିସ୍ତି ଶୁଝିବା ସହିତ ନିଜ ଘରକୁ ମୁକୁଳାଇଥିଲେ । ପରବର୍ତୀ ସମୟରେ ସେ ଥାନାରେ ଅଭିଯୋଗ କରିବା ପରେ ଲିଙ୍ଗରାଜ ଥାନା ପୁଲିସ ଲକ୍ଷ୍ମୀପ୍ରିୟାଙ୍କୁ ଗିରଫ କରିଛି । ଲକ୍ଷ୍ମୀପ୍ରିୟାଙ୍କ ସ୍ୱାମୀଙ୍କୁ ଗିରଫ ଲାଗି ଉଦ୍ୟମ ଜାରି ରଖିଛି ପୋଲିସ ।