ଭାଜପା ବିଧାୟକ ସୋମେନ ରାୟ ତୃଣମୂଳ କଂଗ୍ରେସ( ଟିଏମସି)କୁ ଫେରିବାର କିଛି ଦିନ ବିତିଛି। ଏବେ ଦଳୀୟ ନେତା ମୁକୁଲ ରାୟ ଦାବି କରିଛନ୍ତି ଯେ ଆଗାମୀ ଦିନରେ ବହୁ ଭାଜପା ବିଧାୟକ ଟିଏମସିରେ ଯୋଗ ଦେଇପାରନ୍ତି। ସେ କହିଛନ୍ତି ମୁଖ୍ୟନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କାମ କରିବାକୁ ଚାହୁଁଥିବା ୨୪ ଜଣ ଭାଜପା ବିଧାୟକ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି। ଟିଏମସିରେ ଯୋଗଦେବାକୁ ଚାହୁଁଥିବା ବିଧାୟକ ଏବଂ ନେତାଙ୍କ ଲମ୍ବା ଧାଡି ରହିଛି ବୋଲି ସେ କହିଛନ୍ତି।ଚଳିତ ବର୍ଷ ଜୁନରେ ମୁକୁଲ ରାୟ ନିଜେ ଭାଜପା ଛାଡି ଟିଏମସି ଫେରିଥିଲେ। ଗତ ଚାରି ସପ୍ତାହ ମଧ୍ୟରେ ସୋମେନ ରାୟ, ବିଶ୍ୱଜିତ ଦାସ ଏବଂ ତନ୍ମୟ ଘୋଷଙ୍କ ସମେତ ଚାରିଜଣ ଭାଜପା ବିଧାୟକ ଟିଏମସିରେ ଯୋଗ ଦେଇଛନ୍ତି। ଏ ସମସ୍ତ ନେତା ମୁକୁଲ ରାୟଙ୍କ ନିକଟତର ବୋଲି ବିବେଚନା କରାଯାଏ।ଏହାଦ୍ୱାରା ଏବେ ପଶ୍ଚିମବଙ୍ଗ ବିଧାନସଭାରେ ଭାଜପା ବିଧାୟକଙ୍କ ସଂଖ୍ୟା ୭୧ କୁ ହ୍ରାସ ପାଇଛି। ଏହାକୁ ନେଇ କେନ୍ଦ୍ରୀୟ ହାଇକମାଣ୍ଡଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ରାଜ୍ୟରେ ଉପ ନିର୍ବାଚନ ପୂର୍ବରୁ ପୁଣି ଦଳକୁ ଝଟକା ଲାଗିପାରେ।