Webportal

ପୁଣି ଅଶାନ୍ତ ବାଲେଶ୍ବର; ଲୁଟ ଲାଗି ରହିଥିବା ବେଳେ ଏବେ ହତ୍ୟା ମାମଲା ସାମ୍ନାକୁ ଆସିଛି

sanitry
0 107

ପୁଣି ଅଶାନ୍ତ ବାଲେଶ୍ୱର। ଶୁକ୍ରବାର ରାତିରେ ଘଟିଛି ବିଭତ୍ସ ହତ୍ୟା। ହତ୍ୟା ପଛରେ ବଡ଼ ଗ୍ୟାଙ୍ଗର କିଛି କୁଖ୍ୟାତ ଅପରାଧୀ ଥିବା ଚର୍ଚ୍ଚା ହେଉଥିବା ବେଳେ ପୋଲିସ ଜୋର୍ ଜୋରରେ ତଦନ୍ତ ଜାରି ରଖିଛି।

ଶୁକ୍ରବାର ରାତିରେ ଚାନ୍ଦିପୁର ଥାନା ଚାନ୍ଦିପୁର ରାସ୍ତାର ଆଇଓସିଏଲ ଛକ ନିକଟରେ ସୁନହଟ୍ ଅଞ୍ଚଳର ଯୁବକ ସତ୍ୟବ୍ରତ ଦାସ ଓରଫ୍ ବାପୁନର ହତ୍ୟା ହୋଇଛି। ଏହି ବିଭତ୍ସ ହତ୍ୟା ପରେ ଚାନ୍ଦିପୁର ଥାନାରେ ମାମଲା ରୁଜୁ ହୋଇଛି।

ପୋଲିସ କେସ ନମ୍ବର ୫୬/୨୦୨୨ରେ ହତ୍ୟା ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଛାନଭିନ୍ ଆରମ୍ଭ କରିଛି। କିଏ ଓ କାହିଁକି ତାଙ୍କୁ ଏପରି ନିର୍ମମ ଭାବେ ହତ୍ୟା କଲେ, ସେମାନଙ୍କ ସହ ବାପୁନୁର ଶତ୍ରୁତା କଣ ଥିଲା, କିଏ ଏହାର ମାଷ୍ଟରମାଇଣ୍ଡ୍, ହତ୍ୟା ପାଇଁ କିପରି ହୋଇଥିଲା ଷଡ଼ଯନ୍ତ୍ର ଓ କେତେ ଜଣ ଏଥିରେ ସାମିଲ ଥିଲେ, ଏମିତି ତମାମ୍ ଦିଗକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଜାରି ରଖିଛି।

ତେବେ ପୋଲିସ ପକ୍ଷରୁ ଏନେଇ କିଛି ସୂଚନା ମିଳିନଥିବା ବେଳେ
ତାଙ୍କ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଥିବା ଜଣାପଡିଛି। ଟାଉନ ଥାନା, ସହଦେବଖୁଣ୍ଟା ଥାନା ଓ ଚାନ୍ଦିପୁର ବଳରାମଗଡ଼ି ସାମୁଦ୍ରିକ ଥାନାରେ ୭ରୁ ଅଧିକ ମାମଲା ତାଙ୍କ ନାଁରେ ବିଚାରାଧୀନ ରହିଥିବା ବେଳେ ପୂର୍ବରୁ ଗିରଫ ହୋଇ ଜେଲରେ ଥିଲା ବାପୁନୁ।

ସେ ବାଲେଶ୍ଵର ସହର, ସୁନହଟ୍, ପାତ୍ରପଡ଼ା, ଶ୍ରୀକୋଣା ଓ ଚାନ୍ଦିପୁର ଅଞ୍ଚଳରେ ଟଙ୍କା ସୁଧ କାରବାର ଚଳାଇଥିଲା। ଧାର୍ଯ୍ୟ ତାରିଖରେ ଯିଏ ତାଙ୍କ କିସ୍ତି ଟଙ୍କା ସୁଝୁନଥିଲେ ସତ୍ୟବ୍ରତ ସେମାନଙ୍କୁ ଧମକଚମକ ଦେଇ ଟଙ୍କା ଆଦାୟ କରୁଥିଲା ବୋଲି ସୂଚନା ମିଳିଛି।

ସେହିପରି ଜମି କାରବାରରେ ଜଡ଼ିତ ଥିବା ମାଫିଆଙ୍କ ସହ ମଧ୍ୟ ତାଙ୍କର ଲିଙ୍କ୍ ରହିଥିଲା। ତେବେ ଜମିଜମା କାରବାରରେ ଟଙ୍କା ଭାଗବଣ୍ଟା କୁ ନେଇ ହତ୍ୟାକାଣ୍ଡ ଘଟିଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି।

ତେବେ ତାଙ୍କ ଘର ତରଫରୁ ଏସବୁକୁ ଅସ୍ବୀକାର କରାଯାଇଥିବା ବେଳେ ପୂର୍ବରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ପୋଲିସକୁ ଜଣାଯାଇଥିଲା। ହତ୍ୟାକାଣ୍ଡକୁ ନେଇ ଥାନାରେ ହୋଇଥିବା ଲିଖିତ ଅଭିଯୋଗରେ ଏସବୁ ଦର୍ଶାଯାଇ ଥିବା ତାଙ୍କ ଭାଇ ସୁବ୍ରତ ଦାସ କହିଛନ୍ତି।

ଅପରାଧୀ ଗ୍ୟାଙ୍ଗକୁ ଧରିବା ପାଇଁ ବାଲେଶ୍ଵର ସିଟି ଡିଏସ୍‌ପିଅମୂଲ୍ୟ ଧର ଓ ସଦର ଏସ୍‌ଡିପିଓ ମଲ। ପଦାରବିନ୍ଦ ତ୍ରିପାଠୀଙ୍କ ନେତୃତ୍ବରେ ଚାନ୍ଦିପୁର ଥାନା ଆଇଆଇସି ଅଜୟ ମୁର୍ମୁ ଓ ଟାଉନ ଥାନା ଆଇଆଇସି ଗୋପାଳ ଚନ୍ଦ୍ର କଅଁଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛି ପୋଲିସ ବିଭାଗ।

ସେପଟେ ଏହି ହତ୍ୟାକୁ ନେଇ ସହରବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି। ମୁଖ୍ୟତଃ ଏହି ହତ୍ୟା ପଛରେ କିଛି ପେସାଦାର ଅପରାଧୀ ଥିବା ସନ୍ଦେହ କରାଯାଉଥିବା ବେଳେ ପୁଣି ପୁରୁଣା ଗ୍ୟାଙ୍ଗ ସକ୍ରିୟ ହେବା ଆଶଙ୍କା ଦେଖାଯାଉଛି।

Square Ad 1
Leave A Reply

Your email address will not be published.