ଅପରାଧୀଙ୍କ ମନୋବଳ ଉଚ୍ଚରେ,ସିସିଟିଭି ସମ୍ମୁଖରେ ଆତଙ୍କରାଜ
ସହରରେ କୋଟି କୋଟି ଟଙ୍କାର ସିଟିଟିଭି ଲାଗିବା ପରେ ଦୃଡ଼ ବିଶ୍ୱାସ ଥିଲା ଏହି ସିଟିଟିଭି ହିଁ ଦୁର୍ବୃତ୍ତଙ୍କୁ ଧରିବ । କିନ୍ତୁ ଅନୁଗୁଳ ଥାନା ପୁଲିସ୍ର ଆଖିରେ ଆଙ୍ଗୁଳି ଗେଞ୍ଜି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ । ଅକ୍ଟୋବର ୨ ତାରିଖରେ ୪ ଜଣ ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ୍ ଗାନ୍ଧିମାର୍ଗରେ ଆତଙ୍କ ଖେଳାଇ ଦେଇଥିଲା । ଜଣେ ଫାଇନାନ୍ସ କମ୍ପାନିର ରିକଭରି ଏଜେଣ୍ଟକୁ ଦୁର୍ବୃତ୍ତମାନେ ନିର୍ଧୂମ ଛେଚି ଲହୁଲୁହାଣ କରିଛନ୍ତି । ମାଡ଼ପିଟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିବା ଜଣାଯାଇଛି ।
ସମୟ ଅପରାହ୍ଣ ୫ଟା । ଗାନ୍ଧିମାର୍ଗରେ ବୁଲେଟ୍ରେ ଯାଉଥିବା ଜଣେ ଫାଇନାନ୍ସ କମ୍ପାନିର ରିକଭରି ଏଜେଣ୍ଟଙ୍କ ବାଟ ଓଗାଳିଥିଲେ ୪ ଜଣ ଦୁର୍ବୃତ୍ତ । ଦୁଇଟି ବାଇକ୍ରେ ଆସିଥିଲେ ଦୁର୍ବୃତ୍ତ । ମୁହଁରେ କପଡା ବାନ୍ଧିବା ସହ ବାଇକ୍ର ନମ୍ବର ପ୍ଲେଟ ମଧ୍ୟ ଘୋଡ଼ାଇ ଦେଇଥିଲେ । ଜଣେ ଦୁର୍ବୃତ୍ତ ବାଇକ୍ ପାଖରେ ରହିଥିବା ବେଳେ ଅନ୍ୟ ୩ ଜଣ ରିକଭରି ଏଜେଣ୍ଟଙ୍କ ଉପରେ ଝାମ୍ପି ପଡ଼ିଥିଲେ । ସାଥୀରେ ଆଣିଥିବା କ୍ରିକେଟ ଷ୍ଟମ୍ପ୍ରେ ଅତି ନିର୍ଦ୍ଦୟ ଭାବେ ପ୍ରହାର କରିଥିଲେ । ଦୁର୍ବୃତ୍ତଙ୍କ ଏହି ଗୁଣ୍ଡାରାଜ ଆଗରେ ସ୍ଥାନୀୟ ଲୋକ କେବଳ ଦେଖଣାହାରୀ ସାଜିଥିଲେ । ସେମାନଙ୍କୁ ରୋକିବାକୁ କେହି ସାହସ କରିନଥିଲେ ।ରିକଭରି ଏଜେଣ୍ଟ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ଆକ୍ରୋଶରୁ ତ୍ରାହି ପାଇପାରିନଥିଲେ । ଆଖିବୁଜା ପିଟି ଚାଲିଥିବା ବେଳେ ଜୀବନ ବିକଳରେ ରିକଭରି ଏଜେଣ୍ଟ ରାସ୍ତା ପାଶ୍ୱର୍ ଏକ ରାସନ ଦୋକାନ ଭିତରକୁ ପଳାଇଥିଲେ। ତଥାପି ନିସ୍ତାର ପାଇନଥିଲେ । ଦୁର୍ବୃତ୍ତମାନେ ଦୋକାନ ଭିତରୁ ଟାଣି ଆଣି ତଳେ ପକାଇ ପିଟିଥିଲେ । ଦୋକାନ ସାମ୍ନାରେ ଥିବା ଥଣ୍ଡା ଟ୍ରେରେ ଆକ୍ରମଣ କରିଥିଲେ ।ଏହି ତୁମୁଳକାଣ୍ଡରେ ଦୋକାନର ଜିନିଷପତ୍ର ମଧ୍ୟ ଫିଙ୍ଗା ଫୋପଡ଼ା ହୋଇଥିଲା । ଅଧିକ ଲୋକଙ୍କ ରୁଣ୍ଡ ଦେଖି ଦୁର୍ବତ୍ତମାନେ ଚମ୍ପଟ ମାରିଥିଲେ । ସବୁଠାରୁ ବଡ଼କଥା ହେଲା ସ୍ଥାନୀୟ ଲୋକ ଏ ନେଇ ଅନୁଗୁଳ ପୁଲିସ୍କୁ ଫୋନ୍ କରିଥିଲେ ପୋଲିସ ନ ପହଂଚିବା କଥା କୁହାଯାଉଛି।