ଉପଭୋକ୍ତାଙ୍କ ୩୫୪ କୋଟି କଂପାନି ନେଇଗଲେ ।କୋଟିଆବାସୀଙ୍କୁ ଆନ୍ଧ୍ର ପ୍ରଦେଶ ସରକାର ପ୍ରଲୋଭିତ କରୁଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇନାହିଁ ବୋଲି ଉତ୍ତର ଦେଇ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଅକଳରେ ପଡ଼ିଛନ୍ତି। ଏହି ପ୍ରସଙ୍ଗରେ ସତ କ’ଣ ସେ ସଂକ୍ରାନ୍ତରେ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଲେଣି ଉଭୟ ସରକାରୀ ଓ ବିରୋଧୀ ଦଳ ବିଧାୟକ। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କର ଏକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକଙ୍କର ଏଭଳି ଉତ୍ତର ଓଡ଼ିଶାବାସୀଙ୍କୁ ମଧ୍ୟ ଚକିତ କରିଛି।
ଠିକ୍ ଏମିତି ସମୟରେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି। ରାଜ୍ୟର କୋଟିଏ ବିଦ୍ୟୁତ୍ ଉପଭୋକ୍ତାଙ୍କ ଠାରୁ ବେଆଇନ୍ ଭାବେ ବିଦ୍ୟୁତ୍ ବିଲ୍ ଆଦାୟ ସଂକ୍ରାନ୍ତରେ ଶ୍ରୀ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରଶ୍ନର ଉତ୍ତରକୁ ଫାଙ୍କିବାକୁ ଯାଇ ମନ୍ତ୍ରୀ ଏବେ ଅଡ଼ୁଆରେ। ମନ୍ତ୍ରୀ ନିଜ ବିଭାଗର ଉତ୍ତରକୁ ଭରସା କରିନାହାନ୍ତି। ବରଂ ପାଦେ ଆଗକୁ ଯାଇ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି)ଙ୍କ ଜବାବକୁ ଗୃହ ସାମ୍ନାରେ ରଖିବା ସହିତ ବିଧାୟକଙ୍କ ପ୍ରଶ୍ନକୁ ଭିତ୍ତିହୀନ ଓ ଅମୂଳକ କହି ଏଡ଼ାଇ ଯିବା ବେଳେ ଏକ ବଡ଼ ସତର ଖୁଲାସା କରିଛନ୍ତି। ଏଥିସହିତ ରାଜ୍ୟରେ ବିଦ୍ୟୁତ୍ ଦର ନିର୍ଧାରଣ ପ୍ରକ୍ରିୟାର ସବୁଠାରୁ ସାଂଘାତିକ ତ୍ରୁଟି ସରକାରଙ୍କ ଜରିଆରେ ରାଜ୍ୟବାସୀଙ୍କ ସାମ୍ନାକୁ ଆସିଛି।
ଏକ ପ୍ରଶ୍ନର ଉତ୍ତରରେ ସରକାରଙ୍କ ଠାରୁ ଜାଣିବାକୁ ଚାହିଁଥିଲେ ଯେ ଓଇଆର୍ସିଙ୍କ ଦ୍ବାରା ଅନୁେମାଦିତ ହାରାହାରି ଟାରିଫ୍ ବା ବିଦ୍ୟୁତ୍ ଦର ତୁଳନାରେ ଘରୋଇ ବିଦ୍ୟୁତ୍ ଆବଣ୍ଟନ କଂପାନିମାନେ ୨୦୨୦-୨୧ ବର୍ଷରେ ଉପଭୋକ୍ତାଙ୍କ ଠାରୁ ବେଆଇନ ଭାବେ ୪୬୩ କୋଟି ୯୮ ଲକ୍ଷ ଟଙ୍କାର ବିଲ୍ ଜାରି କରିବା ସହିତ ଅର୍ଥ ଆଦାୟ କରିଥିଲେ। ୨୦୧୨-୧୩ରୁ ଆବଣ୍ଟନ କଂପାନିମାନେ ଏହି ଅସଦ୍ ଉପାୟ ଅବଲମ୍ବନ କରି ଆସୁଥିଲେ ହେଁ ଆୟୋଗ କିନ୍ତୁ ଏହି ଟାରିଫ୍ ବର୍ହିଭୂତ ଅର୍ଥକୁ ହିସାବକୁ ନ ନେବା ବା ଟ୍ରୁଇଙ୍ଗ୍ ଅପ୍ ନ କରିବା ଦ୍ବାରା ଉପଭୋକ୍ତା ଶୋଷିତ ହେଉଛନ୍ତି। ସରକାର ଏହାର ବିଧିବଦ୍ଧ ଅଡ଼ିଟ୍ କରି ଉପଭୋକ୍ତାଙ୍କୁ ନ୍ୟାୟ ଦେବା ପାଇଁ ଶ୍ରୀ ପଟ୍ଟନାୟକ ପ୍ରଶ୍ନ ଛଳରେ ଦାବି କରିଥିଲେ।
ମନ୍ତ୍ରୀ ଅଡିଟ୍ କରି କୋଟିଏ ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ବାର୍ଥ ସୁରକ୍ଷା କଥା କହିନାହାନ୍ତି। ଓଲଟା ଏ ସଂକ୍ରାନ୍ତ ପ୍ରଶ୍ନର ଉତ୍ତରରେ ଆୟୋଗ ଯେଉଁ ତଥ୍ୟ ସରକାରଙ୍କୁ ଦେଇଥିଲେ, ତାହାକୁ ସିଧା ଗୃହରେ ରଖିଛନ୍ତି। ଆୟୋଗଙ୍କ ଉତ୍ତରର ପ୍ରଥମ ପାରାରେ ଗୋଟିଏ ପ୍ରଚ୍ଛନ୍ନ ଧମକ ରହିଛି। କୁହାଯାଇଛି ଯେ ଯେଉଁମାନେ ଓଇଆର୍ସିଙ୍କ ବିଦ୍ୟୁତ୍ ଦର ନିର୍ଧାରଣ ପ୍ରକ୍ରିୟାରେ ଅସନ୍ତୁଷ୍ଟ, ସେମାନେ ଚାହିଁଲେ ଆପିଲେଟ୍ ଟ୍ରିବ୍ୟୁନାଲକୁ ଯାଇପାରିବେ। ଓଡ଼ିଶା ଇେଲକ୍ଟ୍ରିସିଟି ଆକ୍ଟ ୨୦୦୩ର ଧାରା ୧୧୧ରେ ଥିବା ଏହି ବ୍ୟବସ୍ଥା ସଂପର୍କରେ ଆୟୋଗ ଠାରିଛନ୍ତି।
ହେଲେ କୌତୂହଳର କଥା ହେଲା, ମନ୍ତ୍ରୀଙ୍କ ଉତ୍ତରରେ ଯେଉଁ ତଥ୍ୟର ଅବତାରଣା କରାଯାଇଛି ସେଥିରେ ଗୋଟିଏ ବିରାଟ ସତ ଲୁଚିପାରିନାହିଁ। ଆୟୋଗ ସ୍ବୀକାର କରିଛନ୍ତି ଯେ ୨୦୨୧-୨୨ରେ ଆବଣ୍ଟନ କଂପାନିମାନେ ୩୫୦ କୋଟି ଟଙ୍କା ଅଧିକ ଆଦାୟ କରିଥିବା ପରିପ୍ରେକ୍ଷୀରେ ଏହାକୁ ଚଳିତବର୍ଷର ବାର୍ଷିକ ରାଜସ୍ବ ଆବଶ୍ୟକତାରୁ ବାଦ୍ ଦିଆଯାଇଛି ଓ ବିଦ୍ୟୁତ୍ ଦର ବୃଦ୍ଧିକୁ ରୋକାଯାଇପାରିଛି। ଅର୍ଥାତ୍ ଏମିତି ଏକ ବ୍ୟବସ୍ଥା ଓଡ଼ିଶା ବିଦ୍ୟୁତ୍ ଆଇନରେ ରହିଛି, ଏକଥା ଆୟୋଗ ମାନିଛନ୍ତି। ତେବେ ୨୦୧୨-୧୩ରୁ ୨୦୨୦-୨୧ ଅର୍ଥାତ୍ ପୂର୍ବ ନଅ ବର୍ଷ କାହିଁକି ଟ୍ରୁଇଙ୍ଗ୍ ଅପ୍ କରାଯାଇନାହିଁ, ସେ ନେଇ ଆୟୋଗ କୌଣସି ତଥ୍ୟ ରଖିନାହାନ୍ତି।
ଆୟୋଗଙ୍କ ଏଭଳି ନିରବତା ବିଦ୍ୟୁତ୍ ଦର ନିର୍ଧାରଣ ପଛରେ ଏକ ବଡ଼ ଧରଣର କେଳେଙ୍କାରୀ ବା ଅଭିସନ୍ଧି ଆଡ଼କୁ ଆଙ୍ଗୁଠି ଉଠାଉନାହିଁ କି?
କେବଳ ଗୋଟିଏ ବର୍ଷ ଟ୍ରୁଇଙ୍ଗ୍ ଅପ୍ କରି ଓଇଆର୍ସି ଜାଣିପାରିଲେ ଯେ ଘରୋଇ ଆବଣ୍ଟନ କଂପାନିମାନେ କେତେ ଅଧିକ ବିଦ୍ୟୁତ୍ ଦେୟ ଆଦାୟ କରିଛନ୍ତି। ଏହାସତ୍ତ୍ବେ କାହିଁକି ଓ କାହା ସ୍ବାର୍ଥରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଏହି ନଅ ବର୍ଷ ଧରି ଟ୍ରୁଇଙ୍ଗ୍ ଅପ୍ କରିନାହାନ୍ତି? ଯଦି ଗତବର୍ଷ ଆୟୋଗ ଟ୍ରୁଇଙ୍ଗ୍ ଅପ୍ କରିବାକୁ ଚାହିଁଲେ, ତେବେ ପୂର୍ବବର୍ଷମାନଙ୍କରେ ସେମାନଙ୍କୁ କିଏ ବାଧା ଦେଇଥିଲା? ନିୟାମକ ଆୟୋଗ କୋଟିଏ ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ବାର୍ଥରେ ନା ଆବଣ୍ଟନ କଂପାନିଙ୍କ ସୁରକ୍ଷା ପାଇଁ ଅଛନ୍ତି? ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ଘରୋଇ ଆବଣ୍ଟନ କଂପାନିଙ୍କ ସ୍ବାର୍ଥରେ ଅଛନ୍ତି କି? ଯଦି ନା, ତେବେ କାହିଁକି ଆୟୋଗଙ୍କ ନିକଟରେ ସରକାର ଆଇନରେ ଥିବା ଏହି ବ୍ୟବସ୍ଥାର ଅନୁପାଳନ ପାଇଁ ଦାବି କରିନାହାନ୍ତି? ବିଧାୟକ ଯେବେ ବାର୍ଷିକ ବିଦ୍ୟୁତ ଦର ନିର୍ଧାରଣ ସଂକ୍ରାନ୍ତ ଜନଶୁଣାଣିରେ ଭାଗ ନେଇ ଏ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରିବା ସହିତ ଆୟୋଗଙ୍କୁ ପ୍ରଶ୍ନବାଣରେ ଛନ୍ଦି ପକାଇଲେ, ସେବେ ଏ ସଂକ୍ରାନ୍ତ କାରସାଦି ଧରାପଡ଼ିଗଲା। ବିଦ୍ୟୁତ୍ ଦର ବୃଦ୍ଧି ନ କରିବା ପାଇଁ ସରକାର ଅଣ୍ଟା ଭିଡ଼ିଲେ। ପୂର୍ବରୁ ଏହି ବ୍ୟବସ୍ଥା ସଂପର୍କରେ ସମସ୍ତେ ଅଜ୍ଞ ଥିଲେ ନା ଜାଣି ଅଜଣା ଭଳି ବ୍ୟବହାର କରୁଥିଲେ, ତାହା ଉପଭୋକ୍ତାଙ୍କୁ ଆନ୍ଦୋଳିତ କଲାଣି।
ଲୋକସ୍ବାର୍ଥ ସମ୍ବଳିତ ଏହି ପ୍ରଶ୍ନର ଭାଗ୍ୟ ଗୃହରେ ନିର୍ଣ୍ଣୟ ହୋଇପାରିନାହିଁ ଏବଂ ମନ୍ତ୍ରୀଙ୍କ ଉତ୍ତର ସହିତ ଯେଉଁ ପ୍ରଶ୍ନଗୁଚ୍ଛ ସାମ୍ନାକୁ ଆସିଥାନ୍ତା ଓ ସରକାର ସନ୍ଦେହ ମୋଚନ କରିଥାନ୍ତେ, ସେସବୁ ମଧ୍ୟ ଅସମାହିତ ରହିଯାଇଛି।
ବିଧାୟକଙ୍କ ଏହି ପ୍ରଶ୍ନକୁ ମନ୍ତ୍ରୀ ଯେଭଳି ଢଙ୍ଗରେ ଫାଙ୍କିଛନ୍ତି ତାହା ଶକ୍ତି ସମୀକ୍ଷକଙ୍କୁ ଆଚମ୍ବିତ କରିଛି। ଏହି ମହଲର କହିବା କଥା ହେଲା, ଆବଣ୍ଟନ କଂପାନିମାନଙ୍କ ପାଇଁ ବିଦ୍ୟୁତ ଦର ନିର୍ଧାରଣ ସଂକ୍ରାନ୍ତ ନିୟମାବଳୀର ପାରା ୮.୧ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ଏହି କଂପାନିମାନେ ପୂର୍ବ ବର୍ଷରେ ବିଦ୍ୟୁତ୍ ବିଲ୍ ଆକାରରେ ଅସୁଲ କରିଥିବା ରାଜସ୍ବ ଯଥାର୍ଥ କିମ୍ବା ଅଧିକ ଅଥବା କମ୍ ସେ ସଂକ୍ରାନ୍ତରେ ଟ୍ରୁଇଙ୍ଗ୍ ଅପ୍ ଦରଖାସ୍ତ ଓଇଆର୍ସିଙ୍କ ନିକଟରେ ଦାଖଲ କରିବା କଥା। ତାହାକୁ ଆୟୋଗ ତୁରନ୍ତ ତର୍ଜମା କରି ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ନିର୍ଦେଶନାମା ଜାରି କରିବେ; ଏହାକୁ ବିଚାରକୁ ନେଇ ଆବଣ୍ଟନ କଂପାନି ନଭେମ୍ବର ୩୦ ତାରିଖ ସୁଦ୍ଧା ବାର୍ଷିକ ରାଜସ୍ବ ଆବଶ୍ୟକତା ଦରଖାସ୍ତ ଜରିଆରେ ବିଦ୍ୟୁତ୍ ଦର ନିର୍ଧାରଣ ପାଇଁ ଆୟୋଗଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିବେ।
ହେଲେ ବାସ୍ତବତା ହେଲା, ଆବଣ୍ଟନ କଂପାନିମାନେ ୨୦୧୨-୧୩ ବର୍ଷରୁ ଦୀର୍ଘ ନଅ ବର୍ଷ ଧରି ଏହି ଆଇନଗତ ପ୍ରକ୍ରିୟାକୁ ଆଦୌ ଅନୁସରଣ କରିନାହାନ୍ତି। ଏବଂ ଆୟୋଗ ସେମାନଙ୍କୁ ତାଗିଦ୍ କରିବା ବଦଳରେ ଆଶ୍ଚର୍ଯ୍ୟଜନକ ଭାବେ ନିରବ ରହିଆସିଛନ୍ତି। ଫଳରେ ସେହି ନଅ ବର୍ଷରେ ଆବଣ୍ଟନ କଂପାନିମାନେ ନିର୍ଧାରିତ ବିଦ୍ୟୁତ୍ ଦର ତୁଳନାରେ କେତେ ଅଧିକ କିମ୍ବା କମ୍ ରାଜସ୍ବ ଅସୁଲ କରିଛନ୍ତି, ସେ ନେଇ ରାଜ୍ୟ ତଥା ଉପଭୋକ୍ତା ବର୍ଗ ଅନ୍ଧାରରେ ରହିଛନ୍ତି।
ଶକ୍ତି ସମୀକ୍ଷକଙ୍କ ଆକଳନ ଅନୁସାରେ, ଆବଣ୍ଟନ କଂପାନିମାନେ ଏହି ସମୟରେ ଅସୁଲ କରିଥିବା ଆୟୋଗଙ୍କ ଅନୁମୋଦିତ ବିଦ୍ୟୁତ ଦର ଠାରୁ ପ୍ରାୟ ୫୦୦୦ କୋଟି ଟଙ୍କା ଅଧିକ। ଏହି ମହଲ ଆହୁରି କହୁଛନ୍ତି ଯେ ମନ୍ତ୍ରୀ ତାଙ୍କ ଉତ୍ତରରେ ୨୦୨୧-୨୨ ବର୍ଷରେ ଅନୁମୋଦିତ ରାଜସ୍ବ ଠାରୁ ୩୫୦ କୋଟି ଅଧିକ ଅର୍ଥ ଆଦାୟ ହୋଇଥିବା ନେଇ ଯେଉଁ ତଥ୍ୟ ରଖିଛନ୍ତି, ତାହା ବି ଭ୍ରମାତ୍ମକ। ବାସ୍ତବ ଚିତ୍ର ହେଲା, ଏହା ୨୦୨୧ ଏପ୍ରିଲ ୧ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ମାତ୍ର ୯ମାସର ହିସାବ। ପୂରା ପ୍ରକ୍ରିୟାକୁ ବିଶ୍ଳେଷଣ କଲେ ସ୍ପଷ୍ଟ ଜଣାପଡେ ଯେ ଏବର୍ଷ ମଧ୍ୟ ଟ୍ରୁଇଙ୍ଗ୍ ଅପ୍ କରାଯାଇନାହିଁ, ବରଂ ୨୦୨୧-୨୨ରେ ଗ୍ରିଡ୍କୋ ଆକାଶରୁ ତୋଳିଆଣିବା ଭଳି ଗୋଟିଏ ହିସାବ ଆୟୋଗଙ୍କ ସାମ୍ନାରେ ରଖିଥିଲା। ଏଥିରେ ଏକପକ୍ଷରେ ଟାଟା-ଉତ୍ତର ଓଡ଼ିଶା ଆବଣ୍ଟନ କଂପାନିର ରାଜସ୍ବ ବଳକା ହିସାବକୁ ଆଦୌ ବିଚାରକୁ ନିଆଯାଇନାହିଁ। ଅନ୍ୟପକ୍ଷରେ ଆବଣ୍ଟନ କଂପାନିମାନେ ଧାର୍ଯ୍ୟ ସମୟରେ ଟ୍ରୁଇଙ୍ଗ୍ ଅପ୍ ଆବେଦନ କରିନଥିଲେ ହେଁ ୨୦୨୦-୨୧ ବର୍ଷରେ (ଟାଟା ପାଵାର ଅବଧିର) ଟ୍ରୁଇଙ୍ଗ୍ ଅପ୍ କରାଯାଇଛି। ଯେଉଁଥିରେ କେନ୍ଦ୍ର-ଓଡ଼ିଶାର ଦଶ ମାସ ଏବଂ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଆବଣ୍ଟନ କଂପାନିର ତିନିମାସର ରାଜସ୍ବ ଅସୁଲକୁ ତର୍ଜମା କରାଯାଇ ୩୫୪ କୋଟି ୫୦ଲକ୍ଷ ଟଙ୍କା ଅଧିକ ରାଜସ୍ବ ଆଦାୟ ହୋଇଥିବା ଧରାପଡ଼ିଥିଲା। ହେଲେ ୨୦୨୨-୨୩ ବର୍ଷରେ ଆୟୋଗ ତାହାକୁ ରହସ୍ୟଜନକ ଭାବେ ବିଚାରକୁ ନ ନେଇ ଟାରିଫ୍ ଧାର୍ଯ୍ୟ କରିଦେଲେ। ଅନ୍ୟଥା ଏହାକୁ ଗ୍ରହଣ କରାଯାଇଥିଲେ, ୟୁନିଟ୍ ପିଛା ବିଦ୍ୟୁତ ଦର ଆଉ କିଛି ପଇସା ନିଶ୍ଚୟ କମିଥାନ୍ତା। ଏହା ନ କରାଯିବା ଦ୍ବାରା ଉପଭୋକ୍ତା ଗଣିଥିବା ଏତେ ବିପୁଳ ପରିମାଣର ଅର୍ଥ ଆବଣ୍ଟନ କଂପାନିଙ୍କ ଖାତାରେ ରହିଗଲା ବା ମାଲିକାନାକୁ ଚାଲିଗଲା।