Webportal

ଭାରତ ପ୍ରଭାବରେ ଚୀନ୍‌ ଗୁଇନ୍ଦା ଜାହାଜକୁ ରୋକିଲା ଶ୍ରୀଲଙ୍କା

sanitry
0 82

ଭାରତର ଚାପ ଯୋଗୁ ହମ୍ବନଟୋଟା ବନ୍ଦର ଅଭିମୁଖେ ଆସୁଥିବା ଚୀନ୍‌ର ଗୁଇନ୍ଦା ଜାହାଜ ୟୁଆନ ୱାଙ୍ଗ-୫କୁ ଶ୍ରୀଲଙ୍କା ସରକାର ଅଟକାଇଛନ୍ତି । ଏହି ବିଷୟରେ ଅଧିକ ଆଲୋଚନା ନ ହେବା ପର୍ଯ୍ୟନ୍ତ ଉକ୍ତ ଜାହାଜକୁ ବନ୍ଦରକୁ ନ ଆଣିବା ଲାଗି ଶ୍ରୀଲଙ୍କା ସରକାର ଚୀନ୍‌କୁ ଅନୁରୋଧ କରିଥିବା ଜଣାପଡିଛି । ଶ୍ରୀଲଙ୍କା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ କଲମ୍ବୋରେ ଥିବା ଚୀନ୍‌ ରାଷ୍ଟ୍ରଦୂତଙ୍କୁ ଜଣାଇ ଦିଆଯାଇଛି ।

ଭାରତ ପୂର୍ବରୁ ଏହି ଜାହାଜ ଉପରେ ଆପତ୍ତି ଉଠାଇବା ସହ ଶ୍ରୀଲଙ୍କାକୁ ସତର୍କ କରାଇଥିଲା । କିନ୍ତୁ ଶ୍ରୀଲଙ୍କା ସରକାର କହିଥିଲେ କି ଏହି ଜାହାଜ ଇନ୍ଧନ ଭରିବା ତଥା କିଛି ମାନବୀୟ ସହାୟତା ଧରି ଆସୁଛି । ଏଥିସହିତ ଏହାକୁ ରୋକିବାକୁ ଶ୍ରୀଲଙ୍କା ସରକାର ମନା କରିଦେଇଥିଲେ । ମାତ୍ର ଶ୍ରୀଲଙ୍କାର ଏଭଳି ଉତ୍ତରରେ ଭାରତ ସନ୍ତୁଷ୍ଟ ହୋଇ ନଥିଲା । ତୁରନ୍ତ ଉକ୍ତ ଜାହାଜକୁ ଅଧା ବାଟରେ ଅଟକାଇବା ଲାଗି ଶ୍ରୀଲଙ୍କା ଉପରେ ଭାରତର ଚାପ ପକାଇଥିଲା । ଶେଷରେ ଭାରତର ଚାପ ଯାଗୁ ଶ୍ରୀଲଙ୍କା ସରକାର ଏହାକୁ ରୋକିବା ଲାଗି ଚୀନ୍‌କୁ କହିଛନ୍ତି ।

ଅଗଷ୍ଟ ୧୧ରୁ ୧୭ ଭିତରେ ଏହି ଜାହାଜ ହମ୍ବନଟୋଟାରେ ପହଞ୍ଚିବାର ସମ୍ଭବନା ରହିଛି । ମହାକାଶଯାନ ଓ ଉପଗ୍ରହ ଟ୍ରାକିଂ ଜାହାଜ ଭାବେ ପରିଚିତ ୟୁଆନ ୱାଙ୍ଗ-୫ ଗତ ଜୁଲାଇ ୧୩ ତାରିଖରେ ଚୀନ୍‌ର ଜିଆଙ୍ଗୟିନ ବନ୍ଦରରୁ ବାହାରିଛି । ହମ୍ବନଟୋଟାରେ ରହି ଚଳିତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଏହା ଭାରତ ମହାସାଗର ଅଞ୍ଚଳରେ ଉପଗ୍ରହ ଗବେଷଣା ଓ ଟ୍ରାକିଂ କରିବ ବୋଲି ସୂଚନା ମିଳିଛି ।କିନ୍ତୁ ଭାରତ ପାଇଁ ଏହା ବିପଦର କାରଣ ପାଲଟିଛି । କାରଣ ଏହି ଜାହାଜ ୭୫୦ କି.ମି. ଦୂର ପର୍ଯ୍ୟନ୍ତ ସମସ୍ତ ଗତିବିଧି ଉପରେ ନଜର ରଖିପାରିବ । କଳ୍ପକମ, କୁଡନକୁଲମ ଭଳି ଭାରତର ଆଣବିକ କେନ୍ଦ୍ର ମଧ୍ୟ ଏହାର ପରିସରକୁ ଆସୁଛି । ତା’ଛଡା ଏଥିରେ ଉପଗ୍ରହ ଓ କ୍ଷେପଣାସ୍ତ୍ର ଟ୍ରାକିଂ ବ୍ୟବସ୍ଥା ମଧ୍ୟ ଅଛି । ତେଣୁ ଭାରତର ଉପଗ୍ରହ ଓ କ୍ଷେପଣାସ୍ତ୍ର ଉପରେ ଚୀନ୍‌ ଏହି ଜାହାଜ ସହାୟତାରେ ନଜର ରଖିବାର ଆଶଙ୍କା ପ୍ରକାଶ ପାଇଛି ।

Square Ad 1
Leave A Reply

Your email address will not be published.