ମାତିଛନ୍ତି ସମଲିଙ୍ଗୀ ସମ୍ପର୍କ ନାଁରେ ଠକ ଗ୍ୟାଙ୍ଗ: ଆପରେ କରୁଛନ୍ତି ସମ୍ପର୍କ, ଲୁଟୁଛନ୍ତି ଟଙ୍କା।ଅନ୍ୟ ସହରକୁ ବ୍ୟାପିଛି କି ଚେର?
ସମଲିଙ୍ଗୀ ସମ୍ପର୍କ ରଖିବା ଓ ପରେ ଭିଡିଓ ଭାଇରାଲ କରିବା ଭୟ ଦେଖାଇ ଯୁବକଙ୍କ ଠାରୁ ଦେଢ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ୫ ଜଣ ଲୁଟେରା । କେବଳ ଜଣେ ନୁହେଁ, ଅନ୍ୟ ଯୁବକଙ୍କୁ ଡାକି ସମାନ ଢଙ୍ଗରେ ଟଙ୍କା ଲୁଟ କରିଛନ୍ତି ଏହି ଲୁଟେରା ଗ୍ୟାଙ୍ଗ । ଏନେଇ ଲିଙ୍ଗରାଜ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହେବା ପରେ ଗ୍ୟାଙ୍ଗର ପାଂଚ ଜଣଙ୍କୁୁ ଗିରଫ କରିଛି ଲିଙ୍ଗରାଜ ଥାନା ପୋଲିସ । ତେବେ ସବୁଠାରୁ ଆଶ୍ଚର୍ଯର ବିଷୟ ହେଉଛି, ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ୪ ଜଣ ୧୮ ବର୍ଷରୁ କମ ବୟସର ଛାତ୍ର । କମ ସମୟରେ ସହଜ ଉପାୟରେ ଟଙ୍କା ରୋଜଗାର କରିବା ପାଇଁ ଲୋକଙ୍କୁ ଲୁଟିବାର ଏହି ଅଭିନବ ଉପାୟ ଆପଣାଇଥିଲେ ଏହି ନାବାଳକ ଛାତ୍ର ମାନେ ।
ଗିରଫ ହୋଇଥିବା ଏହି ୪ ନାବାଳକ ଓ ଜଣେ ସାବାଳକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏମାନଙ୍କ ନିକଟରୁ ଏକ ବୁଲେଟ,ଆଠଟି ମୋବାଇଲ ଫୋନ ଜବତ କରିଛି ପୋଲିସ । ଏଥି ସହ ସାଇବର ସେଲ ସହାୟତାରେ ଲୁଟ ଟଙ୍କା ଯାଇଥିବା ଏକ ଆକାଉଂଟ କୁ ବ୍ଲକ ମଧ୍ୟ କରାଯାଇଛି । ଲୁଟିଥିବା ଟଙ୍କାରେ ଏକ ଆଇଫୋନ କିଣାଯାଇଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ତେବେ ଏମାନେ ଆଉ କେଉଁ କେଉଁ ଲୋକଙ୍କୁ ଏଭଳି ସମାନ ଢଙ୍ଗରେ ଲୁଟିଛନ୍ତି ତାର ତଦନ୍ତ କରୁଛି ପୋଲିସ