ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ବଡକେରଜାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ପ୍ରତିବାଦରେ ଅାଜି ତାଲା ପକାଇ ଦିଆଯାଇଛି। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ୧୧୯ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଦୁଇ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି । ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଓ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷା କମିଟିର ସଭ୍ୟସଭ୍ୟା ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦେଇଛନ୍ତି ଯାହା ଫଳରେ ପାଠପଢାରେ ବ୍ୟାଘାତ ସୃଷ୍ଠି ହୋଇଛି ଓ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନେ ଦିନ ତମାମ ଗେଟ୍ ସମ୍ମୁଖରେ ବସି ରହିଛନ୍ତି । ବାରମ୍ବାର ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ୟାର ସମାଧାନ କରିବାକୁ ଲିଖିତ ଅଭିଯୋଗ ଜଣାଇବା ସତ୍ତ୍ୱେ କୌଣସି ସୁଫଳ ମିଳିଲା ନାହିଁ ବୋଲି ଅଭିଭାବକମାନଙ୍କ ସହିତ ଶିକ୍ଷା କମିଟିର ସଭାପତି ଜଗନ୍ନାଥ ବିଶ୍ୱାଳ କହିଛନ୍ତି । ଖବରପାଇ ସି.ଅାର.ସି.ସି. ନରେଶ କୁମାର ନାୟକ ବିଦ୍ୟାଳୟରେ ପହଞ୍ଚି ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି ଓ ଅାଲୋଚନା ପରେ ମଧ୍ୟ ଅାନ୍ଦୋଳନ ହଟିନାହିଁ। ବଅଁରପାଳ ବ୍ଲକ ଶିକ୍ଷାଧିକାରୀ ଲଳିତମୋହନ ସାହୁ କହିଛନ୍ତି ଯେ ଅାସନ୍ତାକାଲି ନିଶ୍ଚିତ ଭାବେ ବିଦ୍ୟାଳୟରେ ଜଣେ ଶିକ୍ଷକ ନିଯୁକ୍ତି କରାଯିବ ଓ ପର ସପ୍ତାହରେ ପୁଣି ଜଣେ ଶିକ୍ଷକ ନିଯୁକ୍ତି କରିବୁ । ତାହା ସହ ଶ୍ରୀ ସାହୁ କହିଛନ୍ତି ଯେ ଶିକ୍ଷକ ନିଯୁକ୍ତି ନେଇ ମୁଁ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଓ ସି.ଅାର.ସି.ସି.ଙ୍କୁ ଜଣାଇଦେଇଛି ଅଭିଭାବକ ମାନଙ୍କୁ ଜଣାଇଦେବା ପାଇଁ । ଅଭିଭାବକ ମାନେ ଏହି କଥା ଜାଣିବା ପରେ ମଧ୍ୟ ଅାନ୍ଦୋଳନ ରୁ ଓହୁରି ନାହାନ୍ତି । ସେମାନଙ୍କ କହିବା ହେଲା ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ହେବା ପରେ ଅାମେ ବିଦ୍ୟାଳୟର ତାଲା ଖୋଲିବା ସହ ପିଲାମାନଙ୍କୁ ପାଠପଢିବାକୁ ଛାଡିବୁ।