Webportal

ସୁନା ଅଳଙ୍କାରରେ ହଲମାର୍କ ବାଧ୍ୟତାମୂଳକ

୧୫ ଜାନୁଆରୀ ୨୦୨୧ରୁ ସାରା ଦେଶରେ ଲାଗୁ ହେବ ନିୟମ

sanitry
0 239

ଏଣିକି ଦେଶରେ ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରାଯିବ।୧୫ ଜାନୁଆରୀ, ୨୦୨୦ ଠାରୁ ବାଧ୍ୟତାମୂଳକ ହଲମାର୍କିଂ ଲାଗି ଏକ ବିଜ୍ଞପ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର ବିଭାଗ ପକ୍ଷରୁ ପ୍ରକାଶ ପାଇବ।ଆସନ୍ତା ୧୫ ଜାନୁଆରୀ ୨୦୨୧ ତାରିଖ ଠାରୁ ଏହି ନିୟମ ସମ୍ପୂର୍ଣ୍ଣ ଭାବେ ବାଧ୍ୟତାମୂଳକ ହେବ।ନିୟମ ଲାଗୁ କରିବା ପାଇଁ ଗୋଟିଏ ବର୍ଷର ସମୟ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଉପଭୋକ୍ତା ବ୍ୟାପାର,ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ଶ୍ରୀ ରାମବିଳାସ ପାସ ପାସୱାନ।ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ସୁନା ଅଳଙ୍କାର ଓ କଳାକୃତିରେ ହଲମାର୍କକୁ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।ଏହି ନିଷ୍ପତ୍ତି ଫଳରେ ଅଳଙ୍କାରର ଶୁଦ୍ଧତା ବଜାୟ ରହିବା ସହ ଅଳଙ୍କାର କିଣିବା ସମୟରେ ଗ୍ରାହକ ମାନେ ଆଉ ଠକାମିରେ ପଡିବେ ନାହିଁ।ସୁନାର ଶୁଦ୍ଧତା ନେଇ ସେମାନେ ଭଲ ଭାବେ ସୂଚୀତ ହୋଇପାରିବେ।ବର୍ତ୍ତମାନ କେବଳ ତିନୋଟି କ୍ୟାରେଟ ୧୪,୧୮ ଓ ୨୨ ରେ ସୁନା ଅଳଙ୍କାର ମିଳିବ ଓ ଏହାଦ୍ୱାରା ଦୁର୍ନୀତି ଦୁରହେବ।ଏହା ବାଧ୍ୟତାମୂଳକ ହେବା ପରେ ଏହାର ଉଲଂଘନ କ୍ଷେତ୍ରରେ ଏକ ଲକ୍ଷ ଟଙ୍କା ଠାରୁ ଆରମ୍ଭ କରି ଠକାମି ହୋଇଥବା ଗହଣା ର ପାଞ୍ଚ ଗୁଣା ମୂଲ୍ୟ ପର୍ଯ୍ୟନ୍ତ ଜୋରିମାନା କିମ୍ବା ଜେଲ ଦଣ୍ଡ ବିଧାନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।ଏହି ବାଧ୍ୟତାମୂଳକ ନିୟମ ପାଇଁ ଏକ ବର୍ଷ ର ସମୟ ଦିଆଯିବା ସମ୍ପର୍କରେ ସୂଚନା ଦେଇ ସେ କହିଲେ ଯେ, ଏହି ଅବଧି ମଧ୍ୟରେ ଅଳଙ୍କାର ବ୍ୟବସାୟୀ ମାନେ ସେମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ପୂରଣ କରି ପାରିବେ ଓ ପୁରୁଣା ସାମଗ୍ରୀକୁ ବିକ୍ରି କରିବା ପାଇଁ ସମୟ ପାଇବେ।ଏହି ସମୟ ମଧ୍ୟରେ ବିଭିନ୍ନ ଘରୋଇ ଉଦ୍ୟୋଗୀଙ୍କ ଦ୍ୱାରା ଅତିରିକ୍ତ ଧାତୁ ପରୀକ୍ଷଣ ଓ ହଲମାର୍କିଂ କେନ୍ଦ୍ର ପ୍ରତିଷ୍ଠା କରା ଯାଇ ପାରିବ।ଏଗୁଡିକ ଚାହିଦା ଅନୁସାରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠା କରାଯିବ।ତେବେ ଯେଉଁଠି ଏହି କେନ୍ଦ୍ର ନ ଥିବ ସେହି ଅଂଚଳକୁ ଅଧିକ ପ୍ରାଥମିକତା ଦିଆଯିବ।୩୧ ଡିସେମ୍ବର ୨୦୧୯ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ଦେଶର ୨୩୪ଟି ଜିଲ୍ଲାରେ ୮୯୨ଟି ଧାତୁ ପରୀକ୍ଷଣ ଏବଂ ହଲମାର୍କ କେନ୍ଦ୍ର ରହିଛି ଓ ୨୮୮୪୯ ଜଣ ଅଳଙ୍କାର ବ୍ୟବସାୟୀ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ରେ ପଞ୍ଜିକୃତ ହୋଇ ସାରିଛନ୍ତି। ଏପ୍ରିଲ ୨୦୦୦ ପରଠାରୁ ବିଆଇଏସ ପକ୍ଷରୁ ସୁନା ଅଳଙ୍କାର ର ହଲମାର୍କିଂ ବ୍ୟବସ୍ଥା କରାଯାଇଛି,ଫଳରେ ହଲମାର୍କ ଯୁକ୍ତ ସୁନା ଅଳଙ୍କାର ଓ କଳାକୃତି ବିକ୍ରି କରିବା ବିଆଇଏସ ରେ ପଞ୍ଜିକୃତ ହେବାକୁ ସମସ୍ତ ଅଳଙ୍କାର ବ୍ୟବସାୟୀଙ୍କ ପାଇଁ ବାଧ୍ୟତାମୂଳକ କରି ଦିଆଯାଇଛି।ଗ୍ରାହକଙ୍କ ଜାଣିବା ପାଇଁ ଅଳଙ୍କାର ଉପରେ କ୍ୟାରେଟ ଉଲ୍ଲେଖ କରାଯିବ- ୨୨ କ୍ୟାରେଟ ଅଳଙ୍କାର ପାଇଁ ୨୨କେ ସହିତ ୯୧୬,୧୮ କ୍ୟାରେଟ ପାଇଁ ୧୮କେ ସହିତ ୭୫୦ ଏବଂ ୧୪ କ୍ୟାରେଟ ପାଇଁ ୧୪କେ ସହିତ ୫୮୫ ରହିବ।ହଲମାର୍କ ଯୁକ୍ତ ସୁନା ଅଳଙ୍କାର ଉପରେ ୪ଟି ଚିହ୍ନ ରହିବ, ଯଥା-ବିଆଇଏସ, କ୍ୟାରେଟରେ ଶୁଦ୍ଧତା ଓ ସ୍ୱଚ୍ଛତା, ପରୀକ୍ଷଣ କେନ୍ଦ୍ରର ପରିଚୟ ଚିହ୍ନ ଏବଂ ଅଳଙ୍କାର ବ୍ୟବସାୟୀଙ୍କ ଚିହ୍ନ।ସୁନା ଅଳଙ୍କାରରେ ହଲମାର୍କିଂ କୁ ବାଧ୍ୟତାମୂଳକ କରିବା ପାଇଁ ଗ୍ରାହକ ଓ ଅଳଙ୍କାର ବ୍ୟବସାୟୀଙ୍କ ପାଇଁ ଦେଶର ବିଭିନ୍ନ ସ୍ଥାନରେ ସଚେତନତା କାର୍ୟ୍ଯକ୍ରମ ଆୟୋଜନ କରାଯିବ।ସୋସିଆଲ ମିଡ଼ିଆ ଓ ଅନ୍ୟ ମଞ୍ଚ ଜରିଆରେ ବିଆଇଏସ ଗ୍ରାହକଙ୍କ ପାଖରେ ପହଞ୍ଚିବା ଲାଗି ଯୋଜନା ମଧ୍ୟ କରୁଛି।

Square Ad 1
Leave A Reply

Your email address will not be published.