୩ ମାସ ଭିତରେ ଫଇସଲା ପାଇଁ ଗ୍ରାମ ବିସ୍ଥାପନ ସମ୍ବନ୍ଧୀୟ ପିସିସିଏଫ୍ ( ବନ୍ଯଜନ୍ତୁ) ଙ୍କୁ ହାଇକୋର୍ଟର ନିର୍ଦ୍ଦେଶ
ସାତକୋଶିଆ ପ୍ରଜା ସୁରକ୍ଷା ସମିତି ଓ ପଂଚାୟତ ପ୍ରତିନିଧି ଦ୍ବାରା ରୁଜୁ ଜନସ୍ବାର୍ଥ ମାମଲାର ଶୁଣାଣି କରି ଦିଆଗଲା ନିର୍ଦ୍ଦେଶ
ଗତ ଦୁଇବର୍ଷ ହେଲା ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳର ଉପାନ୍ତ ଅଂଚଳରୁ ଗ୍ରାମ ବିସ୍ଥାପନ ଏକ ଅଭିଯାନ ରେ ପରିଣତି ହୋଇଥିଲା । ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ ଗୋଟିଏ ପରେ ଗୋଟିଏ ଗ୍ରାମ ବିସ୍ଥାପନ କରିବାରେ ସଫଳ ହୋଇଥିଲେ । କଟରଂଗ, ଟୁଲୁକା ଓ ଅଶନବାହାଳ ଗ୍ରାମର ୪୭୦ ପରିବାରକୁ ବିସ୍ଥାପନ କରାଯାଇଥିବା ସରକାରୀ ରେକର୍ଡରୁ ଜଣାଯାଏ । ଏହି ବିସ୍ଥାପନ ପ୍ରକ୍ରିୟାକୁ ଗ୍ରାମବାସୀ ବିରୋଧ କରିବା ସହିତ ଲିଖିତ ଅଭିଯୋଗ କରିଥିଲେ । ଗ୍ରାମବାସୀଂକର କୌଣସି ଅଭିଯୋଗକୁ ଖାତିର୍ ନ କରି ଜିଲ୍ଲା ସ୍ତରୀୟ ବିସ୍ଥାପନ କାର୍ଯ୍ଯକାରିତା କମିଟିରେ ପ୍ରଥମ ପର୍ଯ୍ଯାୟରେ ୧୨ ଗୋଟି ଗ୍ରାମକୁ ବିସ୍ଥାପନ କରିବାର ନିଷ୍ପତ୍ତି ନିଆଯାଇଥିଲା । ସ୍ବେଚ୍ଥାକୃତ ଗ୍ରାମ ବିସ୍ଥାପନ ନାମରେ ବନ୍ଯଜୀବ ସଂରକ୍ଷଣ ଆଇନ୍-୧୯୭୨ ର ୩୮ (ଭି) (୫) ଧାରା ବଳରେ ବିସ୍ଥାପନ କରାଯାଇ ଅତ୍ଯନ୍ତ ଶସ୍ତାରେ ୨୦ ଲକ୍ଷ ପ୍ଯାକେଜ୍ ଦିଆଯାଇ ଗ୍ରାମ ପରେ ଗ୍ରାମ ଉଚ୍ଛେଦ କରାଯାଇଥିଲା । ଏପରିକି ବିସ୍ଥାପନକୁ ବିରୋଧ କରୁଥିବା ପରିବାରକୁ ଜାଣିଶୁଣି ପ୍ଯାକେଜ୍ ଦିଆନଯାଇ ଏକ ପ୍ରକାର ଦମନ ମୂଳକ ଅଭିଯାନକୁ ଯେନତେନ ପ୍ରକାରେ ସଫଳ କରାଯାଇଥିଲା ବୋଲି ଅଭିଯୋଗ । ସବୁଠାରୁ ଆଶ୍ଚର୍ଯ୍ଯର ବିଷୟ ୩୮(ଭି)(୫) ଧାରା କେବଳ ବ୍ଯାଘ୍ର ସଂରକ୍ଷଣ ଅଂଚଳ ର କୋର୍ ଏରିଆ କିମ୍ବା ସଂକଟାପନ୍ନ ବ୍ଯାଘ୍ର ବାସସ୍ଥଳୀ ଏବଂ ସଂକଟାପନ୍ନ ବନ୍ଯଜୀବ ବାସସ୍ଥଳୀ ରୁ ସ୍ବେଚ୍ଥାକୃତ ଗ୍ରାମ ବିସ୍ଥାପନ ବ୍ଯବସ୍ଥା ରହିଛି । ଅଭୟାରଣ୍ଯ ଓ ବ୍ଯାଘ୍ର ସଂରକ୍ଷଣ ଅଂଚଳର ଅନ୍ଯାନ୍ଯ ଅଂଚଳରୁ ବିସ୍ଥାପନ ଓ ଜମି ଅଧିଗ୍ରହଣ ବ୍ଯବସ୍ଥା ବନ୍ଯଜୀବ ସଂରକ୍ଷଣ ଆଇନ୍-୧୯୭୨ ଏବଂ ସଂଶୋଧିତ ୨୦୨୨ ର ଧାରା ୨୪ ଓ ୨୫ ରେ ସ୍ପଷ୍ଟ ଭାବେ ବର୍ଣ୍ଣିତ ରହିଛି । ଏହି ଧାରାରେ ଭୂମି ଅଧିଗ୍ରହଣ, ଥଇଥାନ ଏବଂ ପୂନଃବସତିରେ କ୍ଷତିପୂରଣ ଏବଂ ସ୍ବଚ୍ଛତା ପ୍ରତି ଅଧିକାର ଆଇନ୍ ୨୦୧୩ ବ୍ଯବସ୍ଥାକୁ ଅନୁସରଣ କରିବାର ସ୍ପଷ୍ଟ ଭାବେ ବ୍ଯବସ୍ଥାରେ ନିର୍ଦ୍ଦେଶ ରହିଛି । ଏହି ଆଇନ୍ କୁ ଅନୁସରଣ କଲେ ସରକାରୀ ପ୍ଯାକେଜ୍ ସହିତ ଜମିର ସଠିକ୍ ମୂଲ୍ଯ, ଗଛଲତା, ଗୁହାଳ ଘରର ମୂଲ୍ଯାଂକନ ହେବାର ବ୍ଯବସ୍ଥା ରହିଛି । ଏତଦ୍ ସହିତ ଆଦିବାସୀ ଓ ହରିଜନଂକ କ୍ଷେତ୍ରରେ ସ୍ବତନ୍ତ୍ର ସୁବିଧା ରହିଛି । ଏହି ଆଇନ୍ କୁ ଅନୁସରଣ କଲେ ସର୍ଭେ, ଅଧ୍ଯୟନ, ଜନଶୁଣାଣୀ ଓ ଅନ୍ଯାନ୍ଯ ସ୍ବଚ୍ଛତା ଅଣାଯିବାର ସୁବ୍ଯବସ୍ଥା ରହିଛି ଏବଂ ସରକାରଂକୁ ଅତ୍ଯନ୍ତ ଶସ୍ତାରେ ବିସ୍ଥାପନ ହେବାର ଆଶା କ୍ଷୀଣ ହୋଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ବିସ୍ଥାପନ କାର୍ଯ୍ଯକାରିତା କମିଟି ଗତ ତା ୦୯।୦୯।୨୨, ତା ୯।୧୧।୨୨ ଏବଂ ତା ୦୯।୦୨।୨୩ ର ନିଆଯାଇଥିବା ଗ୍ରାମ ବିସ୍ଥାପନ ନିଷ୍ପତ୍ତି ଉପରେ ପ୍ରଭାବିତ ଗ୍ରାମବାସୀ ବିସ୍ଥାପନ କୁ ବିରୋଧ କରିବା ସହିତ ଗ୍ରାମସଭା ଓ ପଲ୍ଲୀସଭା ର ଆୟୋଜନ ପାଇଁ ଲିଖିତ ଅଭିଯୋଗ ଆଣିଥିଲେ । ଗ୍ରାମବାସୀ ମାନଂକର ଅଭିଯୋଗକୁ ଜିଲ୍ଲା ପ୍ରଶାସନ ଓ ବନ ବିଭାଗ ଆଦୌ କର୍ଣ୍ଣପାତ ନ କରି ବିସ୍ଥାପନ ପ୍ରକ୍ରିୟା ଜାରୀ ରଖିଥିଲା । ସ୍ବେଚ୍ଛାକୃତ ଗ୍ରାମ ବିସ୍ଥାପନ ନାମରେ ଜୋରଜବରଦସ୍ତ ବିସ୍ଥାପନ ହେଉଥିବା ଏବଂ ଆଇନ୍ ସଂଗତ ହେଉ ନଥିବା ନେଇ ପୁରୁଣାକୋଟ୍ ଗ୍ରାମ ପଂଚାୟତ ସରପଂଚ ରଶ୍ମିତା ବିଶୋଇ ପିସିସିଏଫ୍ ( ବନ୍ଯଜୀବ) ଏବଂ ଅନ୍ଯାନ୍ଯ ଅଧିକାରୀଂକୁ ଲିଖିତ ଜଣାଇଥିଲେ । ସାତକୋଶିଆ ଅଭୟାରଣ୍ଯ ଓ ପ୍ରଜା ସୁରକ୍ଷା ସମିତିର ସଭାପତି ନବ କିଶୋର ବିଶୋଇ ବିସ୍ଥାପନ ପ୍ରକ୍ରିୟା ଆଇନ୍ ଓ ନୀତି ସଂଗତ ହେଉନଥିବା ଏବଂ ଏକ ପ୍ରକାର ଯୋରଜବରଦସ୍ତ ହେଉଥିବା ସହିତ ଶାଗ ମାଛ ମୂଲ୍ଯରେ ଜମି ଅଧିଗ୍ରହଣ ଓ ପ୍ଯାକେଜ୍ କ୍ଷତିପୂରଣ ଦିଆଯାଇଥିବାକୁ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ । ପ୍ରାୟ ଶହଶହ ସଂଖ୍ଯାରେ ଅଭିଯୋଗ ଗୁଡିକର କୌଣସି ପ୍ରକାର ଶୁଣାଣୀ ନ କରି ଏକ ତରଫା ବିସ୍ଥାପନ ପ୍ରକ୍ରିୟାକୁ ଆଗେଇ ନିଆଯାଉଥିଲା । ଜିଲ୍ଲା ପ୍ରଶାସନ ଓ ବନ ବିଭାଗର ତରବରିଆ ବେଆଇନ୍ ବିସ୍ଥାପନକୁ ସାତକୋଶିଆ ଅଭୟାରଣ୍ଯ ଓ ପ୍ରଜା ସୁରକ୍ଷା ସମିତି ଏବଂ ସ୍ଥାନୀୟ ଗ୍ରାମ ପଂଚାୟତ ପ୍ରତିନିଧି ମିଳିତ ଭାବେ ଏକ ଜନ ସ୍ବାର୍ଥ ମାମଲା ଓଡିଶା ଉଚ୍ଚ ନ୍ଯାୟଳୟ କଟକରେ ରୁଜୁ କରିଥିଲେ । ଗତ ମାସ ୧୧ ତାରିଖରେ ରୁଜୁ ହୋଇଥିବା ଏହି ଜନସ୍ବାର୍ଥ ମାମଲା ୩୦ ତାରିଖରେ ଶୁଣାଣୀ ହୋଇଥିଲା । ଓଡିଶା ଉଚ୍ଚ ନ୍ଯାୟଳୟ ର କାର୍ଯ୍ଯକାରୀ ମୁଖ୍ଯ ବିଚାରପତି ନ୍ଯାୟ ମୁର୍ତ୍ତି ଡା. ବି.ଆର୍. ଷଡଂଗୀ ଏବଂ ନ୍ଯାୟମୂର୍ତ୍ତୀ ମୁରାହରୀ ଶ୍ରୀ ରମଣଂକ ଖଣ୍ଡପୀଠରେ ଶୁଣାଣୀର ନିଷ୍ପତ୍ତି ହୋଇଥିଲା । ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳରୁ ଜାରୀ ରହିଥିବା ବିସ୍ଥାପନକୁ ଆଧାରକରି ଖଣ୍ଡପୀଠରେ ଏକ ନିର୍ଦ୍ଦେଶ ରାଜ୍ଯର ପିସିସିଏଫ୍ (ବନ୍ଯଜୀବଂକୁ) ଦିଆଯାଇଛି । ଆସନ୍ତା ୩ ମାସ ମଧ୍ଯରେ ବିସ୍ଥାପନ ସମ୍ବନ୍ଧୀୟ ଫଇସଲା ବିଚାର କରିବାକୁ ନିର୍ଦ୍ଦେଶ ରହିଛି । ଏପରିରି ଆବେଦନକାରୀ ବିସ୍ଥାପନ ସମ୍ବନ୍ଧୀୟ କରିଥିବା ଅଭିଯୋଗର ବିଚାର ଫଇସଲା କରିବାକୁ ନିର୍ଦ୍ଦେଶ ରହିଛି । ପ୍ରକାଶ ଥାଉକି ସାତକୋଶିଆ ର ଉପାନ୍ତ ଅଂଚଳ ଗ୍ରାମ ପୁରଣାକୋଟ୍, ଗୋପାଳପୁର, ଛୋଟକେଇ, ସାଲର୍, ଟୁଲୁକା, ଭୂର୍କୁଣ୍ଡି, ଟିକରପଡା , ଟାକରସିଂହା ପ୍ରଭୂତି ଗ୍ରାମ ବିସ୍ଥାପନ ହେବାର ଜିଲ୍ଲା ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା । ସାତକୋଶିଆ ବ୍ଯାଘ୍ର ସଂରକ୍ଷଣ ଅଂଚଳର ଉପାନ୍ତ ଗ୍ରାମ ବିସ୍ଥାପନ ପୂର୍ବରୁ ଜଂଗଲ ଅଧିକାର ଆଇନ୍ ୨୦୦୬ ର ଧାରା ୪ ଓ ୬ କୁ ଅନୁସରଣ କରିବା ସହିତ ବନ୍ଯଜୀବ ସଂରକ୍ଷଣ ଆଇନ୍ ର ୩୮(ଭି)(୫) ପରିବର୍ତ୍ତେ ଧାରା ୨୪ ର କାର୍ଯ୍ଯକାରୀ କରିବା ସହିତ ଜମି ଅଧିଗ୍ରହଣ ଆଇନ୍ ୨୦୧୩ ର ଅନୁସରଣ କରିବାର ଆବଶ୍ଯକତା ରହୁଅଛି । ଜମି ଅଧିଗ୍ରହଣ ଆଇନ୍ ୨୦୧୩ କୁ ଅନୁସରଣ କରାଗଲେ କ୍ଷତିଗ୍ରସ୍ତ ଗ୍ରାମବାସୀଂକର ସର୍ଭେ, ଅଧ୍ଯୟନ, ଜନଶୁଣାଣୀ ହୋଇ ସ୍ବଚ୍ଛତା ଅବଲମ୍ବନ ହେବା ସହିତ ପ୍ରଭାବିତ ଗ୍ରାମବାସୀ ତାଂକର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର କ୍ଷତିପୂରଣ ପାଇପାରିବେ । କ୍ଷତିଗ୍ରସ୍ତ ପରିବାର ଘର, ଗୁହାଳ, କୂଅ, ପୋଖରୀ, ଗଛଲତା ଆଦିର ଉପଯୁକ୍ତ କ୍ଷତିପୂରଣ ପାଇ ପାରିବେ ବୋଲି ଆବେଦନକାରୀ ପ୍ରଜା ସଂଘର ସଭାପତି ନବ କିଶୋର ବିଶୋଇ ପ୍ରକାଶ କରିଅଛନ୍ତି । ଆସନ୍ତା ୩ ମାସ ମଧ୍ଯରେ ଏହାର ନିଷ୍ପତ୍ତି ଓ ବିଚାର ଜିଲ୍ଲା ପ୍ରଶାସନ ପରିବର୍ତ୍ତେ ପ୍ରଧାନ ମୁଖ୍ଯ ବନ ସଂରକ୍ଷକ ( ବନ୍ଯଜୀବ) ଏବଂ ମୁଖ୍ଯ ବନ୍ଯଜୀବ ତତ୍ତ୍ବାବଧାରକ ନେବା ପାଇଁ ମାନ୍ଯବର ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିବା ଶ୍ରୀ ବିଶୋଇ ପ୍ରକାଶ କରିଅଛନ୍ତି । ଏହି ଜନସ୍ବାର୍ଥ ମାମଲାର ଆବେଦନକାରୀ ଭାବେ ନବ କିଶୋର ବିଶୋଇ ସମେତ ଟିକରପଡା ସରପଂଚ ସୌମ୍ଯ ରଂଜନ ସାହୁ , ପୁରୁଣାକୋଟ୍ ସରପଂଚ ରଶ୍ମିତା ବିଶୋଇ, ସମିତିସଭ୍ଯା ଲିଜା ସାହୁ, ୱାର୍ଡ ମେମ୍ବର୍ ସ୍ବର୍ଣ୍ଣଲତା ଦେହୁରୀ, ସୁନୀତା ନାୟକ, ସୁଶାନ୍ତ ସାହୁ , ପ୍ରଦୀପ ପ୍ରଧାନ, ପୁରୁଣାକୋଟ୍ ଗ୍ରାମ ସଭାପତି ବରୁଣ ବିଶୋଇ, ପୂର୍ବତନ ସରପଂଚ ତ୍ରିନାଥ ସାହୁ ପ୍ରମୁଖ ୧୦ ଜଣ ମକୋଦ୍ଦମା କରିଥିଲେ । ଏହି ଜନସ୍ବାର୍ଥ ମାମଲାକୁ ଆବେଦନକାରୀଂକ ପକ୍ଷରୁ ଆଇନଜୀବି ତୁଷାର କୁମାର ମିଶ୍ର ଓ ସହଯୋଗୀ ଆଇନଜୀବି ପରିଚାଳନା କରିଥିଲେ ।