ବ୍ୟାଙ୍କ ଆକାଉଣ୍ଟ ରୁ ଜାଲ ଦସ୍ତଖତ ରେ ଟଙ୍କା ଉଠାଗଲା ଓ ପରେ ଫେରାଇ ଦିଆଗଲା, ମୁଖ୍ୟ ଅଭିଯୁକ୍ତ ମଧ୍ୟ ଗିରଫ ହେଲା
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏଚଡିଏଫସି ବ୍ୟାଙ୍କର ଶାଖା ପର୍ଯ୍ୟନ୍ତ ଠକାମୀର ଚେର ଲମ୍ବିଥିବା ସନ୍ଦେହ
ସାଧାରଣ ଲୋକ ଠକାମିର ଶିକାର ହୋଇ ଭାଗ୍ୟକୁ ଆଦରି ରହୁଥିବା ବେଳେ ଅନୁଗୁଳ ଜିଲ୍ଲାପାଳଙ୍କ ନାମରେ ସ୍ଥାନୀୟ ଏଚଡିଏଫସି ବ୍ୟାଙ୍କରେ ଥିବା ଆକାଉଣ୍ଟ ରୁ ପ୍ରାୟ ଷାଠିଏ ଲକ୍ଷ ଟଙ୍କା ଜାଲ ଦସ୍ତଖତ ରେ ଉଠାଯାଇଥିବା ଅଭିଯୋଗ ପରେ ଦୁଇଦିନ ମଧ୍ୟରେ ଟଙ୍କା ସେହି ଆକାଉଣ୍ଟ କୁ ଫେରି ଆସିବା ଓ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାର ଘଟଣା ସାମନାକୁ ଆସିଛି।ଘଟଣାଟି ହେଲା ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟ ରେ ଅଡ଼ିଟ ସମୟରେ ଜିଲ୍ଲାପାଳଙ୍କ ନାମରେ ଉପରୋକ୍ତ ବ୍ୟାଙ୍କରେ ଏନଏଚ ସମ୍ଭଧିୟ କାର୍ଯ୍ୟ ପାଇଁ ୨୦୧୩ ମସିହାରୁ ଜମା ଥିବା ପ୍ରାୟ ଷାଠିଏ ଲକ୍ଷ ଟଙ୍କା ଚେକ ଦ୍ୱାରା ଜାଲ ଦସ୍ତଖତ କରି ୨୦୧୭-୧୮ ମଧ୍ୟରେ ୮ଥରରେ ଉଠାଯାଇଥିବା ଜଣା ପଡ଼ିବା ପରେ ଚଳିତ ମାସ ଏଗାର ତାରିଖରେ ଅନୁଗୁଳ ଥାନାରେ ଡେପୁଟି କଲେକ୍ଟରଙ୍କ ଦ୍ୱାରା ଏତଲା ଦିଆଯାଇଥିଲା।ଏତଲା ଆଧାରରେ ପୋଲିସ ଅନୁସନ୍ଧାନ ଆରମ୍ଭ କରି ପ୍ରମାଣ ଆଧାରରେ ମୁଖ୍ୟ ଅଭିଯୁକ୍ତ ଉକ୍ତ ବ୍ୟାଙ୍କର ପୂର୍ବତନ ଶାଖା ପରିଚାଳକ ଶକ୍ତିବେଦାନ୍ତ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାହାର ସୂଚନା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା ଦେଇଛନ୍ତି। ସେପଟେ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ସମସ୍ତ ଟଙ୍କା ବ୍ୟାଙ୍କ ତରଫରୁ ତାଙ୍କ ଆକାଉଣ୍ଟ କୁ ଫେରାଇ ଦିଆଯାଇଛି।ଶ୍ରୀ ମିନାଙ୍କ କହିବା ଅନୁଯାୟୀ ଟଙ୍କା ଫେରାଇବା ବ୍ୟାଙ୍କର ଆଭ୍ୟନ୍ତରୀଣ ବ୍ୟାପାର କିନ୍ତୁ ଠକାମୀର ତଦନ୍ତ ଜାରି ରଖି ପୋଲିସ ଚେର ପର୍ଯ୍ୟନ୍ତ ପହଞ୍ଚିବ ଓ ବ୍ୟାଙ୍କ ଏବଂ ଜିଲ୍ଲା ପ୍ରଶାସନ ର କର୍ମଚାରୀ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ।ଆବଶ୍ୟକ ପଡିଲେ ଗିରଫ ଅଭିଯୁକ୍ତ କୁ ରିମାଣ୍ଡ ରେ ନେବା ପାଇଁ ଆବେଦନ କରାଯିବ।ସେପଟେ ବିଶେଷସୁତ୍ର ରୁ ମିଳିଥବା ଖବର ଅନୁଯାୟୀ ଆଉ ଦୁଇଜଣ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଏ ସମ୍ପର୍କରେ ଗିରଫ କରିଛି।ଏଠାରେ ବଡ଼ ପ୍ରଶ୍ନ ଉଠୁଛି କି ଦୀର୍ଘ ଛଅ ବର୍ଷ ପର୍ଯ୍ୟନ୍ତ କଣ ଏନଏଚ ସମ୍ବଧିୟ କାର୍ଯ୍ୟ ପାଈଁ ଉକ୍ତ ଆକାଉଣ୍ଟ ରୁ ଟଙ୍କା ଦରକାର ପଡିନଥିଲା।ଆରାମରେ ଆଠଥର ରେ ଟଙ୍କା ଉଠାଯାଇଥିଲେ ମଧ୍ୟ କୌଣସି ଅଡ଼ିଟରେ କିପରି ଜଣା ପଡିନଥିଲା।କଣ ଏ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର କୌଣସି କର୍ମଚାରୀ ର ସମ୍ପୃକ୍ତ ଥିବାକୁ ନେଇ ଇଙ୍ଗିତ କରୁଛି।ସମସ୍ତ ପ୍ରଶ୍ନର ଉତ୍ତର ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ସ୍ପଷ୍ଟ ହେଇଯିବ