ବିଜେପିର ଅଭିଯୋଗ ହେଲା ସାରା ଓଡିଶାରେ ମହିଳା ଅସୁରକ୍ଷିତ ହୋଇପଡ଼ିଛନ୍ତି ଯାହାର ତାଜା ଦୃଷ୍ଟାନ୍ତ ଯାଜପୁର ଓ କେନ୍ଦ୍ରାପଡାରେ ଘଟିଥିବା ଘଟଣା। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ଭିଏଲଡବ୍ଲ୍ୟୁ ସ୍ମିତାରାଣୀ ବିଶ୍ବାଳ ହତ୍ୟା ଘଟଣାକୁ ପାଖାପାଖି ଅଧାମାସ ବିତିବାକୁ ବସିଥିଲେ ମଧ୍ୟ ପୋଲିସ ଅପରାଧୀମାନଙ୍କୁ ଧରି ଦଣ୍ଡ ଦେବା ବ୍ୟବସ୍ଥା କରିବା ବଦଳରେ ମୃତକଙ୍କ ଚରିତ୍ର ସଂହାର କରିବାରେ ଲାଗିଛି । ଅପରାଧୀଙ୍କୁ ଧରିବା ପରିବର୍ତ୍ତେ ଖୋଦ୍ ଜିଲ୍ଲାର ଏସପି ଚରଣସିଂହ ମୀନା ଏହାକୁ ପ୍ରେମଜନିତ ଘଟଣା କହି ତଦନ୍ତର ଦିଗହରା କରୁଛନ୍ତି । ବର୍ତମାନ ଯାଏଁ ଘଟଣା ଘଟିଥିବା ସ୍ଥଳର ସିସିଟିଭି ଜବତ ହେଲା ନାହିଁ ।ଘଟଣା ଦିନ ସେଠାର ଉପସ୍ଥିତ ଥିବା ଅନ୍ୟମାନେ ମଧ୍ୟ ଖୁଲମଖୁଲା ଭାବେ ବୁଲୁଛନ୍ତି । ଜଣେ ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିଲେ ମଧ୍ୟ ଏହି ଘଟଣାରେ ଜିଲ୍ଲାପାଳ, ବିଡିଓ ଏବଂ ଏସପିଙ୍କ ଭୂମିକା ସନ୍ଦେହ ଘେରରେ । ସେପଟେ ଅପରାଧୀଙ୍କୁ ଶାସକ ବିଜେଡି ଦଳ ସୁରକ୍ଷା ଯୋଗାଇ ଦେଉଛି । ଅନ୍ୟପଟେ ଭୟରେ ଏବେ ସ୍ମିତାରାଣୀଙ୍କ ପରିବାର ଲୋକ ଗାଁ ଛାଡିଲେଣି ।ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କରାଯିବା ଆବଶ୍ୟକ।ସେହିପରି କେନ୍ଦ୍ରାପଡା କ୍ରେଡିଟ୍ କୋପରେଟେଭ ବ୍ୟାଙ୍କର ସଭାପତି ତଥା ବିଜେଡି ନେତା ପ୍ରମୋଦ ସାହୁ ତାଙ୍କ ଅଫିସର କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଯୌନ ଉତ୍ପୀଡନ କରିବାର ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ପୀଡିତା ବାରମ୍ବାର ନିବେଦନ କଲେ ମଧ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଏହି ଖବର ଆସିବା ପରେ ପୋଲିସ ବହୁ ବିଳମ୍ବରେ ପ୍ରମୋଦ ସାହୁଙ୍କୁ ଗିରଫ କରି କାମ ସାରିଦେଇଛି । ତେବେ ଏହି ଘଟଣା ପଛରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବା ସହ ଯୁବତୀଙ୍କୁ ନ୍ୟାୟ ମିଳିବା ଦରକାର। ଉପରୋକ୍ତ ଅଭିଯୋଗ ଓ ଦାବି ନେଇ ସମଗ୍ର ରାଜ୍ୟ ସହ ଆଜି ଅନୁଗୁଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ମଧ୍ୟ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।