ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢାପଙ୍ଗ ଗ୍ରାମ ପଞ୍ଚାୟତର ତେନ୍ତୁଳିହତା ଗ୍ରାମରେ ବିଭିନ୍ନ ଆବାସ ଯୋଜନାରେ ସରକାରୀ ଅର୍ଥ ନେଇ କାମ ନକରି ଅଧାପନ୍ତରିଆ ଭାବରେ ପକାଇ ରଖିଥିବା ହିତାଧିକାରୀଙ୍କ ଘର ସମ୍ମୁଖରେ ବଅଁରପାଳ ବ୍ଳକ ପ୍ରଶାସନ ପକ୍ଷରୁ ପ୍ରତୀକ ଧାରଣା ଦିଆଯାଇଛି । ଧାରଣାରେ ବ୍ଲକ ବିଡ଼ିଓଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ବିଷୟରେ ସୂଚନା ଦେଇ ବଅଁରପାଳ ବିଡ଼ିଓ ଡ଼ ସ୍ୱରୁପାନନ୍ଦ ସାହୁ କହିଛନ୍ତି ଯେ ଗତ ୨୦୧୬ ଓ ୨୦୧୭ ବର୍ଷରୁ ବଅଁରପାଳ ବ୍ଳକର ବିଭିନ୍ନ ଗ୍ରାମରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ଗ୍ରାମୀଣ ) ଓ ବିଜୁ ପକ୍କା ଘର ଯୋଜନାରେ ୨୪୦ଜଣ ହିତାଧିକାରୀ ସରକାରୀ ସାହାଯ୍ୟ ପାଇ ସୁଦ୍ଧା ଏପର୍ଯ୍ୟନ୍ତ ଘର କରି ନାହାନ୍ତି । ସେମାନଙ୍କ ପାଖକୁ ପ୍ରଶାସନ ତରଫରୁ ବାରମ୍ବାର ଯୋଗଯୋଗ କରିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ । ତେଣୁ ବାଧ୍ୟ ହୋଇ ପ୍ରଶାସନ ତରଫରୁ ଏଭଳି ପଦକ୍ଷେପ ନିଆଯାଇଛି । ପର୍ଯ୍ୟାୟ କ୍ରମେ ଅନ୍ୟ ଗ୍ରାମ ଗୁଡିକରେ ଏଭଳି କାର୍ଯ୍ୟକ୍ରମ ହେବାର ସ୍ଥିର ହୋଇଛି । ତେନ୍ତୁଳିହତା ଗ୍ରାମରୁ ୧୬/୧୭ ମସିହାରୁ ୮ ଜଣ ଓ ୧୮/୧୯ ଆର୍ଥିକ ବର୍ଷରେ ୬ ଜଣ ହିତାଧିକାରୀ ଖିଲାପିକାରୀ ଅଛନ୍ତି । ଧାରଣାରେ ବିଡ଼ିଓଙ୍କ ସମେତ ଏବିଡ଼ିଓ ଦିଲ୍ଲୀପ କୁମାର ପ୍ରଧାନ, ପ୍ରତାପ କୁମାର ଦାସ ( ଏ.ଇ.ଇ ), ଅମୂଲ୍ୟ କୁମାର ଦାସ ( ଜେ.ଇ ) , ପ୍ରସନ୍ନ କୁମାର ସାହୁ ( ଜି.ଆର.ଏସ ) ଦେବାଶିଷ ଷଡଙ୍ଗୀ ( ବି.ପି.ସି ) , ଆଦି ବସିଥିଲେ। ଶେଷରେ ଗ୍ରାମର ବୃଦ୍ଧିଜୀବୀଙ୍କ ଉପସ୍ଥିତରେ ଖିଲାପି ହିତାଧିକାରୀ ମାନେ ଏକ ସପ୍ତାହ ମଧ୍ୟରେ ବାକିଥିବା ଘର କାମ ଆରମ୍ଭ କରି ସମ୍ପୂର୍ଣ୍ଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ପ୍ରତୀକ ଧାରଣା ସ୍ଥଗିତ ରଖା ଯାଇଥିଲା ।