Webportal

ଅନୁଗୁଳ ଜିଲ୍ଲା ପାଇଁ ଆହୁରି କଡା ହେଲା କଟକଣା:ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିବ ସକାଳ ୬ ରୁ ଦିନ ୧

sanitry
0 1,403

ସଂପ୍ରତି କରୋନା ଭୂତାଣୁ କୁ କାୟା ବିସ୍ତାର କରିବାରୁ ରୋକିବା ପାଇଁ ସମଗ୍ର ଦେଶ ସହ ଅନୁଗୁଳ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି।ଲୋକମାନେ କଟକଣା ନ ମାନି ପୋଲିସ ଦ୍ଵାରା ଦଣ୍ଡିତ ମଧ୍ୟ ହେଉଛନ୍ତି।ଅନୁଗୁଳ ସହରରେ ସାମାଜିକ ଦୂରତା ରକ୍ଷା ନ କରି ଲୋକମାନେ ବିଭିନ୍ନ ସ୍ଥାନରେ କିଣାକିଣି କରିବା, ଖଟି କରିବା, ବିନା କାରଣରେ ଘରେ ରହି ବିରକ୍ତ ହେଉଥିବାରୁ ବାହାନା କରି ବାହାରକୁ ବାହାରିବା ଆଦି ଘଟଣା ଘଟୁଥିବାରୁ ଆଜି ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ବୈଠକ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା।

ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଲକଡାଉନ ସମୟରେ ପ୍ରଶାସନ ପକ୍ଷରୁ ପ୍ରତି ୱାର୍ଡରେ ପରିବା ଦୋକାନ ଖୋଲାଯିବା, ରାସନ ହୋମ ଡେଲିଭରି ବ୍ୟବସ୍ଥା କରିବା, ଫୋନ ଯୋଗେ ଡାକ୍ତରୀ ପରାମର୍ଶ ସୁବିଧା ଆଦି କରାଯିବା ପରେ ମଧ୍ୟ ଏପରି ଆଚରଣ ଭୁତାଣୁ ସଂକ୍ରମଣ ରୋକିବା ଚେଷ୍ଟାରେ ଆଦୌ ଗ୍ରହଣୀୟ ନୁହେଁ।ଲୋକେ ବିନା କାରଣରେ ଘରୁ ବାହାରକୁ ଆସିବା ଅନୁଚିତ ଓ ସାମାଜିକ ଦୂରତ୍ୱ ବଜାୟ ରଖିବା ନିହାତି ଜରୁରୀ।ସକାଳୁ ଉଠି ରାତିରେ ଶୋଇବା ପର୍ଯ୍ୟନ୍ତ କିଣାକିଣି ପାଇଁ ଘରୁ ବାହାରିବା ହେଉଛି ଲୋକଙ୍କ ଜୀବନ ସହ ଖେଳ।

ଆଜି ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆସନ୍ତା କାଲି ଠାରୁ ଲକଡାଉନ ଅବଧି ପର୍ଯ୍ୟନ୍ତ ସକାଳ ୬ ଟାରୁ ଦିନ ୧ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ଗୁଡିକ ଖୋଲା ରହିବ।ମେଡ଼ିସିନ ଦୋକାନ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ।

ଲକଡାଉନ ଅବଧିରେ ସମସ୍ତ ସାପ୍ତାହିକ ହାଟ ବଜାର ଆଦି ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ।ଯେଉଁ ଦୋକାନୀମାନେ ସାମାଜିକ ଦୂରତା ରକ୍ଷା କରାଇ ନ ପାରିବେ ସେମାନଙ୍କ ଦୋକାନ ବନ୍ଦ କରି ଦିଆଯିବ।ହୋମ ଡେଲିଭରି ଦିନ ୧ ଟା ପରେ ମଧ୍ୟ ହୋଇପାରିବ।ଅତି ଜରୁରୀ ମେଡ଼ିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଦୁଇଚକିଆ ଯାନ ପଛରେ ଯାତ୍ରୀ ବସିବା ପାଇଁ ବାରଣ କରାଯାଇଛି।ବିନା କାରଣରେ ବୁଲୁଥିବା ବ୍ୟକ୍ତିଙ୍କୁ ସରକାରୀ କ୍ୱାରେଣ୍ଟଟାଇନ ରେ ୧୪ ଦିନ ପାଇଁ ରଖାଯିବ।

ଯଦି ଏହି ସମୟ ପରେ କୌଣସି ଦୋକାନ ଖୋଲା ରହିବ କିମ୍ବା ଖୋଲାଥିବା ସମୟରେ ସାମାଜିକ ଦୂରତ୍ୱ ବଜାୟ ନ ରହିବ ସେହି ଦୋକାନୀ ଓ ଗ୍ରାହକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଲୋକମାନେ ହୋମ ଡେଲିଭରି, ଟେଲି ମେଡ଼ିସିନ ଆଦି ବ୍ୟବସ୍ଥାର ଲାଭ ନେବା ପାଇଁ ପରାମର୍ଶ ଦିଆଯାଇଛି।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ଅତୁଲ୍ୟ କୁମାର ଚମ୍ପତିରାୟ ଓ ଅନୁଗୁଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୀ ଉପସ୍ଥିତ ଥିଲେ।

Square Ad 1
Leave A Reply

Your email address will not be published.