Webportal

ଥମୁନି ହାତୀ ଉପଦ୍ରବ: ନଷ୍ଟ ହେଉଛି ଅମୁଲ୍ୟ ଫସଲ

sanitry
0 253

ଅନୁଗୁଳ ଜିଲ୍ଲାର ଅନୁଗୋଳ ବନଖଣ୍ଡ କଣିହାଁ ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଦିନକୁ ଦିନ ହାତୀ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ୫୦ ଘରିଆ ହାତୀ ତିନି ଦଳ ହୋଇ ଦୁର୍ଗାପୁର , ତାଳପଦା , ଅରଖଡ଼ାହି , ଗଣ୍ଡମଳା , ହନୁମାନ ପୁର , ନାଲମ ଇତ୍ୟାଦି ଅଞ୍ଚଳରେ କିଛି ଦିନ ହେଲା ତାଣ୍ଡବ କରି ଆସୁଛନ୍ତି । ଏହି ହାତୀ ଦଳ ଦେବଗଡ଼ ଏବଂ ଢେଙ୍କାନାଳ ଅଞ୍ଚଳରୁ ଆସି କଣିହାଁ ବନାଞ୍ଚଳରେ ରହି ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ କରୁଛନ୍ତି । ଯେତିକି ଧାନ ଖାଉଛନ୍ତି ତା ଠାରୁ ବହୁତ ଅଧିକ ପାଦରେ ଦଳି ଚକଟି ନଷ୍ଟ କରି ଦେଉଛନ୍ତି । ଏହି ସମୟରେ ବିଲରୁ ଭରଣ ଭରଣ ଧାନ ଅମଳ କରିବା ପରିବର୍ତ୍ତେ ହାତୀଙ୍କ ଯୋଗୁଁ ବିଲରୁ ମାଣେ ଧାନ ମିଳିବା ବି ଚାଷୀ ମାନଙ୍କ ପାଇଁ କଷ୍ଟକର ହୋଇ ପଡୁଛି । ଯାହା ଦ୍ୱାରା ଅଧିକାଂଶ ଚାଷୀ ବର୍ତ୍ତମାନ ଚାଷରୁ ମୁହଁ ଫେରାଇ ଆଣୁଥିବା ଦେଖିବାକୁ ମିଳୁଛି । ହାତୀ ଗୁଡ଼ିକ ଦିନ ବେଳା ଗାଁ ଠାରୁ କିଛି ଦୁର ଜଙ୍ଗଲ ଭିତରେ ଲୁଚି ରହୁଥିବା ବେଳ ସଂଧ୍ୟା ସାଢେ ୬ ଟା ପରେ ପରେ ଧାନ ଖାଇବା ପାଇଁ ଗାଁ ମୁହାଁ ହେଉଛନ୍ତି । ହାତୀ ମାନଙ୍କ ଗର୍ଜନ ଶୁଣି ଗାଁ ଲୋକେ ଘରୁ ବାହାରକୁ ବାହାରିବା ପାଇଁ ଭୟ କରୁଛନ୍ତି । ହାତୀ ଆସିଥିବାର ଜାଣି ବନବିଭାଗକୁ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ମଧ୍ୟ ଅଧିକାଂଶ ସମୟରେ ଯୋଗାଯୋଗ ହୋଇପାରୁ ନ ଥିବା ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି । ଦୁଇ ଦିନ ତଳେ ହନୁମାନ ପୁର ଅଞ୍ଚଳରେ ହାତୀ ବ୍ୟାପକ ପରିମାଣର ଫସଲ ନଷ୍ଟ କରିଥିବା ବେଳେ ସେହି ଗାଁର ଲୋକେ ଫସଲ ନଷ୍ଟ ପାଇଁ ବନ ବିଭାଗକୁ ସିଧାସଳଖ ଦାୟୀ କରୁଥିବାର ଦେଖିବାକୁ ମିଳିଥିଲା । ହନୁମାନ ପୁର ଚାଷୀଙ୍କ ଅଭିଯୋଗ ଯେ ଏଠାରେ ନିୟୋଜିତ ଥିବା ବନ ଜଗୁଆଳି ଅଧିକାଂଶ ସମୟ ଅନ୍ୟ ଗାଁ ମାନଙ୍କରେ ରହୁଛନ୍ତି । ତେଣୁ ହାତୀ ଆସିବା ସମୟରେ ବନ କର୍ମଚାରୀଙ୍କୁ ସୁଚନା ମିଳିପାରୁନାହିଁ । ଅନ୍ୟପକ୍ଷେ ହାତୀ କରୁଥିବା ଫସଲ କ୍ଷୟକ୍ଷତିର ପ୍ରକୃତ ମୂଲ୍ୟ ଚାଷୀ ମାନଙ୍କୁ ସଠିକ ସମୟରେ ଏବଂ ସଠିକ ପରିମାଣର ମିଳିପାରୁ ନ ଥିବା ନେଇ ଅଧିକାଂଶ ଚାଷୀ ଅଭିଯୋଗ କରିଛନ୍ତି । କଣିହାଁ ବନାଞ୍ଚଳ ଅଧିକାରୀ କହିଛନ୍ତି କି କିଛି ଦିନ ହେବ ପଚାଶ ଘରିଆ ହାତୀ ଦେବଗଡ଼ , ଢେଙ୍କାନାଳ ବନଖଣ୍ଡରୁ କଣିହାଁ ବନାଞ୍ଚଳକୁ ପଶି ଆସିଛନ୍ତି । ଏହି ହାତୀ ପଲ ଦଳ ଦଳ ହୋଇ ଦୁର୍ଗାପୁର , ତାଳପଦା, ଅରଖଡାହି ସଂରକ୍ଷିତ ଜଙ୍ଗଲ ଏବଂ ଗଣ୍ଡମାଳ , ସଚିପାହାଡ଼ ଅଞ୍ଚଳରେ ରହିଛନ୍ତି । ବନ ବିଭାଗର ତିନିଟି ଗାଡ଼ି ସହ ତିନି ଦଳ କର୍ମଚାରୀ ହାତୀ ପଲଙ୍କ ନିକଟସ୍ଥ ଅଞ୍ଚଳରେ ବୁଲାବୁଲି କରୁଛନ୍ତି । ବେଳେବେଳେ ହାତୀ ପଲଙ୍କୁ ଘଉଡାଇବାରେ ସଫଳ ହେଉଥିବା ବେଳେ , କେତେକ ସ୍ଥାନରେ ହାତୀ ପଲଙ୍କୁ ଘଉଡାଇବାରେ କର୍ମଚାରୀ ମାନଙ୍କୁ ବିଫଳ ହେବାକୁ ପଡୁଛି । କାରଣ କିଛି ସ୍ଥାନରେ ଗ୍ରାମବାସୀ ମାନଙ୍କ ସହଯୋଗ ମିଳିପାରୁ ନ ଥିବାରୁ ଏତେ ସଂଖ୍ୟାର ହାତୀଙ୍କୁ ଘଉଡାଇବା କଷ୍ଟକର ହୋଇପଡୁଛି । ଅଧିକାଂଶ ସମୟରେ ହାତୀ ମାନଙ୍କୁ ଗୋଡେଇବା ସମୟରେ ହାତୀ ବିଲ ମଝିରେ ପଶି ଯାଉଥିବାରୁ ଫସଲ ନଷ୍ଟ ହେଉଛି । ତେଣୁ ଚାଷୀ ମାନଙ୍କର ହେଉଥିବା କ୍ଷୟକ୍ଷତିକୁ ଆକଳନ କରି କ୍ଷୟକ୍ଷତି ବାବଦକୁ ସହାୟତା ରାଶି ସରକାରଙ୍କ ତରଫରୁ ଚାଷୀ ମାନଙ୍କୁ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ ।

Square Ad 1
Leave A Reply

Your email address will not be published.